୨ରୁ ବିଜେପି କରିବ ଗାନ୍ଧୀ ସଂକଳ୍ପ ପଦଯାତ୍ରା

ଭୁବନେଶ୍ୱର : ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଅକ୍ଟୋବର ୨ ତାରିଖରୁ ବିଜେପି ପକ୍ଷରୁ ଦେଶବ୍ୟାପୀ ଗାନ୍ଧୀ ସଂକଳ୍ପ ପଦଯାତ୍ରା ଆରମ୍ଭ ହେବ । ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି ପଦଯାତ୍ରା ୧୫ ଦିନ ଧରି ଚାଲିବ । ପଦଯାତ୍ରା ଅବସରରେ ଗାନ୍ଧୀଜୀଙ୍କ ବାର୍ତ୍ତା ସ୍ୱଦେଶୀ, ସ୍ୱଚ୍ଛତା, ସ୍ୱରାଜ, ସ୍ୱାବଲମ୍ବୀ, ସରଳ ଜୀବନ ଯାପନ, ଜଳ ସଂରକ୍ଷଣ, ନିଶା ନିବାରଣ ଆଦି ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯିବ ବୋଲି ବିଜେପି ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଲେ, ସିଦ୍ଧାନ୍ତ ବିହୀନ ରାଜନୀତି, ପରିଶ୍ରମ ବିହୀନ ଧନ ଉପାର୍ଜନ, ବିବେକ ବିହୀନ ସୁଖପ୍ରାପ୍ତି, ଚରିତ୍ର ବିହୀନ ଜ୍ଞାନ, ସଦାଚାର ବିହୀନ ବ୍ୟବସାୟ, ସମ୍ବେଦନା ବିହୀନ ବିଜ୍ଞାନ ଓ ତ୍ୟାଗ ବିହୀନ ଉପାସନା ଆଦି ୭ଟି ସାମାଜିକ ପାପରୁ ନିବୃତ ରହିବା ପାଇଁ ସମାଜକୁ ଆହ୍ୱାନ ଦିଆଯାଇଛି । ଦଳର ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ଓ ସମସ୍ତ କାର୍ଯ୍ୟକର୍ତ୍ତା ଏହି ପଦଯାତ୍ରାରେ ସାମିଲ ହେବେ । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨ ତାରିଖରେ କଟକର ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମତି ପୀଠରୁ ପଦଯାତ୍ରା ଆରମ୍ଭ କରିବେ । ଏହି ଅବସରରେ ସେ ସାଧାରଣ ଲୋକଙ୍କୁ ଭେଟିବା ସହ ସାଧାରଣ ସଭାକୁ ସମ୍ବୋଧନ କରିବେ । ଦୁର୍ଗା ପୂଜା କାରଣରୁ ପଦଯାତ୍ରା ୨ ତାରିଖରେ ଆରମ୍ଭ ହୋଇ ସାମୟିକ ଭାବେ ସ୍ଥଗିତ ରଖାଯିବ । ପୁନଶ୍ଚ ଅକ୍ଟୋବର ୧୧ ତାରିଖରୁ ଅନୁଷ୍ଠିତ ହେବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ