ହେବନି +୩ ଓ ପିଜି ସେମିଷ୍ଟାର ପରୀକ୍ଷା, ବିନା ପରୀକ୍ଷାରେ ସବୁ ପାଶ୍
ଭୁବନେଶ୍ୱର : କରୋନା ପାଇଁ ଶିକ୍ଷା କ୍ଷେତ୍ର ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । +୩ ଓ ପିଜି ସେମିଷ୍ଟାର ପରୀକ୍ଷା ମଧ୍ୟ ହୋଇପାରିନାହିଁ । ପୁଣି ପରୀକ୍ଷା ପାଇଁ ସମୟ ମଧ୍ୟ ନାହିଁ । ଏହାକୁ ଆଖି ଆଗରେ ରଖି +୩ର ଦ୍ୱିତୀୟ ଓ ଚତୁର୍ଥ ସେମିଷ୍ଟାର ପରୀକ୍ଷା କରାଯିବ ନାହିଁ । ସେହିପରି ସ୍ନାତକୋତ୍ତର ଶ୍ରେଣୀର ଦ୍ୱିତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ହେବନାହିଁ । ଅପରପକ୍ଷରେ +୩ର ଷଷ୍ଠ ସେମିଷ୍ଟାର ଫାଇନାଲ ପରୀକ୍ଷା ଏବଂ ସ୍ନାତକୋତର ଶ୍ରେଣୀର ଚତୁର୍ଥ ସେମିଷ୍ଟାର ଫାଇନାଲ ପରୀକ୍ଷା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କରାଯିବ । ସେହିପରି ପ୍ରଥମ ଥର ପାଇଁ +୩ ଏବଂ ପିଜି ପାଠ୍ୟକ୍ରମର ୨୫% ସ୍ୱୟଂ ଅଧ୍ୟୟନ ମାଧ୍ୟମରେ କରାଯିବ । ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କୁଳପତିମାନଙ୍କ ସହ ବୈଠକ କରିଥିଲେ । ଏହି ଅବକାଶରେ ପରୀକ୍ଷା ପରିଚାଳନା, ପରୀକ୍ଷା ଫଳ ପ୍ରକାଶନ, ଛାତ୍ରଛାତ୍ରୀମାନଙ୍କ ନାମଲେଖା ଏବଂ ଶିକ୍ଷାଦାନ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ଉକôଳ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଖଲିକୋଟ ବିଶ୍ୱବିଦ୍ୟାଳୟ ଓ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଲୋକସଭା ଭବନ ଠାରେ ଅନୁଷ୍ଠିତ ବୈଠକରେ ଉପସ୍ଥିତ ଥିବାବେଳେ ଅନ୍ୟ କୁଳପତିମାନେ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ ।


