ସମ୍ବିଧାନ ହେଉଛି ଗୋଟିଏ ରାଷ୍ଟ୍ରର ଦର୍ପଣ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ଦ୍ୱାରା ୨୦୧୫ ମସିହାରୁ ପ୍ରତିବର୍ଷ ନଭେମ୍ବର ୨୬ତାରିଖଟିକୁ ସମ୍ବିଧାନ ଦିବସ ରୂପେ ପାଳନ କରାଯାଇଥାଏ । ଆଗାମୀ ପିଢୀକୁ ସମ୍ବିଧାନ ବାବଦରେ ଅଧିକରୁ ଅଧିକ ଜ୍ଞାନ ଦେବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ଦିବସ ପାଳନ ଅବସରରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ପକ୍ଷରୁ ଭୁବନେଶ୍ୱର ସତ୍ୟନଗରସ୍ଥିତ ଏନ୍‌ସିଏସ୍‌ସିଡିଏ ଫର୍ ଏସ୍‌ସି/ଏସ୍‌ଟି ପରିସର ମଧ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ବିଧାନ ଗୋଟିଏ ରାଷ୍ଟ୍ରର ଦର୍ପଣ ଭାବେ ଗ୍ରହଣ କରାଯାଇଥାଏ । ଭାରତୀୟ ସମ୍ବିଧାନ ହେଉଛି ବିଶ୍ୱର ଦୀର୍ଘତମ । ସମ୍ବିଧାନରେ ଥିବା ମୌଳିକ ଅଧିକାର ଗୁଡ଼ିକ ଦେଶର ନାଗରିକଙ୍କ ପାଇଁ କବଚ । ମୌଳିକ କର୍ତ୍ତବ୍ୟ ଗୁଡ଼ିକ ଆମ ଦାୟିତ୍ୱ ବିଷୟରେ ମନେ ପକାଇ ଦେଇଥାଏ । ଦେଶର ପ୍ରତିଟି ନାଗରିକ ଏହାକୁ ସମ୍ମାନ ଦେବା ସହ ପାଳନ କରିବା ନିତାନ୍ତ ଜରୁରୀ ବୋଲି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ମତପ୍ରକାଶ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ର ସଂଗଠନ, ଓଡ଼ିଶା ଶାଖାର ଉପନିର୍ଦ୍ଦେଶକ ବିମଲ ପାଟ୍ରିକ୍ ଶାହା, ମୁଖ୍ୟବକ୍ତା ଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ରାଜନୀତି ବିଭାଗର ଆସିଷ୍ଟାଣ୍ଟ୍ ପ୍ରଫେସର ଡ. ପ୍ରମୋଦ କୁମାର ତ୍ରିପାଠୀ, ସମ୍ମାନିତ ଅତିଥି ରୂପେ ଏନ୍‌ଆଇଇଏଲ୍‌ଆଇଟିର ଅଧ୍ୟକ୍ଷ ପ୍ରଶାନ୍ତ ଗୁପ୍ତା ଏବଂ ନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧାର ଜିଲ୍ଲା ଯୁବ ଅଧିକାରୀ ବିପିନ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ସମ୍ବିଧାନ ସମ୍ପର୍କରେ ଯୁବକ ଯୁବତୀମାନଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । କୃତି ପ୍ରତିଯୋଗୀମାନଙ୍କୁ ଉପସ୍ଥିତ ଅତିଥିମାନେ ମାନପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନେହେରୁ ଯୁବକେନ୍ଦ୍ରର ଶୁଭେନ୍ଦ୍ର ନାଥ ସାହୁ ଏବଂ କୁଳମଣି ମଲ୍ଲିକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ