ସ୍ୱଦେଶୀ ଭାବେ ବିକଶିତ ସ୍ମାର୍ଟ ଆଣ୍ଟି-ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ବିମାନ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁ ସେନା ପକ୍ଷରୁ ସ୍ୱଦେଶୀ ଭାବେ ବିକଶିତ ସ୍ମାର୍ଟ ଆଣ୍ଟି-ଏୟାରଫିଲ୍ଡ ଯୁଦ୍ଧାସ୍ତ୍ରର ବିମାନ ପରୀକ୍ଷଣ ସଫଳ ହୋଇଛି। ଉପଗ୍ରହ ଦିଗ ନିର୍ଣ୍ଣୟ ଏବଂ ଇଲେକ୍ଟ୍ରୋ ଅପ୍ଟିକାଲ ସେନ୍ସର ଉପରେ ଦୁଇଟି ଭିନ୍ନ ଭିନ୍ନ କନ୍ଫିଗୁରେସନର ସଫଳ ପରୀକ୍ଷଣ ସମ୍ପାଦିତ ହୋଇଥିଲା। ଦେଶରେ ପ୍ରଥମ ଥର ପାଇଁ ଏହି ଶ୍ରେଣୀୟ ବୋମାର ପ୍ରଥମ ଇଲେକ୍ଟ୍ରୋ ଅପ୍ଟିକାଲ ଅନ୍ୱେଷଣ ଆଧାରିତ ବିମାନ ପରୀକ୍ଷଣ ସମ୍ପନ୍ନ କରାଯାଇଛି। ଅକ୍ଟୋବର ୨୮, ୨୦୨୧ ଏବଂ ନଭେମ୍ବର ୩, ୨୦୨୧ରେ ରାଜସ୍ଥାନର ଜୈସାଲମେରସ୍ଥିତ ଚନ୍ଦନ ପରୀକ୍ଷଣ ରେଞ୍ଜ ପରିସରରେ ଭାରତୀୟ ବାୟୁ ସେନାର ଏକ ଯୁଦ୍ଧ ବିମାନରୁ ଏହି ଅସ୍ତ୍ର ପରୀକ୍ଷଣ କରାଯାଇଥିଲା। ଏହି ସିଷ୍ଟମର ଇଲେକ୍ଟ୍ରୋ ଅପ୍ଟିକାଲ କନଫିଗୁରେସନ (ବିନ୍ନ୍ୟାସ)ରେ ଇମେଜିଂ ଇନଫ୍ରା-ରେଡ (ଆଇଆଇଆର) ଅନ୍ୱେଷଣ ପ୍ରଯୁକ୍ତି ରହିଛି ଯାହା ଅସ୍ତ୍ରର ସଠିକ ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି କରିଥାଏ। ଉଭୟ ପରୀକ୍ଷଣରେ ନିର୍ଦ୍ଧାରିତ ଲକ୍ଷ୍ୟକୁ ସର୍ବୋଚ୍ଚ ସ୍ତରର ସଠିକତାର ସହିତ ଭେଦ କରାଯାଇପାରିଥିଲା। ଏହି ସିଷ୍ଟମ ସର୍ବାଧିକ ୧୦୦ କିଲୋମିଟର ରେଞ୍ଜ ପର‌୍ୟ୍ୟନ୍ତ ଲକ୍ଷ୍ୟଭେଦ କରିପାରିପାରିବ। ନୂଆ କରି ବ୍ୟବହୃତ ଲଞ୍ଚର୍, ଅସ୍ତ୍ରର ସୁଗମ ନିକ୍ଷେପଣ ଏବଂ ଉତ୍ସର୍ଜନକୁ ସୁନିଶ୍ଚିତ କରିଥିଲା। ଅତ୍ୟାଧୁନିକ ମାର୍ଗଦର୍ଶନ ଓ ନାଭିଗେସନ ଆଲଗୋରିଦମ, ସଫ୍ଟୱେର୍ ଆଶାନୁରୂପ ଲକ୍ଷ୍ୟ ପୂରଣ କରିଥିଲା। ବିମାନ ଯୁଦ୍ଧାସ୍ତ୍ର ନିକ୍ଷେପଣ କରିବା ସମୟରେ ଟେଲିମେଟ୍ରୀ ଓ ଟ୍ରାକିଂ ସିଷ୍ଟମ ଦ୍ବାରା ସମ୍ପୂର୍ଣ୍ଣ ମିଶନକୁ ରେକର୍ଡ କରାଯାଇଥିଲା। ଏହି ମିଶନରେ ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରାଯାଇଥିଲା। ଡିଆରଡିଓ ପରୀକ୍ଷାଗାର ସହଯୋଗ ଏବଂ ଆଇଏଏଫର ବ୍ୟାପକ ସହାୟତା ବଳରେ ରିସର୍ଚ୍ଚ ସେଣ୍ଟର ଇମାରତ (ଆରସିଆଇ) ଦ୍ବାରା ସ୍ମାର୍ଟ ଆଣ୍ଟି ଏୟାରଫିଲ୍ଡ ଯୁଦ୍ଧାସ୍ତ୍ର ବିକଶିତ କରାଯାଇଛି। ଗୁଣବତ୍ତା ଏବଂ ଡିଜାଇନ ପ୍ରାମାଣିକରଣ ଏଜେନ୍ସିମାନେ ଏହାର ବିକାଶରେ ଉଲ୍ଲେଖନୀୟ ଯୋଗଦାନ ଦେଇଥିବା ବେଳେ ବେଙ୍ଗାଲୁରୁସ୍ଥିତ ହିନ୍ଦୁସ୍ତାନ ଏରେନେଟିକ୍ସ ଲିମିଟେଡ (ଏଚଏଏଲ) ଯୁଦ୍ଧାସ୍ତ୍ରକୁ ବିମାନ ସହିତ ସଂଯୋଗ କରିଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମନ୍ବିତ ପଦକ୍ଷେପ ପାଇଁ ଡିଆରଡିଓ, ଆଇଏଏଫ ଏବଂ ମିଶନ ସହ ଜଡ଼ିତ ଟିମକୁ ପ୍ରଶଂସା କରିଛନ୍ତି। ବିକାଶ ଓ ପରୀକ୍ଷଣ ଦଳକୁ ପ୍ରଶଂସା କରି ପ୍ରତିରକ୍ଷା ଗବେଷଣା ଓ ବିକାଶ ବିଭାଗ ସଚିବ ଏବଂ ଡିଆରଡିଓ ଅଧ୍ୟକ୍ଷ ଡ. ଜି. ସତୀଶ ରେଡ୍ଡୀ କହିଛନ୍ତି ଯେ, ଏହି ଯୁଦ୍ଧାସ୍ତ୍ରର ପ୍ରଦର୍ଶନ ଏବଂ ବିଶ୍ବସନୀୟତା ପ୍ରମାଣିତ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ