ସରକାରୀ ଉଚ୍ଚ ବିଦ୍ୟାଳୟରେ ଟିସି ପାଇଁ ଟଙ୍କା ଆଦାୟ ଅଭିଯୋଗ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଟିସି ପ୍ରଦାନ କରିବା ନିମନ୍ତେ ମନଇଛା ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ଅଭିଭାବକ I ସୂଚନା ପ୍ରକାରେ କିଛି ବିଦ୍ୟାଳୟକୁ ସରକାର ମିଶ୍ରଣ କରିଥିଲେ I ଏହି ପରିପ୍ରେକ୍ଷୀରେ କ୍ଷତ୍ରିୟବରପୁର ସ୍ଥିତ ବହୁ ପୁରାତନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ସହିତ ଏହାର ଅପରପାର୍ଶ୍ବରେ ଅବସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ, ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ହେବା ପରେ ଏହା ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟରେ ପରିଣତ ହେବାପରେ ଏହାର ଛାତ୍ରଛାତ୍ରୀ ସଂଖ୍ୟା ବୃ୍ଦ୍ଧି ପାଇଥିଲା I ଚଳିତବର୍ଷ ଏହି ବିଦ୍ୟାଳୟରୁ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାୟ ୧୫୦ ଛାତ୍ରଛାତ୍ରୀ ମାନେ ଟିସି ଏବଂ ସାର୍ଟିଫିକେଟ ପାଇଁ ବିଦ୍ୟାଳୟକୁ ଯାଇଥିବା ବେଳେ ବିଦ୍ୟାଳୟ ତରଫରୁ ସାର୍ଟିଫିକେଟ ପ୍ରଦାନ ପାଇଁ ୩୦୦ ଟଙ୍କା ଦାବି କରାଯାଇଥିଲା I ଏଠାରୁ ଚଳିତ ବର୍ଷ ପାଖାପାଖି ୧୫୦ ପିଲା ଦଶମଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଛାତ୍ରଛାତ୍ରୀ ୩୦୦ ଟଙ୍କା ଦେଇ ସାର୍ଟିଫିକେଟ ଆଣିଥିବା ବେଳେ ଆଉ କିଛି ଅଭିଭାବକ ଟଙ୍କା ଦେବା ପାଇଁ ବାରଣ କରିଥିଲେ I ସରକାରୀ ବିଦ୍ୟାଳୟରେ କାହିଁକି ଟଙ୍କା ଦିଆଯିବ ବୋଲି ପ୍ରଶ୍ନ କରିଥିଲେ I ଏନେଇ ଗତ ଦଶଦିନ ହେବ ପାଟିତୁଣ୍ଡ ହେଉଥିବା ଲକ୍ଷ କରାଯାଉଛି I ଖବର ପାଇ ଆମ ପ୍ରତିନିଧି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିତା କୁମାରୀ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ ଏ ବିଷୟରେ କିଛି ଜାଣିନଥିବା ପ୍ରକାଶ କରିଥିଲେ I କିନ୍ତୁ କିଛି ଅଭିଭାବକ ଘଟଣା ସମ୍ପର୍କରେ ତାଙ୍କୁ ଜଣାଇଥିବା କଥା ଆମ ପ୍ରତିନିଧି ପଚାରିବାରୁ ପୂର୍ବରୁ ଏଠାରେ କିରାଣି ଥିବା କମଳ ଲୋଚନ ଦୋରାଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡ଼େପୁଟେସନ୍ କରାଯିବା ପରେ ଚିନ୍ମୟ ପାଣିଗ୍ରାହୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ଏବଂ ସେ ହିଁ ଏ ବିଷୟରେ ଜାଣିଥିବେ ବୋଲି ପ୍ରକାଶ କରି ପ୍ରଧାନ ଶିକ୍ଷୟିତ୍ରୀ ନିଜ ମୁଣ୍ଡରୁ ଦୋଷ ଖସାଇ ଦେଇଥିଲେ I ଘଟଣା ସମ୍ପର୍କରେ ଚିନ୍ମୟ ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିବାରୁ ସେ ତିନି ଶହ ଟଙ୍କା ଆଦାୟ ଅଭିଯୋଗକୁ ଖଣ୍ଡନ କରି ଅଭିଭାବକଙ୍କ ଠାରୁ ୧୦୦ ରୁ ୧୫୦ ଟଙ୍କା ନେଇଥିବା ପ୍ରକାଶ କରିବା ସହ ଗରୀବ ଛାତ୍ରଛାତ୍ରୀଙ୍କୁ ମାଗଣା ସାର୍ଟିଫିକେଟ ଦେଇଥିବା କଥା ପ୍ରକାଶ କରିଥିଲେ I ସରକାରୀ ବିଦ୍ୟାଳୟରେ ଟଙ୍କା କାହିଁକି ନିଆଗଲା ବୋଲି ପ୍ରତିନିଧି ପଚାରିବାରୁ ସେ ଅବାନ୍ତର ଯୁକ୍ତି ବାଢିଥିଲେ I ସେ କିରାଣୀ କିମ୍ବା ଶିକ୍ଷକ ନହୋଇ ମଧ୍ୟ ଅଧିକ ପରିଶ୍ରମ କରି କିରାଣୀର କାର୍ଯ୍ୟ କରୁଥିବାରୁ ସେ ତାଙ୍କ ପରିଶ୍ରମର ମୂଲ୍ୟ ନେଉଛନ୍ତି ବୋଲି ପ୍ରକାଶ କରିଥିଲେ I ଏନେଇ ଯିଏ ଯାହା କହିଲେ ବି ତାଙ୍କର କିଛି ଯାଏ ଆସେ ନାହିଁଁ ବୋଲି ପ୍ରକାଶ କରିଥିଲେ I ଘଟଣା ସମ୍ପର୍କରେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସାର୍ଟିଫିକେଟ ପାଇଁ ବିଦ୍ୟାଳୟରେ ଟଙ୍କାଟିଏ ମଧ୍ୟ ଆଦାୟ କରାଯିବା ବେଆଇନ୍ ବୋଲି କହିବା ସହିତ ଘଟଣା ସମ୍ପର୍କରେ ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃ୍ତି ଦେଇଥିଲେ I ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ସରକାରୀ ବିଦ୍ୟାଳୟରେ ଟଙ୍କାଟିଏ ମଧ୍ୟ ନେବାର ନିୟମ ନଥିଲେ ମଧ୍ଯ ଶ୍ରୀ ପାଣିଗ୍ରାହୀ ପିଲାଙ୍କ ଠାରୁ ୧୦୦ ରୁ ୩୦୦ ଟଙ୍କା ଆଦାୟ କଲେ କିପରି I ଗରୀବ ଛାତ୍ରଛାତ୍ରୀଙ୍କୁ ମାଗଣା ସାର୍ଟିଫିକେଟ ପ୍ରଦାନ କରି ଦୟା ଦେଖାଇଲେ କିପରି I ମିଳିଥିବା ସୂଚନା ପ୍ରକାରେ ଅଭିଭାବକ ମାନେ ଘଟଣା ସମ୍ପର୍କରେ ଜିଲ୍ଳାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖୁଥିବା ଜଣାପଡିଛି I ସରକାରୀ ବିଦ୍ୟାଳୟରେ ଶିକ୍ଷକ ଏବଂ କର୍ମଚାରୀଙ୍କୁ ମୋଟା ଅଙ୍କର ଦରମା ନେଇ ଅଧିକ୍ ଅର୍ଥ ଲୋଭରେ ଦୁର୍ନୀତିରେ ଲିପ୍ତ ରହୁଥିବା ବେଳେ ଘରୋଇ ବିଦ୍ୟାଳୟ ଗୁଡିକରେ ସ୍ଵଳ୍ପ ଦରମାରେ କାର୍ଯ୍ୟକରି ମଧ୍ଯ ଶିକ୍ଷକଶିକ୍ଷୟିତ୍ରୀ ମାନେ ଠିକ୍ ଢ଼ଙ୍ଗରେ ପାଠ ପଢାଇ ଏକ ନିର୍ଦ୍ଦିଷ୍ଟ୍ ମୂଲ୍ୟ ବିନିମୟରେ ସାର୍ଟିଫିକେଟ ପ୍ରଦାନ କରୁଛନ୍ତି I ସମ୍ପୃକ୍ତ ବିଦ୍ୟାଳୟଟି ବହୁ ପୁରାତନ ହୋଇଥିବାରୁ ସାରା ରାଜ୍ୟରେ ଏହାର ଏକ ସ୍ଵତନ୍ତ୍ର ପରିଚୟ ରହିବା ସହିତ ଏହାର ଛାତ୍ରଛାତ୍ରୀମାନେ ବହୁ ଉଚ୍ଚ ପଦପଦବୀରେ ଅଧିଷ୍ଠିତ ଅଛନ୍ତି I କିନ୍ତୁ ବର୍ତ୍ତମାନର କର୍ମଚାରୀ ମାନେ ଦୁର୍ନୀତି କରି ଏହି ବିଦ୍ୟାଳୟର ଗୌରବରେ କାଳି ବୋଳିବା ପୂର୍ବରୁ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁ୍ଷ୍ଠାନ ଗ୍ରହଣ କରିବା ପାଇଁ ଶିକ୍ଷାବିତ୍, ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ