ହରିଆଣାରେ ବିଜେପିକୁ ପୁଣି କ୍ଷମତାସୀନ କରାଇଥିବା ନେତା ହେଉଛନ୍ତି ଅନୁରାଗ ଠାକୁର
ଚଣ୍ଡିଗଡ଼: ହରିଆଣାରେ ବିଜେପି ଓ ଜେଜେପି ମେଣ୍ଟ ସରକାର ଗଢ଼ିବାର ୪୮ ଘଣ୍ଟା ମଧ୍ୟରେ ଗତକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମନୋହର ଲାଲ ଖଟ୍ଟର । ହରିଆଣାର ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କ ଉପସ୍ଥିତରେ ଶପଥ ଗ୍ରହଣ କରିଛନ୍ତି ଖଟ୍ଟର । ତେବେ, ଏହି ଶପଥ ପାଠ ଉତ୍ସବରେ ଜେଜେପି ଦଳର ଦୁଷ୍ୟନ୍ତ ଚୌତାଲା ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ହେଲେ ଆପଣ କଣ ଜାଣନ୍ତି କି, ଏହି ଭାରତୀୟ ଜନତା ପାର୍ଟି (ବିଜେପି) ଓ ଜନନାୟକ ଜନତା ପାର୍ଟି (ଜେଜେପି) ମେଣ୍ଟ ଗଠନରେ ସବୁଠାରୁ ବଡ଼ ଭୂମିକା କାହାର? ସେ ହେଉଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର । ଏବେ ଜାଣନ୍ତୁ ପୁରା ଘଟଣା ସଂପର୍କରେ । ଅନୁରାଗ ଏବଂ ଦୁଷ୍ୟନ୍ତ ଚୌତାଲା ଦୁହେଁ ପଡୋଶୀ ଏବଂ ଭଲ ବନ୍ଧୁ ବୋଲି କୁହାଯାଉଛି । ହରିୟାଣାରେ ସଙ୍କଟ ଦୂର କରିବାଲାଗି ନିଜେ ଅନୁରାଗ ପ୍ରଥମେ ଦୁଷ୍ୟନ୍ତଙ୍କ ୧୮ ଜନପଥସ୍ଥିତ ବାସଭବନରେ ପହଞ୍ଚିଥିଲେ । ସେଠାରେ ଦୁହିଁଙ୍କ ଭିତରେ କିଛି ମିନିଟର କଥାବାର୍ତ୍ତାପରେ ଦୁଷ୍ୟନ୍ତ ଅନୁରାଗଙ୍କୁ ନେଇ ନିଜ କାରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଘରେ ପହଞ୍ଚିଥିଲେ । ଏହାର କିଛି ସମୟପରେ ବିଜେପି-ଜେଜେପି ମେଣ୍ଟ ଘୋଷଣା ହୋଇଥିଲା ।


