କଳାକାର ଭତ୍ତା ପାଇଁ ଦକ୍ଷତା ଭିତ୍ତିକ ମନୋନୟନ ପ୍ରକ୍ରିୟା ଆରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା) : ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇବାକୁ ଆବେଦନ କରିଥିବା ବିଭିନ୍ନ ବର୍ଗର କଳାକାରଙ୍କୁ ନେଇ ଏକ ମନୋନୟନ ପ୍ରକ୍ରିୟା ସ୍ଥାନୀୟ ଗାନ୍ଧୀସ୍ମୃତିି ଭବନ ପରିସରରେ ଶନିବାର ଉଦଘାଟିତ ହୋଇଯାଇଛି । ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ଦକ୍ଷତା ପରୀକ୍ଷା ବା ଅଡ଼ିସନରେ ଅଂଶଗ୍ରହଣ କରିଥିବା କଳାକାରଙ୍କୁ ଶୁଭଚ୍ଛୋ ଜଣାଇଥିଲେ । ବୟସ ଅତିକ୍ରାନ୍ତ କଳାକାରଙ୍କ ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶାରେ ଆରମ୍ଭ ହୋଇଥିବା ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ଯୋଜନା ରାଜ୍ୟ ସରକାରଙ୍କ ଐତିହାସିକ ନିଷ୍ପତ୍ତି ବୋଲି ସେ କହିଥିଲେ । ଏବେ ଦ୍ୱିତୀୟ ପର୍ଯ୍ୟାୟ କଳାକାର ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଆଗାମୀ ଦିନରେ ନିୟମିତ ବ୍ୟବଧାନରେ ଏହା ଜାରି ରହିବ ବୋଲି ସେ ସୂଚନା ଦେଇଥିଲେ । ଜିଲା ସଂସ୍କୃତି ଅଧିକାରୀ ଅନନ୍ତ କୁମାର ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଏହି ଚୟନ ପ୍ରକ୍ରିୟା ଜାରି ରହିବ । ମୁଖ୍ୟମନ୍ତ୍ରୀ କଳାକାର ଭତ୍ତା ପାଇଁ ଜିଲାର ୧୨ ଗୋଟି ବ୍ଲକ, ୩ ଗୋଟି ପୌରପାଳିକା ଓ ୨ ଗୋଟି ଏନଏସିରୁ ମୋଟ୭,୮୬୬ଜଣ ଆବେଦନ କରିଥିଲେ । ଆଜି ପ୍ରଥମ ଦିନରେ ସଦର ବ୍ଳକ, ବାଲେଶ୍ୱର ପୌପାଳିକା, ନୀଳଗିରି ବ୍ଲକ ଓ ନୀଳଗିରି ଏନଏସିରୁ ୪୪୨ଜଣ ଆବେଦନକାରୀଙ୍କ ଅଡ଼ିସନ କରାଯାଇଥିବା ଜିଲା ସଂସ୍କୃତି ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଛନ୍ତି । ଏହି ଦକ୍ଷତା ପରୀକ୍ଷା କାର୍ଯ୍ୟକ୍ରମରେ ଯାତ୍ରା ଅଭିନେତା ସମରେନ୍ଦ୍ର କୁମାର ପଣ୍ଡା, ଜ୍ଞାନପ୍ରିୟ କାନୁନଗୋ, ଶତ୍ରୁଘ୍ନ ସାମଲ ପ୍ରମୁଖ ବିଚାରକ ଭାବେ ଦାୟତ୍ୱ ତୁଲାଇଥିଲେ । କଳାକାରଙ୍କୁ ଭତ୍ତା ପ୍ରଦାନ କରିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଅଡ଼ିସନକୁ ଆସିଥିବା କେତେକ କଳାକାର କହିଛନ୍ତି । ତେବେ ଓଡ଼ିଶାର ଅନ୍ୟାନ୍ୟ ଜିଲା ତୁଳନାରେ ବାଲେଶ୍ୱରରେ କଳାକାର ସଂଖ୍ୟା ଅଧିକ ଥିବା ବେଳେ ଭତ୍ତା ପାଇଁ ଅଧିକ ସଂଖ୍ୟକ କରାକାରଙ୍କୁ ଚୟନ କରିବା ଆବଶ୍ୟତା ଅଛି ବୋଲି ସେମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ