ଶଯ୍ୟାଶାୟୀ ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ସହାୟତା ଯୋଗାଇ ଦେବାକୁ ନିବେଦନ

ଚିତ୍ରକୋଣ୍ଡା, (ଡଃ ଶିବ ନାରାୟଣ ପାତ୍ର): ସ୍କୁଲ ଯିବା, ଖେଳିବା ବୁଲିବା ବୟସରେ ଘର ବାରଣ୍ଡାରେ ଦୀର୍ଘ ମାସ ହେବ ଶଯ୍ୟାଶାୟୀ ହୋଇ ପଡ଼ିରହିଛନ୍ତି ସନ୍ତୋଷ ମୁଦୁଲି। ପେଟପାଟଣା ପାଇଁ ପ୍ରତିଦିନ ବିଭିନ୍ନ କାର୍ଯ୍ୟରେ ମୂଲ ଲାଗୁଥିବା ଫୁଲମତି ମୁଦୁଲି ଅର୍ଥାଭାବରୁ ଦୀର୍ଘମାସ ହେବ ସାନପୁଅ ସନ୍ତୋଷର ଚିକିତ୍ସା କରିପାରୁନାହାନ୍ତି। ପୁଅର ଚିକିତ୍ସା ପାଇଁ ସରକାରୀ ସହାୟତା ପାଇଁ ମା’ ଫୁଲମତି ଆକୁଳ ନିବେଦନ କରିଛନ୍ତି । ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ୍ ଯନ୍ତ୍ରୀ ପଞ୍ଚାୟତ ଅଧୀନ ଧାକଡ଼ପଦର ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ସୂଚନା ଥାଉକି, ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଉପଦ୍ରବ ଯୋଗୁ ଫୁଲମତିଙ୍କ ପରିବାର ସେଠାରୁ ବିତାଡ଼ିତ ହୋଇ ଚିତ୍ରକୋଣ୍ଡାକୁ ପଳାଇ ଆସିଥିଲେ।
ଫୁଲମତି ଙ୍କ ପରିବାର କହିଲେ ୨ ପୁଅ ଗୋଟିଏ ଝିଅ। ଝିଅର ବିବାହ ହୋଇଯିବା ପରେ ସେ ଏବେ ୨ ପୁଅଙ୍କ ସହ ଚିତ୍ରକୋଣ୍ଡା ସଦରରେ ଥିବା ଦିଡାଇ ବିଶ୍ରାମ ଗୃହରେ ଜୀବନ ଅତିବାହିତ କରୁଛନ୍ତି। ଭଙ୍ଗାଘରେ ବିପଦସଂକୁଳ ଅବସ୍ଥାରେ ରହୁଛନ୍ତି ପରିବାର ଲୋକେ। ଗତ ୪ ମାସ ତଳେ ସାନପୁଅ ସନ୍ତୋଷ ଆମ୍ବ ତୋଳିବାକୁ ଜଙ୍ଗଲକୁ ଯାଇ ଗଛରୁ ପଡିଯିବା ପରେ ତାଙ୍କର ବାମ ହାତର କହୁଣି ପାଖରେ ଆଘାତ ଲାଗିଥିଲା। ସେହି ସମୟରେ ଫୁଲମତି ତାଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ପୁଅର ଚିକିତ୍ସା କରାଇଥିଲେ। ହେଲେ ସେଠାରେ ଦୀର୍ଘଦିନ ଧରି ଚିକିତ୍ସା ପରେ ମଧ୍ୟ ସନ୍ତୋଷଙ୍କ ହାତ ଠିକ୍ ହୋଇ ନଥିଲା। ଉଚ୍ଚ ଚିକିତ୍ସା ନିମନ୍ତେ ସନ୍ତୋଷଙ୍କୁ କୋରାପୁଟରେ ଥିବା ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥିଲେ। ହେଲେ କୋରାପୁଟ ହସ୍ପିଟାଲ କୁ ନେବା ପାଇଁ ଫୁଲମତି ଙ୍କ ପାଖରେ ଟଙ୍କା ପଇସା ନଥିବା ଯୋଗୁଁ ସେ ନିରୁପାୟ ହୋଇ ପୁଅକୁ ମାଲକାନଗିରି ମେଡିକାଲରୁ ଘରକୁ ନେଇ ଆସିଥିଲେ। ଏବେ ପୁଅ ଶଯ୍ୟାଶାୟୀ ହୋଇ ଘରେ ପଡି ରହିଛନ୍ତି। ଫୁଲମତି ଦିନ ମଜୁରିଆ ଭାବେ କାମ କରି ଘର ଚଳାଉଥିବା ବେଳେ ପୁଅର ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ। ପୁଅର ଉନ୍ନ‌ତ ଚିକିତ୍ସା ପାଇଁ ଭଗବାନଙ୍କ ନିକଟରେ ଗୁହାରି କରିଛନ୍ତି ମାଁ ଫୁଲମତି। ଏଥିସହ ପ୍ରଶାସନ ପକ୍ଷରୁ ସେମାନଙ୍କୁ ରହିବା ପାଇଁ ଏକ ବାସଗୃହ ଯୋଗାଇଦେବାକୁ ନେହୁରା ହୋଇଛନ୍ତି। ଏ ସମ୍ପର୍କରେ ସଦର ଚିତ୍ରକୋଣ୍ଡାର ସମିତି ସଭ୍ୟ ରାଜ କମଲ ପୁରୋହିତ କହିଛନ୍ତି, ଏ ସମ୍ପର୍କରେ ଜାଣିବା ପରେ ସେ ତାଙ୍କ ଘରକୁ ଯାଇ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ। ସନ୍ତୋଷଙ୍କ ଚିକିତ୍ସା କିପରି କରାଯାଇପାରିବ ସେ ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ଏବଂ ସେମାନଙ୍କ ରହିବା ପାଇଁ ସରକାରଙ୍କ ପକ୍ଷରୁ ଏକ ଘର ଯୋଗାଇଦେବାକୁ ବ୍ଲକ୍ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବେ ବୋଲି କହିଥିଲେ। ଏ ସମ୍ପର୍କରେ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ରାଜେଶ୍ଵରୀ ଖିଲ ଙ୍କୁ ପଚାରିବାରୁ ସେ କହିଛନ୍ତି, ସନ୍ତୋଷଙ୍କ ଚିକିତ୍ସା ପାଇଁ ସେ ସ୍ବାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଏବଂ ଜିଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରି ତାଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦେବା ପାଇଁ ସମସ୍ତ ପ୍ରକାର ପଦକ୍ଷପ ଗ୍ରହଣ କରାଯିବ ବୋଲି ଶ୍ରୀ ପୁରୋହିତ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ