ସାଂସଦ ପ୍ରତିନିଧି ଭାବେ ଲଳିତ ରାଉତ ନିଯୁକ୍ତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ପାଇଁ ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ପ୍ରତିନିଧି ଭାବେ ବିଜେଡି ଯୁବନେତା ଲଳିତ କୁମାର ରାଉତଙ୍କୁ ନିଯୁକ୍ତ ଦିଆଯାଇଛି। ଏନେଇ ସାଂସଦ ଶ୍ରୀମତୀ ମଣ୍ଡଳ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇବା ସହ ତାଙ୍କ ପ୍ରତିନିଧି ଭାବେ ଶ୍ରୀ ରାଉତ ସମସ୍ତ ସରକାରୀ କାର୍ଯ୍ୟରେ ଉପସ୍ଥିତ ରହିବେ ବୋଲି ସୂଚନା ଦେଇଛନ୍ତି। ଯୁବନେତା ଭାବେ ଲଳିତ ଦୀର୍ଘ୧୫ବର୍ଷ ହେବ ବିଜେଡିରେ କାର୍ଯ୍ୟ କରୁଥିବା ବେଳେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଆସ୍ଥାଭାଜନ ହୋଇ ପାରିଛନ୍ତି। ପୂର୍ବ ବର୍ଷ ତାଙ୍କୁ ଦଳ ପକ୍ଷରୁ ବ୍ଲକ ଯୁବ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଦଳୀୟ ନେତୃତ୍ବଙ୍କ ପ୍ରତି ଆନୁଗତ୍ୟ ଓ ଜଣେ ଦକ୍ଷ ଯୁବ ସଂଗଠକ ଭାବେ ଶ୍ରୀ ରାଉତ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ତେଣୁ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟକ୍ରମକୁ ବ୍ଲକ ଅଞ୍ଚଳରେ ସଠିକ ଭାବରେ ପରିଚାଳନା କରିବା ପାଇଁ ସାଂସଦ ତାଙ୍କ ଉପରେ ଆଶା ପ୍ରକଟ କରିବା ସହ ତାଙ୍କୁ ଏହି ନବନିଯୁକ୍ତି ଦେଇଛନ୍ତି । ସାଂସଦ ପ୍ରତିନିଧି ଭାବେ ନିଯୁକ୍ତି ପାଇବା ପରେ ଲଳିତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି । ଏହାଛଡା ସେ ମଧ୍ୟ ନୂଆ ନିଯୁକ୍ତିକୁ ନେଇ ସାଂସଦ, ବିଧାୟକ ଓ ସର୍ବୋପରି ରାଜ୍ୟ ବିଜେଡି ସମ୍ପାଦକ ପ୍ରୟାସକାନ୍ତି ସାମଲଙ୍କୁ କୃତଜ୍ଞତା ଜଣାଇଛନ୍ତି ।


