ଘୁଷୁରୀ ଓ ମାଙ୍କଡ଼ ମିଶାଇ ତିଆରି ହେଲା ନୂଆ ଜୀବ
ବିଜ୍ଞାନ ଦ୍ବାରା ଅନେକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରାଯାଇପାରୁଛି। ଯାହାକୁ ପ୍ରମାଣ କରିଦେଖାଇପାରିଛନ୍ତି ଚୀନର ବୈଜ୍ଞାନିକମାନେ। ସେମାନେ ନିଜର ଟେକନିକ ଦ୍ୱାରା ସାରା ବିଶ୍ଵର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏଥର ଚୀନର ବୈଜ୍ଞାନିକମାନେ ମାଙ୍କଡ଼ ଓ ଘୁସୁରୀଙ୍କର ଜିନରୁ ଏକ ନୂଆ ପ୍ରଜାତିର ପଶୁ ସୃଷ୍ଟି କରିଛନ୍ତି । ଏହାକୁ ମାଙ୍କଡ-ଘୁଷୁରୀ ପ୍ରଜାତି ବୋଲି ନାମ ଦିଆଯାଇଛି । ମିଡ଼ିଆ ରିପୋର୍ଟ ଅନୁଯାୟୀ ଘୁଷୁରୀର ଛୁଆଙ୍କ ଠାରୁ ନିଆଯାଇଥିବା ହାର୍ଟ, ଲିଭର ଓ ସ୍କିନରେ ମାଙ୍କଡ ମାନଙ୍କର ଟିସୁ ରଖାଯାଇଛି । ଘୁଷୁରୀଙ୍କର ଏହି ଦୁଇଟି ଛୁଆ ଷ୍ଟେଟ ସେଲ ବା ପ୍ରଜନନ ଜୀବବିଜ୍ଞାନର ପ୍ରୟୋଗଶାଳାରେ ଜନ୍ମ ନେଇଥିଲେ କିନ୍ତୁ ଗୋଟିଏ ସପ୍ତାହ ମଧ୍ୟରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା ।
ସୂଚନା ଅନୁଯାୟୀ ବେଜିଙ୍ଗର ଷ୍ଟେଟ ସେଲର ପ୍ରମୁଖ ପ୍ରୟୋଗଶାଳା ଏବଂ ପ୍ରଜନନ ଜୀବବିଜ୍ଞାନର ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଏହା ସମ୍ପୂର୍ଣ୍ଣ ଭାବେ ମାଙ୍କଡ-ଘୁଷୁରୀଙ୍କର ପ୍ରଥମ ରିପୋର୍ଟ ଅଟେ । ଯେଉଁଥିରେ ପାଞ୍ଚଦିନର ପିଗଲେଟ ଭ୍ରୂଣଠାରେ ମାଙ୍କଡର ଷ୍ଟେମ୍ କୋଷିକା ରଖାଯାଇଥିଲା । ଏହି ପରୀକ୍ଷାରୁ ଜଣା ପଡିଥିଲା ଯେ କୋଷିକାଗୁଡିକ କେଉଁଠି ସମାପ୍ତ ହୋଇଛି । ଯଦିଓ ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ ଯେ ଦୁଇ ମାଙ୍କଡ-ଘୁଷୁରୀଙ୍କ ପ୍ରଜାତିର କାହିଁକି ମୃତ୍ୟୁ ହୋଇଥିଲା । ତେବେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଆଇବିଏଫ ପ୍ରକ୍ରିୟାରେ କୌଣସି ପ୍ରକାର ସମସ୍ୟା ଯୋଗୁଁ ଏମାନଙ୍କର ମୃତ୍ୟୁ ହୋଇଥାଇପାରେ । ଦୁଇବର୍ଷ ପୂର୍ବେ ସ୍ପେନିସ ବୈଜ୍ଞାନିକ ୟୁଆନ କାର୍ଲସ ଏପରି ଏକ ପ୍ରୟାସ କରିଥିଲେ ଯାହାକୁ ଆଗକୁ ବଢାଇବା ପାଇଁ ଚୀନର ତାଙ୍ଗ ହାଇ ଏବଂ ତାଙ୍କର ଟିମ ଏପରି ଏକ ପରୀକ୍ଷଣ ଆରମ୍ଭ କରିଥିଲେ । ସେମାନେ ଆନୁବଂଶିକ ରୂପେ ସଂଶୋଧିତ ମାଙ୍କଡ଼ କୋଷିକା ଗୁଡିକୁ ୪୦୦୦ରୁ ଅଧିକ ଘୁସୁରୀଙ୍କ ଭ୍ରୂଣରେ ଛାଡି ଦେଇଥିଲେ । ଏହାପରେ ଜନ୍ମ ନେଇଥିବା ଘୁଷୁରୀ ପିଲାମାନଙ୍କଠାରେ ମାତ୍ର ଦୁଇଟି ହାଇବ୍ରିଡ଼ ପ୍ରଜାତି ଦେଖାଯାଇଥିଲା । ତେବେ ସେମାନଙ୍କର ହାର୍ଟ, ଲିଭର, ଫୁସଫୁସ ଏବଂ ସ୍କିନର କୋଷିକା ଗୁଡିକ ଆଂଶିକ ଭାବେ ମାଙ୍କଡର କୋଷିକା ସହ ମିଶି ସୃଷ୍ଟି ହୋଇଥିଲା । ସୂଚନା ଅନୁଯାୟୀ ୨୦୧୭ ମସିହା ଜାନୁଆରୀ ମାସରେ ସାକ ଇନଷ୍ଟିଚ୍ୟୁଟରେ ବୈଜ୍ଞାନିକମାନେ ମଧ୍ୟ ଏକ ମଣିଷ-ଘୁଷୁରୀ ଭ୍ରୂଣ ପ୍ରସ୍ତୁତ କରିଥିଲେ କିନ୍ତୁ ୨୮ ଦିନପରେ ତାର ମୃତ୍ୟୁ ହୋଇଯାଇଥିଲା ।


