ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ନିର୍ଦ୍ଦେଶ କାର୍ଯ୍ୟକାରୀରେ ବିଳମ୍ବ !
ଆସିକା (ୱାଇଏନ୍ଏସ୍): କୋମଳମତି ଶିଶୁଙ୍କ କାନ୍ଧରେ ଆବଶ୍ୟକତା ଠାରୁ ଅଧିକ ଓଜନର ସ୍କୁଲ ବ୍ୟାଗ ବୋଝ। ପିଲାଏ ପାଠ ପଢିବେ କଣ, ସ୍କୁଲ ବ୍ୟାଗ ଓଜନରେ ଭାରାକ୍ରାନ୍ତ ହେଉଛନ୍ତି। ସରକାରଙ୍କ ସ୍କୁଲ ବ୍ୟାଗ୍ ଓଜନ ଯାଞ୍ଚ ନିର୍ଦ୍ଦେଶ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ କାର୍ଯ୍ୟକାରୀ ବିଳମ୍ବ ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। କେନ୍ଦ୍ରୀୟ ଗାଇଡ୍ ଲାଇନକୁ କାର୍ଯ୍ୟକାରୀ କରିବା ସହ ପ୍ରଥମରୁ ଦଶମଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ସ୍କୁଲ ବ୍ୟାଗର ଓଜନ କମାଇବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଅତୀତରେ ଦିଆଯାଇଥିବା ନିର୍ଦ୍ଦେଶ ଆସିକାରେ ବାଟବଣା ହୋଇଯାଇଥିବା ଅଭିଯୋଗ ହେଉଛି। ଗତ କିଛି ମାସ ତଳେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ସ୍କୁଲ ବ୍ୟାଗ ଓଜନ ହ୍ରାସ ନିମନ୍ତେ ଗାଇଡ୍ ଲାଇନ୍ ଜାରି କରାଯାଇଥିଲା ମଧ୍ୟ ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ଅଧିକ ଓଜନର ସ୍କୁଲ ବ୍ୟାଗ୍ ବୋହୁଥିବା ଦେଖିବାକୁ ମିଳୁଛି। ସ୍କୁଲ ଛାତ୍ରଛାତ୍ରୀଙ୍କ ବ୍ୟାଗ୍ ପରିବହନ ଉପରେ ଜାରି ହୋଇଥିବା କଟକଣା ଆସିକା ଅଞ୍ଚଳରେ କେବେ କାର୍ଯ୍ୟକାରୀ ହେବ ତାହାକୁ ନେଇ ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଛାତ୍ରଛାତ୍ରୀମାନେ ଯେପରି ନିର୍ଦ୍ଧାରିତ ଓଜନ ଠାରୁ ଅଧିକ ଓଜନର ବ୍ୟାଗ୍ ପରିବହନ ନ କରନ୍ତି ସେଥିପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ବି ଅତୀତରେ ଦିଆଯାଇଛି। କେନ୍ଦ୍ରସକରାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍ ପରିବହନ ଉପରେ କଟକଣା ଜାରି କରିଥିଲେ ମଧ୍ୟ ସାମ୍ପ୍ରତିକ ପରିସ୍ଥିତିରେ ଦେଖିବାକୁ ମିଳୁଛି। ପ୍ରଥମ ଶ୍ରେଣୀ ଅଧ୍ୟୟନରତ ପିଲାଟିଏ ପ୍ରତିଦିନ ପ୍ରାୟ ୧୦ରୁ ୧୨ କେଜି ଓଜନର ସ୍କୁଲବ୍ୟାଗ ବୋହୁଥିବା ବେଳେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଥିବା ବିଦ୍ୟାର୍ଥୀ ପ୍ରାୟ ୩୦କେଜି ଓଜନର ବହି ବ୍ୟାଗ ବୋହୁଥିବା ଚର୍ଚ୍ଚା ହେଉଛି। ଏହି ସ୍କୁଲବ୍ୟାଗ୍ରେ ବହି ବସ୍ତାନି ସାଙ୍ଗକୁ ପାଣି ବୋତଲ ରହୁଛି। ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭାରି ବ୍ୟାଗ୍ ବୋଝରୁ ନିସ୍ତାର ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ୨୦୨୦ ମସିହାରେ ସ୍ୱତନ୍ତ୍ର “ବ୍ୟାଗ୍ ନୀତି” ଅଣାଯାଇଥିଲା। ତେବେ ଦାୟିତ୍ୱରେ ଥିବା କେତେକ ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକା ଅଞ୍ଚଳରେ ସରକାରଙ୍କ ବ୍ୟାଗ୍ ନୀତି ବସ୍ତାନିରେ ବନ୍ଧା ହୋଇ ରହିଯାଇଥିବା ଆଲୋଚିତ ହେଉଛି। ଜାତୀୟ ଶିକ୍ଷାନୀତି (ଏନ୍ଇପି) ୨୦୨୦ ଅନୁସାରେ ପିଲାଙ୍କ ବ୍ୟାଗର ଓଜନକୁ ସ୍କୁଲରେ ନିୟମିତ ଭାବେ ଅନୁଧ୍ୟାନ କରାଯିବା ଆବଶ୍ୟକ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସ୍କୁଲ ବ୍ୟାଗ୍ ଏଭଳି ଭାବେ ତିଆରି ହୋଇଥିବା ଆବଶ୍ୟକ ଯାହାକୁ ପିଲାମାନେ ଧରିଥିବା ବେଳେ ଆଡ୍ଜଷ୍ଟ କରି ନେଇପାରୁଥିବେ । ଏନ୍ସିଇଆର୍ଟି ଦ୍ୱାରା କରାଯାଇଥିବା ଅନେକ ସର୍ବେକ୍ଷଣ ଓ ଅଧ୍ୟୟନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅତୀତରେ ଏହା ସୁପାରିଶ କରାଯାଇଥିବା ଜଣାପଡିଛି । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଅଧିକାଂଶ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସ୍କୁଲ ବ୍ୟାଗର ଓଜନ ଯାଞ୍ଚ କରୁନଥିବା ବେଳେ ବହୁ ଅଭିଭାବକଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ସଚେତନ କରାଯାଉ ନଥିବା ଅଭିଯୋଗ ହେଉଛି । ଆସିକା ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଆବଶ୍ୟକତା ଠାରୁ ଅଧିକ ଓଜନର ବ୍ୟାଗ କାନ୍ଧରେ ପକାଇ ସ୍କୁଲ ଯାଉଥିଲେ ବି ଯାଞ୍ଚ ହେଉନାହିଁ । ୨୦୨୦ ମସିହାରେ ଜାରି ହୋଇଥିବା ସ୍କୁଲ ବ୍ୟାଗ ନୀତି ଅନୁଯାୟୀ ପିଲାଙ୍କ ଓଜନ ଠାରୁ ସ୍କୁଲ ବ୍ୟାଗର ଓଜନ କମ୍ ରହିବ । ଇତିମଧ୍ୟରେ ସରକାରଙ୍କ ନିର୍ଦ୍ଦେଶକୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ଆସିକା ଅଞ୍ଚଳରେ ତାହା ବାଟବଣା ହୋଇଯାଇଥିବା ଅଭିଯୋଗ ହେଉଛି । ପାଠପଢା ସହ ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ବହୁ ଅଭିଭାବକ ବିଶେଷ ଧ୍ୟାନ ଦେଉଥିଲେ ମଧ୍ୟ ବସ୍ତାନି ବୋଝେଇ ଲାଘବ କରିପାରୁ ନଥିବା ଜଣାପଡିଛି । କେତେକ ବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ଶରୀରର ସାମର୍ଥ୍ୟ ଠାରୁ ଅଧିକ ଓଜନର ବହୁ ବସ୍ତାନି ନେଉଥିବା ଦେଖିବାକୁ ମିଳୁଛି । ଏହା ସେମାନଙ୍କ ଶରୀରକୁ ରୋଗାକ୍ରାନ୍ତ କରିବା ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ । ଶିକ୍ଷାବିଭାଗ ଉଚ୍ଚକତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ କେନ୍ଦ୍ର ସରକାର କାର୍ଯ୍ୟକାରୀ କରିଥିବା ସ୍କୁଲ ବ୍ୟାଗ୍ ନିୟମ ଯେପରି ସଠିକ ଭାବେ କାର୍ଯ୍ୟକାରୀ ହୋଇପାରିବ ସେଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି।


