ସିମେଣ୍ଟ୍ ବେପାରୀ ହତ୍ୟା ଘଟଣା ନ୍ୟାୟ ପାଇଁ ଭାବି ପତ୍ନୀଙ୍କ ଆତ୍ମହତ୍ୟା

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗତ ୨୨ ତାରିଖ ରାତି ୧୧ଟାରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ହଂସପୁର ଗ୍ରାମର ସିମେଣ୍ଟ୍ ବେପାରୀ ତଥା ଭାବି ସ୍ୱାମୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ ପିଟି ପିଟି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଘଟଣାର ୬୦ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ନ୍ୟାୟ ନ ମିଳିଥିବାରୁ ହଂସପୁର ଗ୍ରାମର ଆରତି ପ୍ରଧାନ ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ସେ ମଲା ପରେ କୁଆଡେ ତାଙ୍କ ଭାବି ସ୍ୱାମୀଙ୍କୁ ନ୍ୟାୟ ମିଳିବ ବୋଲି ମୃତ ଭାବି ସ୍ୱାମୀଙ୍କ ଭଣଜା ରାକେଶ ସାହୁଙ୍କ ମୋବାଇଲ୍‌କୁ ଆରତି ମେସେଜ୍ ଦେଇଥିଲେ । ଆରତି ଆଜି ସକାଳ ୭ ଟା ୩୨ ମିନିଟ୍‌ରେ ରାକେଶଙ୍କ ମୋବାଇଲକୁ ହ୍ୱାଟସପ୍‌ରେ ଚାଟିଂ କରି ମାମୁଁଙ୍କୁ ନ୍ୟାୟ ମିଳିବ କି ନାହିଁ, ମୋର ମୃତ୍ୟୁ ପରେ ହିଁ ମାମୁଙ୍କୁ ନ୍ୟାୟ ମିଳିବ, ଏହାଠିକ୍ ହେବ ବୋଲି ମେସେଜ୍ ଦେଇଥିଲେ । ରାକେଶ ପାଲଟା ଜବାବରେ ନ୍ୟାୟ ନିଶ୍ଚୟ ମିଳିବ, କିଛି ଅଲଟା ସିଧା କରନାହିଁ, ମୁଁ ଅଛି ଦୋଷୀକୁ ଫାଶି ମିଳିବ ବୋଲି ମେସେଜ୍‌ରେ ଉତ୍ତର ଦେଇଥିଲେ । କିନ୍ତୁ ଏହାର କେତେକ ସମୟ ପରେ ଆରତି ଆତ୍ମହତ୍ୟା କରିବା ପାଇଁ କୌଣସି ବିଷାକ୍ତ ସାମଗ୍ରୀ ପିଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ମୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସଙ୍କଟାପନ୍ନ ଥିବାରୁ ବ୍ରହ୍ମପୁର ଏମ୍‌କେସିଜି ହଷ୍ପିଟାଲକୁ ପଠାଯାଇଥିଲା । ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ଆରତିଙ୍କ ମୃତ୍ୟୁ ହୋଇଥିଲା । ଭାବି ସ୍ୱାମୀ କୃଷ୍ଣଙ୍କ ମୃତ୍ୟୁର ୩ ଦିନ ପରେ ଭାବି ପତ୍ନୀ ତଥା ଆରତି ମଧ୍ୟ ଆରପାରିକି ଚାଲିଗଲେ । ମେ ୧୩ ତାରିଖରେ ଦୁହିଁଙ୍କ ବିବାହ ହେବା ଲାଗି ହଂସପୁର ଗ୍ରାମରେ ଚଳଚଞ୍ଚଳ ଥିବା ବେଳେ ଦୁହିଁଙ୍କ ଘର ଲୋକ ଏବଂ ବନ୍ଧୁବାନ୍ଧବ ଉତ୍ସାହ ଥିଲେ । ନିମନ୍ତ୍ରଣଠୁ ଆରମ୍ଭ କରି ସବୁ କ୍ଷେତ୍ରରେ ବଅଣା ମଧ୍ୟ ଦିଆ ସରିଥିଲା । ହେଲେ ଯେଉଁ ଦମ୍ପତି ଦୁହେଁ ଦୁହିଁଙ୍କୁ ବିବାହ କରିଥାନ୍ତେ ସେହି ଦମ୍ପତ୍ତି ଆଗ ପଛ ହୋଇ ଆର ପାରିକି ଚାଲିଗଲେ । ଗ୍ରାମରେ ଶୋକ ର ଛାୟା ଖେଳିଯାଇଛି । ଯାହା ପାଇଁ ଏତେ ସବୁ ଘଟଣା ଘଟିଲା ଆଉ ଦୁଇ ଦୁଇ ଜୀବନ ଗଲା ସେହି ଅଭିଯୁକ୍ତମାନଙ୍କୁ ପୁଲିସ ତୁରନ୍ତ ଗିରଫ କରିବା ସହ ଫାସିଦଣ୍ଡ ଦେବା ଲାଗି ହଂସପୁର ଗ୍ରାମବାସୀ ତାତି ଉଠିଛନ୍ତି । ଏହି ଦାବି ନେଇ ଗ୍ରାମବାସୀ ଛତ୍ରପୁର-ବଡମାଧପୁର ମୁଖ୍ୟ ରାସ୍ତା ହଂସପୁର ଗ୍ରାମ ଠାରେ ରାସ୍ତାରୋକ କରିଛନ୍ତି । ରାସ୍ତାରୋକ ରେ ଗ୍ରାମର ପୁରୁଷ ମହିଳାଙ୍କ ଠାରୁ ଆରମ୍ଭ କରି ଯୁବକ ଓ ଯୁବତୀମାନେ ମଧ୍ୟ ସାମିଲ ହୋଇଛନ୍ତି । ଦୋଷୀକୁ ତୁରନ୍ତ ଗରିଫ କରି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ପୁଲିସ ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ସହ ହତ୍ୟାକାରୀ ମାନଙ୍କୁ ଚିହ୍ନଟ କରି ସାରିଥିଲେ ସୁଦ୍ଧା ଘଟଣା ତୁରନ୍ତ କାହିଁକି ପର୍ଦ୍ଦାଫାଶ କରୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ହଂସପୁର ଗ୍ରାମର ସିମେଣ୍ଟ୍ ବେପାରୀ କୃଷ୍ଣଚନ୍ଦ୍ର ଗ୍ରାମ ଠାରୁ କିଛି ଦୂରରେ ଥିବା ଟୋଲକେଶ୍ୱର ମନ୍ଦିର ନିକଟରେ ଗତ ୨୧ ତାରିଖ ରାତି ପ୍ରାୟ ୧୧ଟା ସମୟରେ ଫୋନ୍‌ରେ କଥା ହେଉଥିଲେ । ଏହି ସମୟରେ ତାଙ୍କୁ କେହି ପଛପଟୁ ପ୍ରଥମେ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆକ୍ରମଣ କରିଥିଲା । ପରେ ଲଗାତର ମୁଣ୍ଡ ଏବଂ ଶରୀରକୁ ଆକ୍ରମଣ କରି ସେଠାରୁ ଚାଲି ଯାଇଥିଲେ । ସୂଚନା ପାଇ ଗ୍ରାମବାସୀ ଗୁରୁତର ଅବସ୍ଥାରେ କୃଷ୍ଣଙ୍କୁ ଉଦ୍ଧାର କରି ଛତ୍ରପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବ୍ୟବସାୟିକ ଶତ୍ରୁତା ନେଇ ମାମୁଁ କୃଷ୍ଣଙ୍କୁ ହତ୍ୟା କରାଯାଇଥିବା ନେଇ ଭଣଜା ରାକେଶ ଛତ୍ରପୁର ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଏବଂ ଘଟଣା ସ୍ଥଳରୁ ସରଜମିନ୍ ତଦନ୍ତ କରି ପୁଲିସ କେସ ନମ୍ବର ୨୦୨ ରେ ଏକ ହତ୍ୟା ମାମଲା ରୁଜୁ କରି ୪ ଜଣଙ୍କୁ ଅଟକ ରଖି ଜେରା ଜାରି ରଖିଛି । ଅଟକ ଥିବା ୪ ଜଣଙ୍କ ମଧ୍ୟରୁ ହଂସପୁର ଗ୍ରାମର ଜଣେ ସିମେଣ୍ଟ ବେପାରୀ ଏବଂ ସେମାନଙ୍କ ସଂପର୍କୀୟ ବୋଲି ଜଣାପଡିଥିଲା ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ