ସିନ୍ଧିଆ ଓ ପରିଖୀ ନୂତନ ଧାନ ମଣ୍ଡିର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ ମାନସ ଦତ୍ତ
ବାଲେଶ୍ୱର(ଓ୍ବାଇଏନଏସ): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ କୃଷକମାନଙ୍କ ସୁବିଧା ଓ କୃଷି ଭିତ୍ତିଭୂମିର ବିକାଶ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ସରକାରଙ୍କ ନିର୍ମାଣ ବିଭାଗ ପକ୍ଷରୁ ମୋଟ ୧ କୋଟି ୧୮ ଲକ୍ଷ ୨୨ ହଜାର ୨୪୧ ଟଙ୍କା ବ୍ୟୟ ଅଟକଳରେ ସିନ୍ଧିଆ ଓ ପରିଖି ସେବା ସମବାୟ ସମିତି ପରିସରରେ ଦୁଇଟି ନୂତନ ଧାନ ମଣ୍ଡି ନିର୍ମାଣ କାର୍ଯ୍ୟର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବାଲେଶ୍ୱର ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ। ଏହି ଅବସରରେ ସିନ୍ଧିଆ ସେବା ସମବାୟ ସମିତିରେ ୫୪ ଲକ୍ଷ ୪୨ ହଜାର ୪୩୪ ଟଙ୍କା ଏବଂ ପରିଖି ସେବା ସମବାୟ ସମିତି ପରିସରରେ ୬୩ ଲକ୍ଷ ୭୯ ହଜାର ୮୦୭ ଟଙ୍କା ବ୍ୟୟ ଅଟକଳରେ ଦୁଇଟି ପୃଥକ ଧାନ ମଣ୍ଡି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ନୂତନ ଧାନ ମଣ୍ଡିଗୁଡ଼ିକ ନିର୍ମାଣ ହେବା ଫଳରେ ସ୍ଥାନୀୟ କୃଷକମାନଙ୍କ ପାଇଁ ଧାନ ସଂଗ୍ରହ ଓ ବିକ୍ରୟ ପ୍ରକ୍ରିୟା ଅଧିକ ସୁବ୍ୟବସ୍ଥିତ ହେବା ସହ ଆବଶ୍ୟକ ଭିତ୍ତିଭୂମି ସୁବିଧା ଉପଲବ୍ଧ ହୋଇପାରିବ। ବିଶେଷକରି ଧାନ ବିକ୍ରୟ ସମୟରେ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧା ଦୂର କରିବା ଦିଗରେ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅବସରରେ ବିଧାୟକ ଶ୍ରୀ ଦତ୍ତ କହିଛନ୍ତି ଯେ, କୃଷକ ହେଉଛନ୍ତି ଆମ ଅର୍ଥନୀତିର ମେରୁଦଣ୍ଡ। ସେମାନଙ୍କ ପରିଶ୍ରମର ଉଚିତ ମୂଲ୍ୟ ଓ ଫସଲ ବିକ୍ରୟ ପାଇଁ ଉନ୍ନତ ସୁବିଧା ସୁନିଶ୍ଚିତ କରିବା ଆମର ପ୍ରମୁଖ ଦାୟିତ୍ୱ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର କୃଷକ କଲ୍ୟାଣ, କୃଷି କ୍ଷେତ୍ରର ଆଧୁନିକୀକରଣ ଏବଂ ଗ୍ରାମୀଣ ଅର୍ଥନୀତିର ସୁଦୃଢ଼ୀକରଣକୁ ବିଶେଷ ପ୍ରାଧାନ୍ୟ ଦେଉଛନ୍ତି। ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀର ପ୍ରତ୍ୟେକ କୃଷିପ୍ରଧାନ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମିର ବିକାଶ ସହ ଚାଷୀମାନଙ୍କୁ ଉନ୍ନତ ସେବା ଯୋଗାଇଦେବା ପାଇଁ ନିରନ୍ତର ଉଦ୍ୟମ ଜାରି ରହିବ ବୋଲି ବିଧାୟକ ଶ୍ରୀ ଦତ୍ତ ପ୍ରକାଶ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ସଦର ବ୍ଲକ ଅଧ୍ୟକ୍ଷା ସୁନିତା ବେହେରା, ସରପଞ୍ଚ ବୃନ୍ଦାବତୀ ପ୍ରଧାନ, ରବିନାରାୟଣ ପ୍ରଧାନ, ସମିତି ସଭ୍ୟ ଅଞ୍ଜନ ପରିଡ଼ା, ଉପଖଣ୍ଡ ଯନ୍ତ୍ରୀ ଦୁର୍ଗା ପ୍ରସନ୍ନ ମାରାଣ୍ଡି, କନିଷ୍ଠ ଯନ୍ତ୍ରୀ ମନୋଜ ସାହୁ, ଅନିରୁଦ୍ଧ ପ୍ରଧାନ, ପ୍ରଦୀପ୍ତ କୁମାର ମହାପାତ୍ର, ଗୌରାଙ୍ଗ ଦାସ, ଅନନ୍ତ ନାୟକ, ରାଜେନ୍ଦ୍ର ଚାଟାର୍ଜି, ମାମନୀ ହାତୀ, ଗୋରାଚାନ୍ଦ ମଣ୍ଡଳ, ବୀରେନ୍ଦ୍ର ସେନାପତି, ବୀରେନ୍ଦ୍ର କର, ଶ୍ରୀନିବାସ ମହାଳିକ, ବିଜୟ ଦାସ, ମନୋରଞ୍ଜନ ଶତପଥି, ସଂଗୀତା ପରିଡ଼ା, ଅମଲ ପ୍ରଧାନ, ଅନିଲ ପାତ୍ର, ରାଜୀବ କର, ମିଟୁ ବାରିକ, କାଳିଆ ଗିରି ସମେତ ସମସ୍ତ ସୋସାଇଟି ଡାଇରେକ୍ଟର ଉପସ୍ଥିତ ଥିଲେ।


