‘‘ଛୋଟ ବେଳେ ନନ୍ ହେବା ପାଇଁ ଇଚ୍ଛା ଥିଲା”
ଶୀର୍ଷକଟିକୁ ପଢ଼ି ଆପଣମାନେ ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ । ଆଉ ହେବେ ନି ବା କାହିଁକି । ବଲିଉଡ୍ ଅଭିନେତ୍ରୀ ଜାକ୍ଲିନ୍ ଫର୍ଣ୍ଣାନ୍ଦିଜ୍, ଯିଏ କି ଶ୍ରୀଲଙ୍କାର ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାର ବିଜୟିନୀ ହୋଇଥିଲେ । ତାଙ୍କର ପୁଣି ଏଭଳି ଇଚ୍ଛା ଥିଲା । ହଁ, ସେ ଛୋଟ ବେଳେ ଅଭିନେତ୍ରୀ ନୁହେଁ, ବରଂ ନନ୍ ହେବା ପାଇଁ ଚାହୁଁଥିଲେ । ଏହି ସିଂହଳ ସୁନ୍ଦରୀ ଜଣକ ଏକ ଟକ୍ ଶୋ’ରେ ଏପରି ଖୁଲାସା କରି ଚମକାଇ ଦେଇଛନ୍ତି ନିଜର ଫ୍ୟାନ୍ଙ୍କୁ । ନେହା ଧୂପିଆଙ୍କ ଟକ୍ ଶୋ’ ‘ନୋ ଫିଲ୍ଟର ନେହା’ରେ ଏଥର ଏହି ସିଂହଳ ସୁନ୍ଦରୀ ଅତିଥି ଭାବେ ଆସିଥିଲେ । ଏହି ଶୋ’ରେ ସେ ଏହି କଥାର ଗୁମର ମଧ୍ୟ ଫିଟାଇଛନ୍ତି । ଏହି ସୋ’ ଡିସେମ୍ବର ୩ରେ ଟେଲିକାଷ୍ଟ ହୋଇଥିଲା । ସେ କହିଛନ୍ତି, “ମୁଁ ଏକ କନ୍ଭେଣ୍ଟ ସ୍କୁଲରେ ପାଠ ପଢ଼ୁଥିଲି, ଯାହା ନନ୍ମାନଙ୍କ ଦ୍ୱାରା ଚାଳିତ ହେଉଥିଲା । ଜଣେ ଶିଶୁ ଭାବେ ଆପଣ ଯାହାକୁ ଦେଖିଥାନ୍ତି, ତାଙ୍କୁ ହିଁ ଅନୁସରଣ କରିଥାନ୍ତି ଏବଂ ପ୍ରଭାବିତ ମଧ୍ୟ ହୋଇଥାନ୍ତି । ମୁଁ ମଧ୍ୟ ପ୍ରଭାବିତ ହୋଇଥିଲି । ମୁଁ ସର୍ବଦା ସ୍କୁଲ ଏବଂ ଚର୍ଚ୍ଚ ଯାଉଥିଲି ଏବଂ ସେଠାରେ ପ୍ରାର୍ଥନା ମଧ୍ୟ କରୁଥିଲି ଏବଂ ପରେ ଯେତେବେଳେ ପୁଅଙ୍କ ସଂସ୍ପର୍ଶରେ ଆସିଲି, ନନ୍ ହେବା ମୋ ପକ୍ଷେ ସମ୍ଭବପର ନୁହେଁ ବୋଲି ମୁଁ ଅନୁଭବ କଲି ।” ଜ୍ୟାକ୍ଲିନ୍ଙ୍କ ଆଗାମୀ ପ୍ରୋଜେକ୍ଟ ମଧ୍ୟରେ ରହିଛି ‘ଆଟାକ୍’ । ଏଥିରେ ସେ ଜନ୍ ଆବ୍ରାହମ୍ଙ୍କ ଅପୋଜିଟ୍ରେ ନଜର ଆସିବେ । ସେହିପରି ସଲମାନଙ୍କ ଅଭିନୀତ ‘ରାଧେ’ ଫିଲ୍ମରେ ମଧ୍ୟ ସେ ଏଣ୍ଟ୍ରି କରିଛନ୍ତି । ଏଥିରେ ସେ ଏକ ଆଇଟମ୍ ସଙ୍ଗ୍ରେ ନଜର ଆସିବେ ।


