ସ୍ୱର୍ଗତ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଥିଲେ ଆକାଶବାଣୀର ଦିପ୍ତିମନ୍ତ ପ୍ରତିଭା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବରିଷ୍ଠ ସାମ୍ବାଦିକ, କେନ୍ଦ୍ର ସରକାରଙ୍କ ପୂର୍ବତନ ଉପମହାନିର୍ଦ୍ଦେଶକ, ସମାଜସେବୀ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ସ୍ୱେଚ୍ଛାସେବୀ ସଂଗଠନ ନାରାୟଣ ସେବା ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରର ବୈଷ୍ଣୋ ବିହାର, ସୁନ୍ଦରପଦାସ୍ଥ ପିପୁଲ୍ ଫର୍ ସେବା ଜରାଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ଶିବ ନାରାୟଣ ମିଶ୍ରଙ୍କ ପୌରୋହିତ୍ୟରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ତ୍ରିପାଠୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତି ବର୍ଷ ନାରାୟଣ ସେବା ଫାଉଣ୍ଡେସନ୍ ପକ୍ଷରୁ ପାଳିତ ହୋଇଆସୁଛି । ବିଗତ ଛ’ଅ ବର୍ଷ ଭିତରେ ରକ୍ତଦାନ ଶିବିର, ଅସହାୟମାନଙ୍କୁ ଖାଦ୍ୟ ଓ ବସ୍ତ୍ର ବଂଟନ ଭଳି ମହତ୍ କାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ଉକ୍ତ ଷଷ୍ଠ ଶ୍ରାଦ୍ଧବାର୍ଷିକୀ ଅବସରରେ ଫାଉଣ୍ଡେସନ୍ ତରଫରୁ ଭୁବନେଶ୍ୱରର ବୈଷ୍ଣୋ ବିହାର, ସୁନ୍ଦରପଦାସ୍ଥ ପିପୁଲ୍ ଫର୍ ସେବା ଜରାଶ୍ରମରେ ରହୁଥିବା ଅସହାୟ ବୃଦ୍ଧବୃଦ୍ଧାମାନଙ୍କ ଗହଣରେ ସ୍ୱର୍ଗତ ତ୍ରିପାଠୀଙ୍କ ସ୍ମୃତି ଚାରଣ କରାଯାଇଥିଲା । ଏହି ସ୍ମୃତି ଚାରଣ କାର୍ଯ୍ୟକ୍ରମରେ ଓଡ଼ିଆ ଖବରକାଗଜ ରଣଭୂଇଁର ସଂପାଦକ ବ୍ରଜବନ୍ଧୁ ପରିଡ଼ା ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱର୍ଗତ ତ୍ରିପାଠୀଙ୍କୁ ଜଣେ ଅମାୟିକ ଓ ନିଷ୍ଠାପର ବ୍ୟକ୍ତିଭାବେ ବର୍ଣ୍ଣନା କରିଥିଲେ । ସଂଗଠନର ସଂପାଦିକା ସମିତା ମହାରଣା ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱର୍ଗତ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଜଣେ ନିଷ୍ଠାପର, ସଚ୍ଚୋଟ ଓ ମେଳାପି ବ୍ୟକ୍ତିତ୍ୱ ଥିଲେ । ସରକାରୀ ଚାକିରୀ ସହିତ ସମାଜସେବା ଥିଲା ତାଙ୍କର ଅନ୍ୟତମ ପରିଚୟ । ସଂଗଠନର ପ୍ରତିଷ୍ଠାତା ସୀତାଂଶୁ ଶେଖର ମହାରଣା ସ୍ୱର୍ଗତ ତ୍ରିପାଠୀଙ୍କୁ ଜଣେ ସର୍ବକାଳୀନ ମହାନ୍ ବ୍ୟକ୍ତିତ୍ୱଭାବେ ଚିତ୍ରଣ କରିଥିଲେ । ତାଙ୍କ ବିୟୋଗରେ ଭାରତସରକାର ଜଣେ ସଚ୍ଚୋଟ ସରକାରୀ କର୍ମଚାରୀଙ୍କୁ ହରାଇଛି ବୋଲି ଶ୍ରୀ ମହାରଣା କହିଥିଲେ । ଶେଷରେ ସ୍ୱର୍ଗତ ତ୍ରିପାଠୀଙ୍କ ପୁତୁରା ତଥା ସଂଗଠନର ସଦସ୍ୟ ଅରବିନ୍ଦ ତ୍ରିପାଠୀ ନିଜ କାକାଙ୍କୁ ସ୍ମରଣ କରି ତାଙ୍କର ସମସ୍ତ ସୁଗୁଣ ବିଷୟରେ ଆଲୋକପାତ କରିଥିଲେ । ସେ ନିଜ ବକ୍ତବ୍ୟରେ କହିଥିଲେ ଯେ ସ୍ୱର୍ଗତ ତ୍ରିପାଠୀ କେବଳ ଜଣେ ସଚ୍ଚୋଟ କର୍ମଚାରୀ ନଥିଲେ ସେ ଭଲ ମଣିଷ ଥିଲେ । ମଣିଷପଣିଆ କାହାକୁ କୁହାଯାଏ ତାଙ୍କଠାରୁ ଶିଖିବା କଥା ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ଏହି ଅବସରରେ ଜରାଶ୍ରମରେ ରହୁଥିବା ଅସହାୟ ବୃଦ୍ଧବୃଦ୍ଧାମାନଙ୍କୁ ଚାଉଳ, ଚିନି, ଆଳୁ, ଚୁଡ଼ା ଆଦି ଶୁଖିଲା ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା ଅନୁଷ୍ଠାନର ପ୍ରତିଷ୍ଠାତା ସମାଜସେବୀ ସୀତାଂଶୁ ଶେଖର ମହାରଣା କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଦୀପକ, ବିକାଶ, ମୁନା ଓ ମଦନ ମୋହନ ପାଢୀ ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ