ସ୍ୱାଧିନତା ଦିବସ ଉପଲକ୍ଷେ ରୋଟାରୀ କ୍ଲବ୍, ବାଲେଶ୍ୱରର ବିଭିନ୍ନ କାର୍ଯ୍ୟକ୍ରମ
ବାଲେଶ୍ୱର, (ସରୋଜ ପଣ୍ଡା) :୭୬ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରୋଟାରୀ କ୍ଲବ୍, ବାଲେଶ୍ୱର ତରଫରୁ ବିଭିନ୍ନ ଜନହିତକର ଓ ସେବାଧର୍ମୀ କାର୍ଯ୍ୟକ୍ରମ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭.୩୦ରେ କ୍ଲବ୍ର ପୌଷ୍ୟଗ୍ରାମ ଶ୍ରୀକୋଣା ମୌଜାରେ ଜାତୀୟ ପତାକା ଉତ୍ତୋଳନ ସହ କୁନିକୁନି ପିଲା ଓ ଅଞ୍ଚଳବାସୀଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । କ୍ଲବ୍ ସଂପାଦକ ସୁଖମୟ ଦାସ ପତାକା ଉତ୍ତୋଳନ କରି ପୂର୍ବପୁରୁଷଙ୍କ ତ୍ୟାଗର ଗାଥା ବିଷୟରେ ସମସ୍ତଙ୍କୁ ସୂଚାଇଥିଲେ । ପରେପରେ କ୍ଲବ୍ ତରଫରୁ ମିଶନ୍ କମ୍ପାଉଣ୍ଡ୍ରେ ଅବସ୍ଥିତ ଅନ୍ଧ-ମୂକ-ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଜଳଖିଆ ପ୍ରଦାନ କରାଯାଇଥିଲା । ୯ ଘଟିକାରେ କ୍ଲବ୍ ପରିସରରେ ସଭାପତି ଇଂ. ସୌରଭ ବେହେରା ଜାତୀୟ ପତାକା ଉତ୍ତୋଳନ କରି ସଂକ୍ଷିପ୍ତ ଭାଷଣ ମାଧ୍ୟମରେ ଉପସ୍ଥିତମାନଙ୍କୁ ଦେଶପ୍ରେମରେ ଉଦ୍ବୁଦ୍ଧ କରିଥିଲେ । ପରେ ଚାନ୍ଦମାରିପଡ଼ିଆ ଠାରେ କ୍ଲବ୍ ତରଫରୁ ବୃକ୍ଷ ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପରିବେଶ ସୁରକ୍ଷା, ବିଭିନ୍ନ ବୃକ୍ଷ ଓ ଚାରାରୋପଣର ଆବଶ୍ୟକତା ସମ୍ପର୍କରେ ଅଞ୍ଚଳବାସୀ ଓ ସ୍ୱେଚ୍ଛାସେବୀଙ୍କୁ କର୍ମକର୍ତ୍ତାମାନେ ସୂଚନା ଦେଇଥିଲେ । ଏଥିସହିତ ରାଣୀପାଟଣାସ୍ଥିତ ଅନ୍ଧ-ମୂକ-ବଧିର ବିଦ୍ୟାଳୟରେ ରୋଟାରୀର ସଭ୍ୟ ସଭ୍ୟା ଉପସ୍ଥିତ ହୋଇ ଦିବା ୧୨ଟାରେ କୁନିକୁନି ଛାତ୍ରଛାତ୍ରୀମାନଙ୍କୁ ଅନ୍ନପୂର୍ଣ୍ଣା ଭୋଜିରେ ଅପ୍ୟାୟିତ କରିଥିଲେ । ଦିବ୍ୟାଙ୍ଗ କୋଟାରେ ଓଡ଼ିଶାରୁ ଏକମାତ୍ର ଖେଳାଳୀ ଭାବେ ଜାତୀୟସ୍ତରରେ ଫୁଟବଲ ଖେଳିବାପାଇଁ ମନୋନୀତ ହୋଇଥିବାରୁ ଛାତ୍ରୀ ପଦ୍ମିନୀ ଟୁଡୁଙ୍କୁ କ୍ଲବ୍ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜସେବୀ ତଥା ‘ରେବତୀ’ ପତ୍ରିକାର ସଂପାଦିକା ସୁବାସିନୀ ଜେନା, ବିଦ୍ୟାଳୟର ପ୍ରିନ୍ସିପାଲ୍ ଦିବାକର ସ’, ପି.ଇ.ଟି. ପ୍ୟାରୀମୋହନ ଭୂୟାଁ ଓ ଶିକ୍ଷକମାନେ ଉକ୍ତ ସଭାରେ ଉପସ୍ଥିତ ଥିଲେ । ଅପରାହ୍ନ ୩.୩୦ରେ ଜିଲ୍ଲା ବାର୍ ଏସୋସିଏସନ୍, ହଲ୍ ନଂ-୨ରେ କ୍ଲବ୍ ଦ୍ୱାରା ପାନୀୟଜଳ (ପ୍ୟୁରୀଫାଏ) ପ୍ରକଳ୍ପକୁ ବିଚାରବିଭାଗୀୟ ରେଜିଷ୍ଟର ରଂଜନ କୁମାର ପ୍ରଧାନ, ବାର ଏସୋସିଏସନ୍ର ସଭାପତି ମନୋଜ ନାୟକ, ସମ୍ପାଦକ ସୀତାଂଶୁ ନନ୍ଦୀ, ପରିଚାଳକ ଶଶିକାନ୍ତ ପ୍ରଧାନ, କ୍ଲବ୍ ସଭାପତି ଇଂ. ସୌରଭ ବେହେରା, ସମ୍ପାଦକ ସୁଖମୟ ଦାସ ଓ ସଭ୍ୟସଭ୍ୟାଙ୍କ ଉପସ୍ଥିତିରେ ଏକ ସଂକ୍ଷିପ୍ତ ସଭା ମାଧ୍ୟମରେ ଉଦ୍ଘାଟିତ କରାଯାଇଥିଲା । ଦିବସବ୍ୟାପୀ ସମସ୍ତ କାର୍ଯ୍ୟକ୍ରମରେ ରୋକ୍ଟ୍ରାକ୍ଟ, ଇନର୍ହ୍ୱିଲ୍ ସେଚ୍ଛସେବୀଙ୍କ ସହ ବହୁ ସଂଖ୍ୟାରେ ରୋଟାରିୟାନ୍ ଉପସ୍ଥିତ ଥିଲେ ।


