ସେନା ମୁଖ୍ୟ ଭାବେ ହେଲେ ଜେନେରାଲ ନରଓ୍ୱଣେ
ନୂଆଦିଲ୍ଲୀ: ଜେନେରାଲ ବିପିନ ରାଓ୍ୱତ ସ୍ଥଳ ସେନାର ମୁଖ୍ୟ ପଦବୀରୁ ଅବସର ନେବା ପରେ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ୱଣେ ମଙ୍ଗଳବାର ୨୮ଶ ସ୍ଥଳ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶ୍ରୀ ନରୱାଣେ ମଙ୍ଗଳବାର ସ୍ଥଳସେନାର ମୁଖ୍ୟ ଭାବେ ଯୋଗଦେବା ପୂର୍ବରୁ ଉପ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ। ବରିଷ୍ଠତା ଦୃଷ୍ଟିରୁ ତାଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି ସରକାର। ୨୦୧୯ ସେପ୍ଟେମ୍ବର ମାସରେ ନରଓ୍ୱାଣେ ସ୍ଥଳର ସେନାର ଉପମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସ୍ଥଳ ସେନାର ଉପମୁଖ୍ୟ ହେବା ପୂର୍ବରୁ ନରୱାଣେ ଇଷ୍ଟର୍ଣ୍ଣ କମାଣ୍ଡର ମୁଖ୍ୟ ରହିଥିଲେ। ସେ ଦୀର୍ଘ ୩୭ ବର୍ଷ ହେଲା ଭାରତୀୟ ସେନାରେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ସେନା ମେଡାଲ ମିଳିଛି। ନାଗାଲାଣ୍ଡ ଆସାମ ରାଇଫଲର ଇନସପେକ୍ଟର ଜେନେରାଲ ଭାବେ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରାଯାଇଥିଲା।
ସୂଚନାଯୋଗ୍ୟ, ମନୋଜ ମୁକୁନ୍ଦ ନରଓ୍ୱଣେ ସ୍ଥଳ ସେନାର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ତାଙ୍କର ଦୁଇ ବନ୍ଧୁ ମାର୍ଶଲ ରାକେଶ କୁମାର ସିଂହ ଭଦୌରିଆ ବାୟୁସେନା ଏବଂ ଆଡମିରଲ ସିଂହ ନୌସେନା ମୁଖ୍ୟ ରହିଛନ୍ତି। ଏହି ତିନି ସାଙ୍ଗ ୧୯୭୬ରେ ଜାତୀୟ ଡିଫେନ୍ସ ଏକାଡେମୀରେ ଭର୍ତ୍ତି ହୋଇଥିଲେ। ୧୯୮୦ରେ ଏନଡିଏ ପାସ୍ କରିବା ପରେ ତିନି ଜଣ ନିଜ ନିଜ ବିଭାଗରେ ଯୋଗ ଦେଇଥିଲେ। ଏହି ତିନି ଜଣଙ୍କ ମଧ୍ୟରୁ ଜେନେରାଲ ନରଓ୍ୱଣେ ଏବଂ ଆଡମିରଲ ସିଂହ ଏନଡିଏରେ ଯୋଗ ଦେବା ପୂର୍ବରୁ ଗୋଟିଏ ସ୍କୁଲରେ ଏକାଠି ପାଠ ପଢ଼ୁଥିଲେ।


