ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଚାଉଳ ଚୋରା ଚାଲାଣ ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ରାଣୀପେଣ୍ଠ ପଞ୍ଚାୟତରେ ସ୍ଵୟଂ ସହାୟକ ଗୋଷ୍ଠି ଦ୍ଵାରା ପିଡିଏସ୍ ଚାଉଳ ଚୋରା ଚାଲାଣ କରାଯାଉଥିବା ଅଭିଯୋଗ ହୋଇଛି । ଏହି ଚାଉଳ ଗୁଡିକୁ ଏକ ଅଟୋ ଯୋଗେ ନିଆଯାଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡରେପଡି ଯାଇଥିବା ଏବଂ ଏହାକୁ ନେଇ ଯୋଗାଣ ନିରୀକ୍ଷକଙ୍କ ନିକଟରେ ଅଭିଯୋଗ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, କାଶୀ ବିଶ୍ଵନାଥ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଗ୍ରାମ ପଞ୍ଚାୟତ ପିଡିଏସ୍ ଚାଉଳ ତଥା ଖାଉଟି ସାମଗ୍ରୀ ବାଣ୍ଟିବା ଦାୟିତ୍ଵ ନେଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ କାଶୀ ବିଶ୍ଵନାଥ ସ୍ଵୟଂ ସହାୟକ ଗୋଷ୍ଠୀ ଗତକାଲି ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୧୦ କୁଇଣ୍ଟାଲ ଚାଉଳ ହିତାଧିକାରୀଙ୍କୁ ନ ଦେଇ ବଜାର ରେ ବିକ୍ରି କରୁଥିବା ବେଳେ ଗ୍ରାମ ବାସୀମାନେ ଯୋଗାଣ ବିଭାଗର ଦୃଷ୍ଟି କୁ ଆଣିଥିଲେ । ଗତ କିଛିମାସ ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନାରେ ୩୫କିଗ୍ରା ଚାଉଳ ଦେବା ପରିବର୍ତ୍ତେ ୫କେଜି ଦେଉ ଥିବାରୁ ଗ୍ରାମବାସୀ ତଥା ହିତାଧିକାରୀ ମହଲରେ ଅସନ୍ତୋଷ ବୃଦ୍ଧି ପାଇଥିଲା ବୋଲି ଜଣାଇଛନ୍ତି । ଏହାକୁ ନେଇ ଗ୍ରାମବାସୀ ସଜାଗ ଥିଲେ ଏବଂ ଅଟୋ ଯୋଗେ ଚାଲାଣ ହେଉଥିବା ବେଳେ ଧରି ଦେଇଥିବାର ପ୍ରକାଶ କରିଛନ୍ତି । ଏନେଇ ତୁରନ୍ତ କାଶୀନଗର ଯୋଗାଣ ଅଧିକାରୀଙ୍କ ସମେତ ଅତିରିକ୍ତ ଯୋଗାଣ ଅଧିକାରୀ ମାନସ ରଞ୍ଜନ ପାତ୍ର ଓ ରାୟଗଡ଼ା ଯୋଗାଣ ଅଧିକାରୀ ଘଟଣା ସ୍ଥଳ ରେ ପହଞ୍ଚି ୩ କୁଇନ୍ତାଲ ୫୦କିଗ୍ରା ଚାଉଳ ଜବତ କରି ଗ୍ରାମ ପଞ୍ଚାୟତର ଜିମା ଦେଇଥିବା ଯୋଗାଣ ନିରୀକ୍ଷକ ସଞ୍ଜୟ ମଲ୍ଲିକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଅଟୋ ଚାଳକ ଚାଉଳ ଭର୍ତ୍ତି ଗାଡିଟି ରଖି ଖାଇବାପାଇଁ ଯାଇଥିଲେ ଏବଂ ଇତିମଧ୍ୟରେ ଲୋକେ ଆସି ଧରିଦେଇଥିଲେ ବୋଲି ଯୋଗାଣ ବିଭାଗ ଆଗରେ ପ୍ରକାଶ କରିଥିବାର କୁହାଯାଇଛି । ଏନେଇ ଶ୍ରୀ ମଲ୍ଲିକଙ୍କୁ ପଚାରିବାରେ କହିଛନ୍ତି ଯେ, ଘଟଣା ସମ୍ପର୍କରେ ଖବର ପାଇ ଆମ୍ଭେ ତୁରନ୍ତ ହସ୍ତକ୍ଷେପ କରିଥିଲୁ । ଏ ସମ୍ପର୍କରେ ତଦନ୍ତ ଜାରି ରହିଛି, ଜବତ ହୋଇଥିବା ଚାଉଳ ବସ୍ତା ଅଖା ଗୁଡିକ ବିଭାଗର ନୁହଁ । ତେଣୁ ପ୍ରକୃତ ଘଟଣା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି । ତେବେ ଚାଉଳ ଗୁଡିକୁ ପଞ୍ଚାୟତର ଜିମାରେ ଦିଆଯାଇଛି ଏବଂ ଯାଞ୍ଚଚାଲିଛି ଏହାପରେ ସବୁକିଛି ସ୍ପଷ୍ଟ ହେବ ବୋଲି ପ୍ରକାଶ କରିଛନ୍ତି ।


