ବାଲିବୋଝେଇ ହାଇୱା ସ୍କୁଟି ଉପରେ ଚଢିଯିବାରୁ ଆରୋହୀ ମୃତ
କଟକ, (ଯୁଗାବ୍ଦ ନ୍ୟୁଜ) : କଟକସଦର ବ୍ଲକ୍ ୪୨ମୌଜାରେ ସକାଳୁ ବାଲିବୋଝେଇ ଟ୍ରକ୍ ନଂ. ଓଆର୍-୦୨-ଏଫ୍-୭୦୩୧ ଦ୍ରୁତ ଗତିରେ ଝିଙ୍କିରିଆ ପୁରାତନ ସେତୁ ପାର୍ ହେବାପରେ ଆଗରେ ଯାଉଥିବା ଏକ ଆକ୍ଟିଭା ସ୍କୁଟି ନଂ.ଓଡି-୦୫-ଏୟୁ-୫୬୬୦ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ବୟୋଜ୍ୟଷ୍ଠ ନାଗରିକ ଦଧିବାମନପୁରର ମାୟାଧର ମିଶ୍ର, (୭୧)ଙ୍କ ମୃତ୍ୟୁ ଘଟିଛି । ସ୍ୱର୍ଗତଃ ମିଶ୍ର ଖପୁରିଆ ଟେଷ୍ଟି ଲାବ୍ରୋଟେରୀରେ ପିଅନ କାର୍ଯ୍ୟରୁ ଅବସର ନେଇଥିଲେ । ସକାଳୁ ଆକ୍ଟିଭାରେ ନିଜର ନିତ୍ୟାନ୍ତ ଆବଶ୍ୟକୀୟ ମେଡିକାଲ କାର୍ଯ୍ୟରେ ଯାଉଥିବା ବେଳେ ତୀବ୍ର ଗତିରେ ୪୨ମୌଜା ବ୍ରିଜ ଅତିକ୍ରମ କରି ହାଇୱା ବାଲିବୋଝେଇ ଟ୍ରକ୍ଟି ତାଙ୍କ ଉପରେ ଚଢିଯିବାରୁ ତାଙ୍କ ଶରୀରର ପୁଳା ପୁଳା ମାଂସ ରାସ୍ତା ସାରା ଛିନ୍ନବିଚ୍ଛିନ୍ନ ହୋଇ ପଡିରହିଥିଲା ଏବଂ ସେହି ସ୍ଥାନରେ ଅକାଳରେ ଜୀବନ ଚାଲିଯାଇଥିଲା । ରାଜ୍ୟ ପ୍ରଶାସନଙ୍କ ନିର୍ଦ୍ଦେଶ ଅଛି ଯେ ୪୨ମୌଜା ଏଂଟ୍ରିଜୋନ୍ରେ ଓ ୪୨ମୌଜା ପୁରାତନ ସେତୁ ଭଗ୍ନ ଅବସ୍ଥାରେ ଥିବାରୁ ଏହି ସେତୁ ସହିତ ରାସ୍ତାରେ ଭାରୀଜାନ ଅଥବା କୌଣସି ହାଇୱା, ଟ୍ରକ ସମ୍ପୂର୍ଣ୍ଣ ଭାବେ ଚଳାଚଳ ବନ୍ଦ ରହିବ ଏବଂ କୌଣସି ସମୟରେ ଅଂଚଳ ମଧ୍ୟକୁ ପ୍ରବେଶ କରିପାରିବ ନାହିଁ । ସେହିପରି ୪୨ମୌଜା ଆଇତଳଙ୍ଗ-ଝିଙ୍କିରିଆ ନଦୀବନ୍ଧ ଅଣଓସାରିଆ ଅଟେ । ସେହିପରି ଏହି ନଦୀବନ୍ଧ ମାଟିରେ ନିର୍ମାଣ ହୋଇଥିବା ବେଳେ ବନ୍ୟାପ୍ରବଣ ୪୨ମୌଜା ଅଂଚଳ ହୋଇଥିବା ହେତୁ ନଦୀବନ୍ଧ ଦୁର୍ବଳ ହୋଇ ୪୨ମୌତାରେ ବନ୍ୟା ଆସିବା ନିଶ୍ଚିତ । ସେହିପରି ୪୨ମୌଜା ସେତୁଟି ପ୍ରାୟ ୪୦ବର୍ଷ ପୁରାତନ ହୋଇଯାଇଥିବାରୁ ଏହି ନଦୀବନ୍ଧରେ ଭାରିଯାନ ଚଳାଚଳ କଲେ ସେତୁ କେତେବେଳେ ଭୂଷୁଡି ପଡିବା ତାହା କହିହେବ ନାହିଁ । ସେହିପରି ବର୍ତମାନ ସ୍କୁଲ, କଲେଜ୍, ଅଫିସ୍ ଓ ଅନ୍ୟ ନିତ୍ୟାବଶ୍ୟକ ଅନୁଷ୍ଠାନ ଖୋଲିଯିବା ଦ୍ୱାରା ଆଗାମୀ ଦିନରେ ହାଇୱା ଧକ୍କାରେ ଆହୁରି କୁନିକୁନି ନିରୀହ ଜୀବନ ଚାଲିଯିବା ସୁନିଶ୍ଚତ ହୋଇଛି । ୪୨ମୌଜାରେ ମଧ୍ୟ ଟ୍ରାଫିକ ବ୍ୟବସ୍ଥା ନଥିବାରୁ ଗାଡି ଚଳାଚଳ ଓ ଗାଡି ଡ୍ରାଇଭରଙ୍କ ଲାଇସେନ୍ସ ଚେକିଂରେ କୌଣସି ତାରତମ୍ୟ ରହୁନାହିଁ । ହେଲେ ୪୨ମୌଜାରେ କେନ୍ଦ୍ରାଂଚଳ ଆୟୁକ୍ତ, କଟକ ଜିଲ୍ଲାପାଳ, ଉପଜିଲ୍ଲାପାଳ, କଟକସଦର ତହସିଲଦାର, ପରିବହନ ବିଭାଗ, ରାସ୍ତା ଉନ୍ନୟନ ବିଭାଗ , ନଦୀବନ୍ଧ ଉନ୍ନୟନ ବିଭାଗ ତଥା ପୋଲିସ୍ ଡିଜି, କମିସନର୍, କଟକ ଡିସିପି , ୪୨ମୌଜା ଥାନା ଅଧିକାରିଣୀ ଓ ଅନ୍ୟ ବିଭାଗୀୟ କର୍ତୁପକ୍ଷ, ପୋଲିସ୍ ପ୍ରଶାସନ କ’ଣ ପାଇଁ ଜନସାଧାରଣଙ୍କୁ ଜାଣିଶୁଣି କିଛି ନଜାଣିବାର ଅଭିନୟ କରି ଜନସାଧାରଣଙ୍କୁ ମରଣମୁଖକୁ ଠେଲି ଦେଉଛନ୍ତି, ତାହା ବର୍ତମାନ ବିଭିନ୍ନ ସାହିର ଅଧିକାରୀ, ମହନ୍ତ ଓ ବୁଦ୍ଧିଜିବୀ ମହଲରେ ଅଶାନ୍ତିର ବାତାବରଣ ସୃଷ୍ଟି କରିଛି । ମୁଖ୍ୟରାସ୍ତାରେ ଜନସାଧାରଣ ଗାଡିରେ ଅଥବା ଚାଲିକାରି ଯିବାକୁ ଭୟ କରୁଛନ୍ତି । କିଛି ଦିନ ପୂର୍ବରୁ ୪୨ମୌଜା ଆଇତଳଙ୍ଗ ବାଲିଘାଟରୁ ହାଇୱା ଦ୍ୱାରା ବାଲିବୋଝେଇ ହୋଇ ଏକ ଟ୍ରକ ଯାଉଥିବା ବେଳେ ବଉଳକୁଦ ଗ୍ରାମର ଏକ ବୟୋଜ୍ୟଷ୍ଠ ବ୍ୟକ୍ତି ନଦୀବନ୍ଧରେ ଯାଉଥିବା ସମୟରେ ତାଙ୍କ ଉପରେ ଚଢାଇଦେବାରୁ ସେଠାରେ ଅକାଳରେ ଏକ ନୀରିହ ଜୀବନ ଯାଇଥିଲା । ଏହି ଦୁର୍ଘଟଣା ପରେ ମୁଖ୍ୟରାସ୍ତା ଅବରୋଧ କରାଯିବା ସହ ୪୨ମୌଜାର ବିଭିନ୍ନ ସାମାଜିକ ସଂଗଠନର କର୍ମକତା ଆନ୍ଦୋଳନ କରିବା ପରେ ପ୍ରଶାସନ ମିଥ୍ୟା ପ୍ରତିଶ୍ରୁତି ଦେଇ ଆନ୍ଦୋଳନକାରୀଙ୍କୁ ବୁଝାଇସୁଝାଇ କିଛି ସ୍ୱଳ୍ପ ଆର୍ଥିକ ସହାୟତା ଦେଇ ଏକମାସ ଗାଡିଚଳାଚଳ ବନ୍ଦ କରିବା ପରେ ପୁନଃ କ’ଣ ପାଇଁ ହାଇୱା ଗାଡି ଚଳାଚଳ ହେଉଛି ତାହା ବର୍ତମାନ ଜିଲ୍ଲାପ୍ରଶାସନ ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ଏବଂ କାର୍ଯ୍ୟଦକ୍ଷତାରେ ପ୍ରଶ୍ଚବାଚୀ ସୃଷ୍ଟି ହେଉଥିବା ଯୁବଜାଗରଣ ମଂଚର କର୍ମକତାବୃନ୍ଦ ସୂଚନା ପ୍ରଦାନ କରିଛନ୍ତି । ଆଜିର ଦୁର୍ଘଟଣା ସ୍ଥାନ ମଧୁପାଟଣା ଥାନା ପୋଲିସ୍ ଅର୍ନ୍ତଗତରେ ଥାଇ ପୋଲିସ୍ ତରଫରୁ ଦୁଇଗୋଟି ଗାଡିକୁ ଜବତ କରି ଶବକୁ ପୋଷ୍ଟମର୍ଟମ ପାଇଁ କଟକ ବଡ ମେଡିକାଲ୍କୁ ପଠାଇଦିଆଯାଇଛି । ଏଥିପାଇଁ ଯୁଦ୍ଧକାଳୀନ ଭିତିରେ ୪୨ମୌଜାରେ ମରଣଯନ୍ତା ଭାବରେ ପରିଚିତ ହାଇୱା ବାଲିବୋଝେଇ ଟ୍ରକ୍କୁ ଅଂଚଳରେ ଚଳାଚଳ କରିବାରେ ରୋକ୍ ଲଗାଇବା ସହ ସମ୍ପୂର୍ଣ୍ଣ ଭାବେ ନିଷେଷ କରି ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ୪୨ମୌଜାବାସୀ ମୁଖ୍ୟମନ୍ତ୍ରୀ, ୫ଟି ସଚିବ, ରାଜସ୍ୱ ବିଭାଗ ମନ୍ତ୍ରୀ, ସଚିବ , କଟକ ଜିଲ୍ଳାପାଳ, କଟକସଦର ତହସିଲଦାର, ପୋଲିସ୍ ପ୍ରଶାସନ ନିକଟରେ ଦୃଢ ଦାବି ଉପସ୍ଥାପନା କରିଛନ୍ତି । ନଚେତ୍ ଏହା ପ୍ରତିବାଦରେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ପରିବାରବାସୀ, ଗ୍ରମାବାସୀ ଓ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତାବୃନ୍ଦ ଚେତାବନୀ ଦେଇଛନ୍ତି ।


