ହାଇକୋର୍ଟ ବିଚାରପତିଙ୍କ ଜିଲ୍ଲା ଜଜକୋର୍ଟ ପରିଦର୍ଶନ
କେନ୍ଦ୍ରାପଡା : ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଶତୃଘ୍ନ ପୂଜାହାରୀ ଶନିବାର କେନ୍ଦ୍ରାପଡା ଜିଲ୍ଲା ଜଜକୋର୍ଟ ପରିଦର୍ଶନରେ ଆସି ନବ ନିର୍ମିତ ଜିଲ୍ଲା ଜଜକୋର୍ଟ କାର୍ଯ୍ୟାଳୟକୁ ବୁଲି ଦେଖିଥିଲେ । ବିଚାରପତି ପୁଜାହାରୀଙ୍କ ସହିତ ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର (ତନକ୍ଷୀ ଓ ତଦନ୍ତ) ପି. କେ. ପାତ୍ର ମଧ୍ୟ ଆସିଥିଲେ । କେନ୍ଦ୍ରାପଡା ଜିଲ୍ଲା ଜଜ କୋର୍ଟ ଅତିରିକ୍ତ ଜିଲ୍ଲା ଜଜ କୋର୍ଟ ଓ ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ କୋର୍ଟର ତନକ୍ଷୀ କାର୍ଯ୍ୟ ସାରିବା ପରେ ନବ ନିର୍ମିତ ଜିଲ୍ଲା ଜଜକୋର୍ଟ କାର୍ଯ୍ୟାଳୟ ପରିସରକୁ ଯାଇ କାର୍ଯ୍ୟାଳୟ ବୁଲି ଦେଖିଥିଲେ । ଆବଶ୍ୟକତା ଅନୁଯାଇ ସମସ୍ତ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି କି ନାହିଁ ଏବଂ ଆଉ କି କି କାର୍ଯ୍ୟ ବକେୟା ରହିଛି ସେ ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ ଜିଲ୍ଲାଜଜ ବାସୁଦେବ ପଣ୍ଡାଙ୍କ ସହିତ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାଜଜ ପ୍ରଜ୍ଞା ପାଣିଗ୍ରାହୀ, ପରିବାର ଅଦାଲତ ଜଜ ରେଖା ପ୍ରସାଦ, ସିଭିଲ କୋର୍ଟ ରେଜିଷ୍ଠ୍ରାର ବିଶ୍ୱରଞ୍ଜନ ବେହେରା, ଜିଲ୍ଲା ଜଜକୋର୍ଟର ଶିରସ୍ତାଦାର ଶରତ କୁମାର ଦାସ, କୋର୍ଟ ମ୍ୟାନେଜର ସୁପ୍ରିତି ପଟ୍ଟନାୟକଙ୍କ ସମେତ କୋର୍ଟ ଷ୍ଟାଫମାନେ ଉପସ୍ଥିତ ଥିଲେ ।


