ସରୀସୃପଙ୍କ ନିରାପଦ ଆଶ୍ରୟ ସ୍ଥଳୀ ପାଲଟିଛି ଶୀତଳ ଭଣ୍ଡାର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ବିକ୍ରିବଟା ଚାଲିଛି । ହାଡଭଙ୍ଗା ପରିଶ୍ରମ କରୁଥିବା ଚାଷୀ ଯେତିକି ପାଉଛି ସେଥିରେ ତାଙ୍କୁ ସନ୍ତୁଷ୍ଟ ହେବାକୁ ପଡୁଛି । ତାହାର ଅନ୍ୟ କିଛି ବିକଳ୍ପ ନାହିଁ । ଏଗୁଡିକୁ ସାଇତି ରଖିବା ପାଇଁ ପୂର୍ବରୁ ପ୍ରତିଷ୍ଠା କରାଯାଇଥିବା ଶୀତଳ ଭଣ୍ଡାର ଆଜି ଧ୍ୱଂସ ହୋଇ ମାଟିରେ ମିଶିବାକୁ ଯାଉଛି । ବୁଲା ଗାଇ,କୁକୁର ଏପରିକି ସରୀସୃପଙ୍କ ନିରାପଦ ଆଶ୍ରୟ ସ୍ଥଳୀ ପାଲଟିଛି ଶୀତଳ ଭଣ୍ଡାରର କୋଠା । ଏଥିପାଇଁ ପରିଚାଳନାଗତ ଅବ୍ୟବସ୍ଥା ଦୂର ଦୃଷ୍ଟିର ଅଭାବ ହିଁ ଦାୟୀ । ବର୍ତ୍ତମାନର ପରିସ୍ଥିତିରେ ଏହାର ପୁନରୁଦ୍ଧାର ଆଶା କ୍ଷୀଣ ମନେହେଉଛି । ପୁନରୁଦ୍ଧାର ପ୍ରସଙ୍ଗ ଉଠିଲେ ଶୀତଳ ଭଣ୍ଡାରକୁ ଚଳାଇବା ପାଇିଁ ଥିବା ଅଧିକାରୀମାନେ ହାତ ଟେକି ଦେଉଛନ୍ତି । ଏହି ପାରଳାଖେମୁଣ୍ଡି ଶୀତଳ ଭଣ୍ଡାର ୨୮/୩/୧୯୭୦ ରେ ୩ ଏକର ଜମିରେ ଆରମ୍ଭ ହୋଇଥିଲା । ପ୍ରଥମେ ଏହା ରୁରାଲ ଇଂଜିନିୟର ଅର୍ଗାନାଇଜେସନ ଅଧୀନରେ ଥିଲା । ୧୯୭୩ ବେଳକୁ କୃଷି ବିଭାଗ,୧୯୮୨ ପର ଠାରୁ ଉଦ୍ୟାନବିତ୍ ବିଭାଗ ଅଧିନରେ ରହିଛି । ଗତ ୧୯୯୨ ରେ ୧୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହାକୁ ଆଧୁନିକରଣ କରାଗଲା । ଏହାପରେ ପରୀକ୍ଷା ମୂଳକ ଭାବେ ଶୀତଳ ଭଣ୍ଡାରଟି କାର୍ଯ୍ୟ କରି ତା ପରଠାରୁ ବନ୍ଦ ହୋଇଗଲା । ପୁରୁଣା କଂପ୍ରେସର ବଦଳାଯାଇ ମାଇଫ୍ରୋନ ୨୨ କଂପ୍ରେସର ଖଞ୍ଜା ଗଲା ସିନା ଶୀତଳ ଭଣ୍ଡାରଟି କୌଣସି ବ୍ୟବହାରରେ ଆସିଲା ନାହିଁ । ଏନେଇ ଗଜପତି ଜିଲ୍ଲା ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ କେ. ସୁଦର୍ଶନ କହିଛନ୍ତି ଯେ, ଏହି ଶୀତଳ ଭଣ୍ଡାରଟି ଅତି ପୁରାତନ । ୩ଶହ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଏହି ଶୀତଳ ଭଣ୍ଡାରଟି ସେହି ସମୟର ପୁରାତନ ପଦ୍ଧତିରେ ଏହାର ନିର୍ମାଣ ହୋଇଥିଲା । ବର୍ତ୍ତମାନ ଏହାକୁ ଚାଲୁ କରିବା ପାଇଁ ଯେତିକି ଅର୍ଥ ଖର୍ଚ କରାଯିବ ସେତିକିରେ ଏହା ଠାରୁ ଅଧିକ କ୍ଷମତା ବିଶିଷ୍ଟ ଶୀତଳ ଭଣ୍ଡାର ନିର୍ମାଣ ହୋଇପାରିବ । ବର୍ତ୍ତମାନ ଶୀତଳ ଭଣ୍ଡାର କୋଠାଟି ସମ୍ପୂର୍ଣ୍ଣ କଲାପସ୍ ହୋଇଯାଇଛି । ତେଣୁ ଏହା ଆଉ ବିଚାରକୁ ନେବା ଠିକ୍ ହେବ ନାହିଁ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟମୀ ଯୋଜନାରେ ୧କୋଟି ପର୍ଯ୍ୟନ୍ତ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଋଣ ବ୍ୟବସ୍ଥା ରହିଥିବା ବେଳେ ଏଥିରେ ୫୦ପ୍ରତିଶତ ସବ୍ସିଡି ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ତେଣୁ ଆଗ୍ରହୀମାନେ ଏହି ଯୋଜନାରେ ଆବେଦନ କରିପାରିବେ ବୋଲି ମଧ୍ୟ ସୂଚନା ପ୍ରଦାନ କରିଛନ୍ତି ।


