ସ୍ନେହୀ ସମାଜର ସମ୍ବର୍ଦ୍ଧନା ଉତ୍ସବ
ଭୁବନେଶ୍ୱର,: ସ୍ନେହୀ ସମାଜ, ଭୁବନେଶ୍ୱର ଆନୁକୂଲ୍ୟରେ ସ୍ଥାନୀୟ କଳ୍ପନା ଛକସ୍ଥିତ ସ୍ନେହୀ ସଦନରେ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା । ଏହି ସଭାରେ ବଲାଙ୍ଗୀର ଜିଲ୍ଲାର ପ୍ରଥମ କରି କ୍ୟାବିନେଟ ମନ୍ତ୍ରୀ ଭାବରେ ମହିଳା, ଶିଶୁକଲ୍ୟାଣ ଓ ମିଶନ ଶକ୍ତି ବିଭାଗର ମାନନୀୟା ମନ୍ତ୍ରୀ ଟୁକୁନି ସାହୁ ଅନ୍ୟ ସମ୍ମାନିତ ଅତିଥିମାନଙ୍କ ମଧ୍ୟରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଓ ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁଙ୍କୁ ୨୦୧୯ ନିର୍ବାଚନରେ ସଫଳତା ପାଇଁ ସଭ୍ୟାମାନଙ୍କର ହୁଳହୁଳି ଓ ଶଙ୍ଖଧ୍ୱନୀ ମାଧ୍ୟମରେ ସ୍ୱାଗତ କରାଯିବା ସହିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମସ୍ତ ଅତିଥିମାନଙ୍କୁ ଉପଢ଼ୌକନ, ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା । ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଅର୍ଘ୍ୟ ସମର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ସ୍ନେହୀ ସମାଜର ସଭାପତି ତଥା ପୂର୍ବତନ ବିଶିଷ୍ଟ ଖେଳାଳି ଓ ଅଭିନେତା ବିଶ୍ୱନାଥ ସୁବୁଦ୍ଧି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ସ୍ନେହୀ ସମାଜର ଗଠନମୂଳକ କାର୍ଯ୍ୟକଳାପ ସମ୍ପର୍କରେ ସୂଚନା ଦେଇଥିଲେ ଓ ବଲାଙ୍ଗୀର ଜିଲ୍ଲାର ପ୍ରଥମ ମହିଳା ମନ୍ତ୍ରୀ ଭାବେ ମାନନୀୟା ଟୁକୁନି ସାହୁ ଆମ ରାଜ୍ୟ ପାଇଁ ଗର୍ବ ଓ ଗୌରବ ବୋଲି ମତ ରଖିଥିଲେ । ମନ୍ତ୍ରୀ ଟୁକୁନି ସାହୁ ସ୍ନେହୀ ସମାଜର କାର୍ଯ୍ୟକଳାପ ଉପରେ ସନ୍ତୋଷ ବ୍ୟକ୍ତ କରିବା ସହିତ ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିବାରୁ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ବକ୍ତବ୍ୟରେ କହିଥିଲେ ଯେ ମହିଳା, ଶିଶୁ ଓ ରାଜ୍ୟର ସମସ୍ତଙ୍କ ପାଇଁ ବିକାଶର ଧାରା ଯେପରି ପହଞ୍ଚି ପାରିବ ସେ ବିଷୟରେ ସେ ସଚେତନ ଅଛନ୍ତି । ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସ୍ନେହୀସମାଜ ବହୁ ବର୍ଷ ହେଲା ସମାଜସେବାରେ ଲିପ୍ତ ରହି ମହତ କାର୍ଯ୍ୟମାନ କରିଆସୁଛି । ଏହାର କାର୍ଯ୍ୟଧାରାକୁ ପ୍ରଶଂସା କରିବା ସହିତ ଗଠନମୂଳକ ସହଯୋଗ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ଅତିଥିମାନେ ମତ ରଖିଥିଲେ ଯେ, ଦୀନବନ୍ଧୁ ସ୍ନେହୀ ସମାଜର ପ୍ରାଣ ପ୍ରତିଷ୍ଠାତା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୀନବନ୍ଧୁ ସାହୁଙ୍କ ମହାନ ଚିନ୍ତାଧାରାକୁ ଆଗକୁ ବ୍ୟାପକ ଭାବେ ବୃଦ୍ଧି କରାଯିବ । ତାଙ୍କ ଅବିସ୍ମରଣୀୟ ଚିନ୍ତାଧାରାର ପଟାନ୍ତର ନାହିଁ ବୋଲି ମତଦେଇଥିଲେ । ଅନୁଷ୍ଠାନର ସାଧାରଣ ସମ୍ପାଦକ ଡକ୍ଟର ଅନନ୍ତ ଚରଣ ସାହୁ, ପୂର୍ବତନ ନିର୍ଦ୍ଦେଶକ ଆଦିବାସୀ ଭାଷା ଓ ସଂସ୍କୃତି ବିଭାଗ ସ୍ନେହୀ ସମାଜର ବହୁମୂଖୀ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ । ଅତିଥି ପରିଚୟ ପ୍ରଦାନ କରିଥିଲେ ଜଗତପୁର କଲେଜର ପ୍ରାଧ୍ୟାପକ ଡ ରାଜନ କୁମାର ସାହୁ । ଶେଷରେ ଅନୁଷ୍ଠାନର ବୀଣାପାଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତୈଳିକ ଜାତିର ବିଭିନ୍ନ ପଦପଦବୀରେ ଥିବା ବହୁ ବ୍ୟକ୍ତି ଯୋଗଦେବା ସହିତ ବୁଦ୍ଧିଜୀବୀ, ସମାଜସେବୀ, ସାମାଜିକ ସଂଗଠନ ଯୋଗଦେଇଥିଲେ ।


