ସରକାର ଚୁପ ରହିଲେ ଲୋକେ ହଟାଇଲେ ୩୦ଭାଗ ପୋଷ୍ଟର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଆନ୍ଧ୍ର ସୀମାନ୍ତରେ ଥିବା ୨ଗୋଟି ଗ୍ରାମରେ ଆନ୍ଧ୍ର ପ୍ରଶାସନ ତରଫରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫୋଟ ଥାଇ ଆନ୍ଧ୍ର ସରକାରଙ୍କ ବିଭିନ୍ନ କଲ୍ୟାଣ ଯୋଜନାର ପ୍ରଚାର ପୋଷ୍ଟର ଲାଗିବା ଘଟଣା ଆଜିକୁ ୧୦ଦିନ ବିତିବାକୁ ଯାଉଛି । ହେଲେ ଏହି ଘଟଣାରେ ସରକାର ଓ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ବେଳେ ଅଞ୍ଚଳବାସୀ ୩୦ଭାଗ ପୋଷ୍ଟରକୁ ପ୍ରତିବାଦ କରିବା ସହ ଆନ୍ଧ୍ରକୁ ଜବାବ ଦେବା ପାଇଁ ହଟାଇ ଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଗତ ୧୦ଦିନ ତଳେ ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଆନ୍ଧ୍ର ସୀମାନ୍ତରେ ଥିବା ଗୁଡିଖୁଡି ଗ୍ରାମରେ ୨୪ଗୋଟି ଓ ମାଣିକପାଟଣା ଗ୍ରାମରେ ୧୮ଗୋଟି ପୋଷ୍ଟର ଆନ୍ଧ୍ର ପ୍ରଶାସନ ତରଫରୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଫୋଟ ଥାଇ ଆନ୍ଧ୍ର ସରକାରଙ୍କ ବିଭିନ୍ନ କଲ୍ୟାଣ ଯୋଜନାର ପ୍ରଚାର କରି ସୀମାନ୍ତର ଓଡିଶାବାସୀଙ୍କୁ ମୋଟିଭେଟ କରିବା ହୀନ ଉଦ୍ୟମ ଆରମ୍ଭ କରିଥିଲେ । ଏହି ଘଟଣା ଆମ ଖବର କାଗଜ ସହ ଅନ୍ୟାନ୍ୟ ଗଣମାଧ୍ୟମରେ ପ୍ରକାସିତ ହେବା ପରେ ମଧ୍ୟ ସରକାର ଚୁପ ହୋଇ ରହିଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାରେ ସରକାର ଚୁପ ରହିବା ନେଇ ଏହି ୨ଗ୍ରାମବାସୀଙ୍କ ସମେତ ସମଗ୍ର ଜିଲ୍ଲାବାସୀ ଅସନ୍ତୋଷବ୍ୟକ୍ତ କରିଛନ୍ତି । ହେଲେ ମାଣିକପାଟଣା ଗ୍ରାମବାସୀ ଆନ୍ଧ୍ରର ଏହି ପୋଷ୍ଟର ଘଟଣାକୁ ପ୍ରତିବାଦ ଜଣାଇ ଗ୍ରାମରେ ଲଗାଯାଇଥିବା ୧୮ଗୋଟି ପୋଷ୍ଟରରୁ ୧୦ଗୋଟି ପୋଷ୍ଟରକୁ ହଟାଇଥିବା ସୁଚନା ମିଳିଛି । ଏହି ଘଟଣା ନେଇ ଅଞ୍ଚଳର ପୂର୍ବତନ ସରପଞ୍ଚ ତଥା ଆଦିବାସୀ ନେତା ହରିବନ୍ଧୁ କାର୍ଯୀ କହିଛନ୍ତି ଯେ,ଆନ୍ଧ୍ର ପୋଷ୍ଟର ମାରିବା ଘଟଣା ୧୦ଦିନ ଅତିକ୍ରାନ୍ତ ହୋଇଛି । ତଥାପି ସରକାର କିମ୍ବା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ ନ କରି ଚୁପ ରହିବା ଦୁଃଖ ଓ ପରିତାପର ବିଷୟ ଅଟେ । ମାଣିକପାଟଣା ଗ୍ରାମବାସୀ ଆନ୍ଧ୍ରର ଏଭଳି ପୋଷ୍ଟର ମାରିବା ଘଟଣାକୁ ପ୍ରତିବାଦ କରି ମାଣିକପାଟଣାରେ ଆନ୍ଧ୍ର ଲଗାଇଥିବା ୧୮ଗୋଟି ପୋଷ୍ଟରରୁ ୧୦ଗୋଟି ପୋଷ୍ଟରକୁ ହଟାଯାଇଛି । ଓଡିଶା ସରକାରଙ୍କର ଏଭଳି ଚୁପ ରହିବା ଘଟମା ନେଇ ଶ୍ରୀ କାର୍ଯୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସଂପୃକ୍ତ ଘଟଣା ନେଇ ଗଜପତି ଜିଲ୍ଲାର ରାୟଗଡ ବ୍ଲକର ବିଡିଓ ରାଜାରଞ୍ଜିତ ପ୍ରତାପ ବଳଙ୍କୁ ପଚାରିବାରେ ସେ କହିଛନ୍ତି,ଏହି ପୋଷ୍ଟର ଗୁଡିକୁ ହଟାଇବା ପାଇଁ ମୁଁ ସେହି ଅଞ୍ଚଳର ପିଇଓଙ୍କୁ ନିର୍ଦ୍ଦେସ ଦେଇଥିଲି । ସେଠାକାର ପିଇଓ ମୋତେ ସୁଚନା ଦେଇଥିଲେ ପୋଷ୍ଟରକୁ ହଟାଯାଇଛି । ବର୍ତ୍ତମାନ ଆପଣଙ୍କ ଠାରୁ ଲୋକେ ପୋଷ୍ଟର ହଟାଇ ଥିବା ଘଟଣା ସୁଚନା ମିଳିଲା । ପିଇଓଙ୍କୁ ଏ ନେଇ ପଚାରି ତଥ୍ୟ ପ୍ରଦାନ କରିବି ।


