୧୦ ବର୍ଷ ହେଲା ପଡିନି ପିଚୁ, ରାସ୍ତା ଖୋଳି ତାଡି ସ୍ୱେରେଜ ବିଭାଗ ଫେରାର
ଭୁବନେଶ୍ୱର,(ୱାଇଏନ୍ଏସ୍): ସ୍ମାର୍ଟ ନଗରୀ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ସରକାରଙ୍କ ଭିନ୍ନ ଭିନ୍ନ ବିଭାଗ ପକ୍ଷରୁ ଜଣ କଲ୍ୟାଣ କାର୍ଯ୍ୟ ଜାରି ରହିଛି | ସେଥି ମଧ୍ୟରୁ ଅଧିକାଂଶ ବିଭାଗ ବେପରୁଆ ଢଙ୍ଗରେ କାର୍ଯ୍ୟ କରି ଜନସାଧାରଣଙ୍କୁ ଘୋର ସମସ୍ୟା ଭିତରକୁ ଠେଲି ଦେଉଥିବା ଦେଖିବାକୁ ମିଳୁଛି | ଯାହାର ନଗ୍ନ ନମୁନା ଦେଖିବାକୁ ମିଳିଛି ରାଜଧାନୀ ୬୩ ନମ୍ବର ୱାଡ଼ରେ ଜାଗମରାରୁ ବରାବରୀକୁ ମୁଖ୍ୟ ରାସ୍ତା ସଂଯୋଗ କରୁଥିବା ରାସ୍ତା ଅବସ୍ଥା ନ କହିବା ଭଲ | ୧୦ ବର୍ଷ ହେଲା ରାସ୍ତାରେ ପଡିନି ପିଚୁ | ଆଜିକୁ ଅଢେଇ ବର୍ଷ ତଳେ ସ୍ୱେରେଜ ବିଭାଗ ଉକ୍ତ ରାସ୍ତାଟିକୁ ଖୋଳି ତାଡିବା ଫଳରେ ଜାଗମରାରୁ ବରାବରୀ ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ରାସ୍ତାରେ ଜନଜୀବନ ବିପନ୍ନ ହୋଇପଡିଛି | ବର୍ଷ ଦିନରେ କାଦୁଅ ପଙ୍କରେ ଘାଣ୍ଟି ହୋଇ ଜନସାଧାରଣ ନାହିଁ ନଥିବା ଯନ୍ତ୍ରଣା ଭୋଗ କରୁଛନ୍ତି | ଖରା ଓ ସୀତା ଦିନରେ ଧୂଳି ଉଡି ଜନବସତି ଗୁଡିକ ପ୍ରଦୂଷଣ ଭିତରକୁ ଠେଲି ହୋଇଯାଉଛି | ଏହାସହ ଡ୍ରେନ ଅବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ଥ | ଯଦ୍ୱାରା ମଇଳା ପାଣି ନିଷ୍କାସିତ ନହୋଇ ପାରିବା ଯୋଗୁ ପରିବେଶ ପୁର୍ତ୍ତିଗନ୍ଧମୟ | ରାସ୍ତା ମରାମତି ପାଇଁ ସ୍ଥାନୀୟ କର୍ପୋରେଟରଙ୍କୁ ବାସିନ୍ଦା ମାନେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ ମାଟି ମୁଠାଏ ପଡ଼ିପାରିଲା ନାହିଁ | ଏନେଇ ସ୍ଥାନୀୟ ବରାବରୀ ଡେଭଲପ୍ମେଣ୍ଟ କମିଟି ଓ ନବଜ୍ୟୋତି କ୍ଳବର ସଦସ୍ୟ ନୀଳକଣ୍ଠ ଦାସ, ଦିଲ୍ଲୀପ କୁମାର ମହାନ୍ତି, ତ୍ରିଲୋଚନ ମହନ୍ତ, ସଂଗ୍ରାମ କେଶରୀ ସାହୁ ,କୃଷ୍ଣଚନ୍ଦ୍ର ଦାସ, ଦାମୋଦର ପାତିଆରି, ଲୋକନାଥ ଲେଙ୍କା, ସୁଦାମ ସାହୁ, ବିକ୍ରମ କେଶରୀ ରାଉତ, ପ୍ରମୁଖ ଏହି ରାସ୍ତାଟି ଯଥାଶିଘ୍ର ମରାମତି କରିବାପାଇଁ ବିବିଭାଗ କର୍ତ୍ତୃପକ୍ଷଙ୍କୁ ଏକ ପ୍ରେସ ବିବୃତିରେ ଏକ ଦାବି କରିଛନ୍ତି |


