ଦୁଇ ବର୍ଷରେ ବଦଳିଲା ବନ୍ଧୁଗାଁର ଚିତ୍ର

କୋରାପୁଟ, ୨୩/୯/୨୬ (ହେମନ୍ତ ପାଣିଗ୍ରାହୀ) : କେଉଁଠି ଅଧା ତିଆରି କୋଠା, କେଉଁଠି ଅଧାପନ୍ତରା ରାସ୍ତା, ଆଉ କେଉଁଠି ବର୍ଷ ବର୍ଷ ଧରି ତାଲା ପଡ଼ିଥିବା ନିର୍ମାଣାଧୀନ ଗୃହ। ଯେପରି ବିକାଶ କାମ ଆରମ୍ଭ କରି ତାହାକୁ ଭୁଲିଯିବା ହିଁ ଥିଲା ନିୟମ। କିନ୍ତୁ ଗତ ଦୁଇ ବର୍ଷରେ ବନ୍ଧୁଗାଁ ବ୍ଲକର ଚିତ୍ରରେ ଏହି ପୁରୁଣା ଧାରାରେ କିଛିଟା ପରିବର୍ତ୍ତନ ଆସିଥିବା ଦେଖାଯାଇଛି। ୨୦୨୪ ପୂର୍ବରୁ ବ୍ଲକର ୧୩ଟି ପଞ୍ଚାୟତରେ ଅନେକ ଉନ୍ନୟନ କାର୍ଯ୍ୟ ଅଧାରେ ଅଟକି ରହିଥିବା ଅଭିଯୋଗ ଥିଲା। କେତେକ କାମ ଦୀର୍ଘଦିନ ଧରି ଅଧାପନ୍ତରା ଅବସ୍ଥାରେ ପଡ଼ିରହିଥିଲା। ଏବେ ଏହି ପୁରୁଣା କାମଗୁଡ଼ିକୁ ଚିହ୍ନଟ କରି ସାରିବା ସହ ନୂଆ କାମକୁ ଆଗେଇ ନେବାରେ ବ୍ଲକର ଯାନ୍ତ୍ରିକ ବିଭାଗ ଗୁରୁତ୍ୱ ଦେଇଥିବା କୁହାଯାଉଛି। ମାତ୍ର ଜଣେ ଏଇଇ, ଜଣେ ଏଇ ଓ ଦୁଇଜଣ ଯନ୍ତ୍ରୀଙ୍କ ତଦାରଖରେ ୧୩ଟି ପଞ୍ଚାୟତରେ ଚାଲିଥିବା ବିଭିନ୍ନ କାମ ଆଗକୁ ବଢ଼ିଛି। ନୂତନ କୋଠା, ସିସି ରାସ୍ତା, କଲ୍ୟାଣ ମଣ୍ଡପ, ଜଳପ୍ରପାତର ସୌନ୍ଦର୍ଯ୍ୟକରଣ, ସରକାରୀ କାର୍ଯ୍ୟାଳୟ, ମନ୍ଦିର ଉନ୍ନତି, ଡ୍ରେନେଜ ସଫେଇ, ଫେଭର ବ୍ଲକ ରାସ୍ତା ଓ ବ୍ଲକ ମୁଖ୍ୟାଳୟର ସୌନ୍ଦର୍ଯ୍ୟକରଣ ଭଳି କାର୍ଯ୍ୟ ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଗତ ଦୁଇ ବର୍ଷରେ ବିଭିନ୍ନ ଗାଁରେ ପ୍ରାୟ ୭୦ ପ୍ରତିଶତ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ କେତେକ ସ୍ଥାନରେ ୮୦ ପ୍ରତିଶତ ପର୍ଯ୍ୟନ୍ତ କାମ ଆଗେଇଛି। ଅର୍ଥାତ୍‌, ଯେଉଁ କାମଗୁଡ଼ିକ ଦିନେ ଆରମ୍ଭ ହୋଇ ‘କେବେ ସରିବ’ ବୋଲି ପ୍ରଶ୍ନ ଛାଡ଼ି ଯାଇଥିଲା, ସେଗୁଡ଼ିକ ଏବେ ଧୀରେ ଧୀରେ ଶେଷ ଆଡ଼କୁ ଯାଉଛି। ବନ୍ଧୁଗାଁ ପଞ୍ଚାୟତର ମାଉସୀମା ମନ୍ଦିର ପରିସରରେ ଫେଭର ବ୍ଲକ ଓ ମେଟାଲ କଂକ୍ରିଟ କାମ, କୁମ୍ଭାରୀପୁଟରେ ସୁଭଦ୍ରା ମିଶନ ଶକ୍ତି ଗୃହ, ବନ୍ଧୁଗାଁ ବିଦ୍ୟାଳୟରେ ନୂତନ ଶୌଚାଳୟ, ବିଲାମାଳରେ ଶ୍ରେଣୀଗୃହ, ଗାରିଡ଼ିରେ ନୂତନ କୋଠା, ଆଲମଣ୍ଡାରେ ୧୦୦ ଛାତ୍ରଙ୍କ ପାଇଁ ଛାତ୍ରାବାସ ଏବଂ ବନ୍ଧୁଗାଁ ପଞ୍ଚାୟତରେ ନୂତନ ବୈଠକ ଗୃହ ନିର୍ମାଣ ଭଳି କାମ ଆଗେଇଛି। ସେହିପରି ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ଓ ଶୌଚାଳୟ, କୁମ୍ଭାରୀପୁଟରେ ପ୍ରାୟ ୮ ବର୍ଷ ଧରି ଅଧାପନ୍ତରା ହୋଇ ପଡ଼ିଥିବା ଅଙ୍ଗନବାଡ଼ି କେନ୍ଦ୍ରର ନିର୍ମାଣ, ପାଲକା ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ, ଗାରିଡ଼ିରେ ତିରନାଥ ମନ୍ଦିର ଓ ବିଦ୍ୟାଳୟରେ ୫-ଟି ଅଧୀନରେ ଅତିରିକ୍ତ ଶ୍ରେଣୀଗୃହ ଭଳି କାର୍ଯ୍ୟ ମଧ୍ୟ ହୋଇଛି। କେ.ଗୁରୁଷିରେ ବିଜିବିଓ ପାଚେରି, ମେକଡ଼ାରେ ପୋଷାକ ପରିବର୍ତ୍ତନ ଗୃହ, ବଡ଼ ସରପୋଲି ହାଟରେ ଦୋକାନ ଉନ୍ନତି, କାଟ୍ରାଗଡ଼ାରେ ଡିଏମଏଫ୍‌ ଅର୍ଥରେ ସିସି ରାସ୍ତା, ଦାଶିନୀ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ଓ ରୋଷେଇ ଘର ନିର୍ମାଣ ଭଳି କାମ ମଧ୍ୟ ବିଭିନ୍ନ ପଞ୍ଚାୟତରେ ହୋଇଛି।
ତଥାପି ବନ୍ଧୁଗାଁର କଲ୍ୟାଣ ମଣ୍ଡପ ଏବେ ମଧ୍ୟ ଅଧାପନ୍ତରା ଅବସ୍ଥାରେ ରହିଛି। ବର୍ଷ ବର୍ଷ ଧରି ଏହାର ନିର୍ମାଣ ଶେଷ ହୋଇନଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସରକାର ଯଦି ଆବଶ୍ୟକ ଅର୍ଥ ବରାଦ କରନ୍ତି, ତେବେ ଅଧାରେ ଅଟକିଥିବା ଏହି କାମଟି ମଧ୍ୟ ସମ୍ପୂର୍ଣ୍ଣ ହେବ ବୋଲି ବନ୍ଧୁଗାଁବାସୀ ଆଶା ପ୍ରକାଶ କରିଛନ୍ତି। ଏବେ ପ୍ରଶ୍ନ ହେଉଛି—ବର୍ଷ ବର୍ଷ ଧରି ଯେଉଁ କାମଗୁଡ଼ିକ ଅଧାରେ ପଡ଼ିରହିଥିଲା, ସେଗୁଡ଼ିକ ଯଦି ଦୁଇ ବର୍ଷରେ ଆଗକୁ ବଢ଼ିପାରୁଛି, ତେବେ ପୂର୍ବରୁ ସେଗୁଡ଼ିକ କାହିଁକି ଏମିତି ପଡ଼ିରହିଥିଲା—ଏହି ପ୍ରଶ୍ନ ଏବେ ସ୍ୱାଭାବିକ ଭାବେ ଉଠୁଛି। ବିକାଶର ଗତି ଆହୁରି ବଢ଼ିଲେ ୧୩ ପଞ୍ଚାୟତର ଅବଶିଷ୍ଟ କାମଗୁଡ଼ିକ ମଧ୍ୟ ଶୀଘ୍ର ଶେଷ ହେବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ