ଆମେ ଏଠି ବହୁ ମୂଲ୍ୟବାନ୍ ସାମଗ୍ରୀ ସମ୍ପର୍କରେ ଆଲୋଚନା କରିଛୁ। କିନ୍ତୁ ଯାହାକୁ ପାଦରେ ପିନ୍ଧାଯାଏ, ତାହାର ଦାମ୍ ୧୦୦ କୋଟିରୁ ଊର୍ଦ୍ଧ୍ବ ହେବ ତାହା ସମସ୍ତଙ୍କ ଭାବନାର ବାହାରେ ହୋଇଥିବ। ଗହଣା ଏବଂ ପୋଷାକ ଭଳି ଜୋତା ମଧ୍ୟ ଆଭିଜାତ୍ୟର ଏକ ଅଂଶ ବିଶେଷ। ତେଣୁକରି ତ କୁହାଯାଏ ଜଣେ ବ୍ୟକ୍ତିଙ୍କ ପ୍ରକୃତ ବ୍ୟକ୍ତିତ୍ୱ ସେ ପିନ୍ଧିଥିବା ଜୋତାରୁ ଜଣାଯାଏ। ତେବେ ଦାମୀ ଗହଣା, ଦାମୀ ପୋଷାକ ଭଳି ପୃଥିବୀର ସବୁଠାରୁ ଦାମୀ ଜୋତା ଏବେ ପ୍ରଦର୍ଶିତ ହୋଇଛି ଦୁବାଇଠାରେ, ଯାହାର ମୂଲ୍ୟ ରହିଛି ୧୭ ମିଲିୟନ ଆମେରିକୀୟ ଡଲାର ଅର୍ଥାତ ୧୨୩ କୋଟି ଟଙ୍କା। ୟୁଏଇ ସ୍ଥିତ ବ୍ରାଣ୍ଡ ଜଡା ଦୁବାଇ ଏବଂ ପ୍ୟାଶନ ଜୁଏଲର୍ସର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ କରାଯାଇଥିବା ଏହି ଲଗ୍ଜୁରୀ ଜୋତାରେ ହୀରା ଏବଂ ସୁନାର ବ୍ୟବହାର କରାଯାଇଛି। ୧୦୦ରୁ ଅଧିକ ହୀରାଖଚିତ ଏହି ଜୋତାରେ ଦୁଇଡି ଦୁର୍ଲଭ ହୀରା ମଧ୍ୟ ଲଗାଯାଇଛି। କେବଳ ସେତିକି ନୁହେଁ, ଏହି ଜୋତା ଭିତରେ ଥିବା ଦୁଇଟି କମ୍ପାନୀର ଲୋଗୋ ମଧ୍ୟ ପ୍ରସ୍ତୁତ ହୋଇଛି ସୁନାରେ।