ଗଜଲକ୍ଷ୍ମୀ ପୂଜା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି, ପୁରୁଣା କମିଟି ହାତରେ ଦାୟିତ୍ୱ
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରର ପାରମ୍ପରିକ ଗଜଲକ୍ଷ୍ମୀ ପୂଜାକୁ ଧୁମଧାମରେ ପାଳନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ପୂଜା କମିଟିର ଏକ ବୈଠକ ବସିଥିଲା। ପୂଜାର ଆୟୋଜନ, ଖର୍ଚ୍ଚ ଓ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକ ଆରମ୍ଭରେ ଗତବର୍ଷର ଆୟ-ବ୍ୟୟର ହିସାବ କୋଷାଧ୍ୟକ୍ଷଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିଲା। ପରେ ସଭାପତି ଦୀପକ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଚଳିତବର୍ଷର ପୂଜା ଆୟୋଜନ ସମ୍ପର୍କରେ ମତବିନିମୟ ହୋଇଥିଲା। ଦୀର୍ଘ ଆଲୋଚନା ପରେ ପୂର୍ବବର୍ଷର କମିଟିକୁ ହିଁ ଚଳିତବର୍ଷ ପୂଜା ପରିଚାଳନାର ଦାୟିତ୍ୱ ଦେବାକୁ ସର୍ବସମ୍ମତିରେ ନିଷ୍ପତ୍ତି ହୋଇଥିଲା। ଚଳିତବର୍ଷ ମଧ୍ୟ ଲକ୍ଷ୍ମୀପୁର ବସ୍ଷ୍ଟାଣ୍ଡସ୍ଥିତ ମଣ୍ଡପରେ ପାଞ୍ଚଦିନ ଧରି ଗଜଲକ୍ଷ୍ମୀ ପୂଜା ଆୟୋଜନ କରାଯିବ। ପୂଜା, ମଣ୍ଡପ ସାଜସଜ୍ଜା, ଆଲୋକୀକରଣ, ବାଜା ଓ ଅନ୍ୟାନ୍ୟ ବ୍ୟବସ୍ଥା ପାଇଁ ପ୍ରାୟ ୬ ଲକ୍ଷ ଟଙ୍କା ବ୍ୟୟ ହେବାର ଆକଳନ କରାଯାଇଛି। ବୈଠକରେ ନୂତନ କାର୍ଯ୍ୟକାରୀ କମିଟି ମଧ୍ୟ ଗଠନ କରାଯାଇଛି। ଦୀପକ ଶତପଥୀ ସଭାପତି, ନୀଳମାଧବ ସାହୁ ଉପସଭାପତି, ହିତେଶ୍ୱର ସାହୁ ଓ ଲକ୍ଷ୍ମୀକାନ୍ତ ବାରିକ ସମ୍ପାଦକ, କମଳ ଲୋଚନ ବିଶୋଇ ସହସମ୍ପାଦକ ଏବଂ ଚନ୍ଦନ କୁମାର ସାହୁ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ପୂଜାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ମୂର୍ତ୍ତି ନିର୍ମାଣ, ମଣ୍ଡପ ସାଜସଜ୍ଜା, ବାଜା ଓ ଅନ୍ୟାନ୍ୟ କାର୍ଯ୍ୟର ଦାୟିତ୍ୱ ବିଭିନ୍ନ ଯୁବଗୋଷ୍ଠୀଙ୍କୁ ଦିଆଯାଇଛି। ସୁରଜ ନାୟର, ବଳିଆ ବିଶୋଇ ଓ ଏ. ରମେଶ କୁମାରଙ୍କ ସମେତ ବହୁ ଯୁବକ ଏହି ଦାୟିତ୍ୱରେ ସାମିଲ ହୋଇଛନ୍ତି।
ବୈଠକରେ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକା, ପୂର୍ବତନ ସାଂସଦ ଝିନ୍ନ ହିକକା, ପ୍ରସାଦ ଖରା, ଉତ୍ତମ ଖରା, ପଞ୍ଚାନନ ଟାକ୍ରୀ, ବରିଷ୍ଠ ସାମ୍ବାଦିକ ପରମେଶ୍ୱର ସାହୁ, ପ୍ରମୋଦ ଜେନା, ବଣିକ ସଂଘ ସଭାପତି ମନୋଜ ସାହୁ, ଉମାଶଙ୍କର କର୍କରାଙ୍କ ସମେତ ୪୦ରୁ ଊର୍ଦ୍ଧ୍ୱ ସଦସ୍ୟ ଉପସ୍ଥିତ ଥିଲେ। ସତ୍ୟରଞ୍ଜନ ନାଥ, ସୁନୀଲ ସାହୁ, କୁନା ବରାଡ଼, ରାଧେଶ୍ୟାମ ଜେନା, ମିହିର ବିଶ୍ୱାସ, ଖୋଗେଶ୍ୱର ଗରଡ଼ା, ଦୁର୍ଗାମାଧବ ସାହୁ, ଓଜେଶ୍ୱୀ ସାହୁ, ବିଭୂତି ଖରା, ପ୍ରତାପ ହାଲବା, ଲିଙ୍ଗ ଗରଡ଼ା, ରଞ୍ଜନ ଖାନ ଓ ଦୀପ୍ତିରଞ୍ଜନ ବାରିକଙ୍କ ସମେତ ବହୁ ସଦସ୍ୟ ଯୋଗଦେଇଥିଲେ।


