ହେଲପିଂ ସୋସାଇଟି ପକ୍ଷରୁ ରିକ୍ସା ଚାଳକଙ୍କୁ କମ୍ବଳ ବଣ୍ଟନ
ବାଲେଶ୍ୱର, (ସରୋଜ ପଣ୍ଡା) : ଜୱାଦ ବତ୍ୟା ଜନିତ ବର୍ଷା ପରେ ଏବେ ଧୀରେ ଧୀରେ ଶୀତର ପ୍ରକୋପ ବୃଦ୍ଧିକୁ ଦୃଷ୍ଟିରେ ରଖି ବାଲେଶ୍ୱରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ହେଲପିଙ୍ଗ ସୋସାଇଟି’ ପକ୍ଷରୁ ସହରର ରିକ୍ସା ଚାଳକମାନଙ୍କୁ କମ୍ବଳ ପ୍ରଦାନ କରାଯାଇଛି । ସ୍ଥାନୀୟ ଜାତୀୟ ରାଜପଥ ଡାକବଙ୍ଗଳା ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ରେବତୀ ପତ୍ରିକାର ସମ୍ପାଦିକା ସମାଜସେବୀ ସୁବାସିନୀ ଜେନା ଯୋଗଦେଇ ରିକ୍ସା ଚାଳକମାନଙ୍କୁ କମ୍ବଳ ବଣ୍ଟିିବା ସହ ଗରିବ ଅସହାୟମାନଙ୍କ ପାଇଁ ଯୁବଗୋଷ୍ଠୀଙ୍କ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ । ଶୀତର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ରିକ୍ସା ଟାଣି ପରିବାର ପ୍ରତିପୋଷଣ କରୁଥିବା ଗରିବମାନଙ୍କୁ ଖଣ୍ଡିଏ ଖଣ୍ଡିଏ କମ୍ବଳ ପ୍ରଦାନ ନିଷ୍ପତ୍ତି ବାସ୍ତବିକ ସ୍ୱାଗତଯୋଗ୍ୟ ବୋଲି ସେ ମତ ପ୍ରକାଶ କରିଥିଲେ । ଯୁବନେତା ବିକ୍ରମ ପଣ୍ଡା, ସଞ୍ଜୀବ ଦାସ, ଶ୍ରମିକନେତା ଅରୁଣ ସ୍ୱାଇଁ, ଯୁବ ସଂଗଠକ ସାହିରୁଲ ହକ, ଛାତ୍ରନେତା ତଥା ହେଲପିଙ୍ଗ ସୋସାଇଟିର ଉପଦେଷ୍ଟା ସିମନ ଦାସମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସଂଗଠନର କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇଥିଲେ । ତେବେ ଆଗାମୀ ଦିନରେ ସହରର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଗରିବ ଏବଂ ଅସହାୟ ବ୍ୟକ୍ତିଙ୍କୁ ମଧ୍ୟ ସଂଗଠନ ପକ୍ଷରୁ ଯଥାସାଧ୍ୟ ସାହାଯ୍ୟ ସହଯୋଗ ପାଇଁ ଅତିଥିମାନେ ପରାମର୍ଶ ଦେଇଥିଲେ । ହେଲପିଙ୍ଗ ସୋସାଇଟିର ସଭାପତି ହ୍ରିତିକ ନାୟକ ଏଥିରେ ନେତୃତ୍ୱ ନେବା ସହ ସଙ୍ଗଠନର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ଶେଖ ନଜିମ, ଜୀବନ ସଂଗ୍ରାମ ମିଶ୍ର, ସୁମିତ କର, ଦିବ୍ୟ ରଞ୍ଜନ ଦାସ, ପ୍ରିନ୍ସ ଆର୍ୟନ, ଅରୂପ ସାହୁ, ରଜତ ଘଢେଇ, ସତ୍ୟଜିତ, ରୁଦ୍ର, ସୁଧାଂଶୁ, ଆଶିଷ, ପଙ୍କଜ, ସରସ୍ୱତୀ, କିରନ ଜ୍ୟୋତି, ସ୍ମୃତି, ସୋନାଲି, ୟାଶିକା, ପୁଜା ପ୍ରମୁଖ ସଂଗଠନର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶୀତବସ୍ତ୍ର ପ୍ରଦାନ କରିଥିଲେ । ସଂଗଠନର ଏତାଦୃଶ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।


