ଲାଲଗଡ଼ରେ ଖୋଲିବ ୧୩୩ ଡାକଘର

ଭୁବନେଶ୍ୱର : ରାଜ୍ୟରେ ଡାକସେବାକୁ ତୃଣମୂଳସ୍ତରକୁ ନେବା ପାଇଁ ଯୋଜନା କରିଛି ଡାକ ବିଭାଗ । ବିଶେଷକରି ଲାଲଗଡ଼ରେ ସମୁଦାୟ ୧୩୩ଟି ଡାକଘର ଖୋଲିବାକୁ ଯୋଜନା ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ୪୦ଟି କାର୍ଯ୍ୟ ଶେଷ ହୋଇଛି । ଏଥିରେ ସମ୍ବଲପୁରରେ ୨୭ଟି ଓ ବଲାଙ୍ଗୀର ଓ ସୁନ୍ଦରଗଡ଼କୁ ମିଶାଇ ୧୩ଟି ଡାକଘର ରହିଥିବା ସୂଚନା ଦେଇଛନ୍ତି ମୁଖ୍ୟ ମହାଡାକପାଳ ସନ୍ତୋଷ କୁମାର କାମିଲା । ଆଜି ଓଡ଼ିଶା ଡାକ ପରିମଣ୍ଡଳ ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ କାମିଲା କହିଲେ ଯେ ପ୍ରତିବର୍ଷ ଡାକ ବିଭାଗ ଅକ୍ଟୋବର ୯ତାରିଖରେ “ବିଶ୍ୱ ଡାକ ଦିବସ’ଠାରୁ ଆରମ୍ଭ କରି ୧୫ତାରିଖ ପର୍ଯ୍ୟନ୍ତ “ରାଷ୍ଟ୍ରୀୟ ଡାକ ଦିବସ’ ପାଳନ କରିଆସୁଛି । ଓଡ଼ିଶା ପରିମଣ୍ଡଳରେ ୩୦ବର୍ଷ ବ୍ୟବଧାନରେ ଚଳିତବର୍ଷ ଏପ୍ରିଲ ମାସରେ ରାୟଗଡ଼ା ଡାକ ମଣ୍ଡଳ ଓ ଜୁନ୍ ମାସରେ ରାଉରକେଲା ଡାକମଣ୍ଡଳ ଶୁଭାରମ୍ଭ ହୋଇଛି । ଏହି ଦୁଇ ନୂଆ ଡାକମଣ୍ଡଳ ଦ୍ୱାରା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଅଧିବାସୀମାନେ ଉପକୃତ ହୋଇପାରିବେ । ସେହିପରି ଓଡ଼ିଶାରେ ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ ବା ଆଇପିପିବିର ୩୩ଟି ଶାଖା ଓ ୬୩୬୯ ଡାକଘରେ ଆକ୍ସେସ୍ ପଏଣ୍ଟ ଭାବେ କାର୍ଯ୍ୟ କରୁଛି । ଆଜିସୁଦ୍ଧା ୩ଲକ୍ଷ ୪୯ହଜାର ୩୫୦ ଆଇପିପିବି ଆକାଉଣ୍ଟ ଖୋଲାଯାଇଛି ଓ ତହିଁରୁ ୪୫ହଜାର ୯୨୩ଟି ଆକାଉଣ୍ଟ ଡାକଘର ସଂଚୟ ଖାତାକୁ ସଂଯୋଗ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ୨୦୧୯/୨୦ରେ ମେରା ଅଭିମାନ-ସକ୍ଷମ ଗ୍ରାମ ପରିଯୋଜନାରେ ରାଜ୍ୟରେ ୭୫୩ଟି ଗ୍ରାମକୁ ଆଇପିପିବି ସକ୍ଷମ ଗ୍ରାମ କରାଯାଇଛି । ଯାହାକି ଧାର୍ଯ୍ୟ ଲକ୍ଷଠାରୁ ଅଧିକ । ଏହି ସଫଳତା ଯୋଗୁଁ ଓଡ଼ିଶା ଡାକ ପରିମଣ୍ଡଳ ଦେଶରେ ଶୀର୍ଷ ସ୍ଥାନ ଅଧିକାର କରି ପୁରସ୍କୃତ ହେଇପାରିଛି । କମ୍ପ୍ୟୁଟର ଗ୍ରାହକ ସେବା ୬୯୬୩ ଶାଖା ଡାକଘରେ କାର୍ଯ୍ୟକାରୀ ହୋଇଛି । ରାଜ୍ୟର ୧୨୧୧ ବିଭାଗୀୟ ଡାକଘର ମଧ୍ୟରୁ ୧୦୨୭ଟି ଡାକଘରେ କୋର ବ୍ୟାଙ୍କିଂ ସେବା ଉପଲବ୍ଧ ହେଉଛି । ୭୦୦୬ ଶାଖା ଡାକଘର ମଧ୍ୟରୁ ୫୧୭୧ ଡାକଘର ଗୁଡ଼ିକୁ ସିଏସ୍‌ଆଇ ସେବାରେ ସାମିଲ କରାଯାଇଛି ।  ଶ୍ରୀ କାମିଲା ଆହୁରି ମଧ୍ୟ କହିଥିଲେ ଯେ, ଚଳିତ ଆର୍ଥିକ ବର୍ଷରେ ଓଡ଼ିଶା ଡାକ ପରିମଣ୍ଡଳ ପକ୍ଷରୁ “ଫକୀରମୋହନ ମହାବିଦ୍ୟାଳୟ’ ଓ “ସମାଜ’ ଉପରେ ସ୍ମରଣୀକା ଡାକଟିକେଟ୍ ୨୪ଟି ସ୍ୱତନ୍ତ୍ର ଡାକ ଲଫାଫା ଉନ୍ମୋଚନ କରାଯାଇଛି । ରାଜ୍ୟରେ ସ୍ପିଡ୍ ପୋଷ୍ଟ ବ୍ୟବସାୟ ପ୍ରତିବର୍ଷ ବଢ଼ିବାରେ ଲାଗିଛି । ଗତବର୍ଷ ଏଥିରେ ପୂର୍ବ ଆର୍ଥିକ ବର୍ଷ ଅପେକ୍ଷା ୧୦ ପ୍ରତିଶତ ବୃଦ୍ଧି ଘଟିଛି । ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଓ ଓଡ଼ିଶା ଡାକ ପରିମଣ୍ଡଳ ମଧ୍ୟରେ ବିଏନ୍‌ପିଏଲ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହାଦ୍ୱାରା ରାଜ୍ୟର ୩୧୭ଟି ତହସିଲ କାର୍ଯ୍ୟାଳୟ ଓ ୧୯୧ଟି ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟ ସେମାନଙ୍କ ଜମିବାଡ଼ି ସଂପର୍କିତ ଦଲିଲ ସ୍ପିଡ୍ ପୋଷ୍ଟ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚାଇ ପାରୁଛନ୍ତି । ସେହିପରି ଚଳିତବର୍ଷ ସମ୍ବଲପୁର ଡାକମଣ୍ଡଳ କର୍ମଚାରୀ ସୁନିତା ସାମନ୍ତରାୟ “ମେଘଦୂତ ପୁରସ୍କାର’ ପାଇଁ ଚୟନ ହୋଇଛନ୍ତି । ସର୍ବଭାରତୀୟ ସ୍ତରର ଏହି ପୁରସ୍କାର ଓଡ଼ିଶା ପାଇଁ ଗର୍ବ ଓ ଆସନ୍ତା ୧୫ତାରିଖରେ ତାଙ୍କୁ ଏହି ସମ୍ବର୍ଧନା ଦିଆଯିବ ।ଅପରପକ୍ଷରେ ରାଜ୍ୟର ଅଧିକାଂଶ ସ୍ଥାନରେ ଡାକଘର ନିଜସ୍ୱ ବିଲ୍ଡିଂରେ କାର୍ଯ୍ୟ କରୁ ନ ଥିବା ଉତ୍ତରରେ ଶ୍ରୀ କାମିଲା କହିଥିଲେ ଯେ, ୧୦ଜଣରୁ କମ୍ କର୍ମଚାରୀ ରହୁଥିବା ଡାକଘର ଗୁଡ଼ିକ ଭଡ଼ା ଘରେ ଚାଲୁଛି । ରାଜ୍ୟର ୧୪୯ଟି ଘର ନିଜସ୍ୱ ବିଲ୍ଡିଂ, ୧୮୦ଟି ମାଗଣାରେ ଓ ୮୪୧ଟି ଭଡ଼ା ଘରେ ଚାଲୁଛି । ନୂତନ ସଫ୍ଟୱେୟାର ଆସିବା ପରେ କିଛି ସ୍ଥାନରେ ସମସ୍ୟା ଦେଖା ଯାଉଛି । ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଡିପିଏସ୍‌(ଏଚ୍‌କ୍ୟୁ) ଜି.ଗୁରୁନାଥନ୍ ଓ ଜଳେଶ୍ୱର କହଁର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ