୩୫ଜଣ ବିଦେଶ ଫେରନ୍ତା ସମଗ୍ର ଜିଲ୍ଲାରେ କ୍ୱାରେଣ୍ଟାଇନ୍ରେ ୨୧ ଶହରୁ ଉର୍ଦ୍ଧ୍ୱ ରହିଛନ୍ତି
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାକୁ ବର୍ତ୍ତମାନ ସୁଦ୍ଧା ୩୫ଜଣ ବିଦେଶରୁ ଫେରି ଆସିଛନ୍ତି । ଭାରତର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ଭାବେ କାର୍ଯ୍ୟ କରୁଥିବା ୨୬୧୭ ଜଣ ଗଜପତି ଜିଲ୍ଲାକୁ ଫେରିଛନ୍ତି । ଏହାଛଡା ସମଗ୍ର ଜିଲ୍ଲାରେ ୨୧ ଶହରୁ ଉର୍ଦ୍ଧ୍ୱ ଲୋକଙ୍କୁ ହୋମ୍ କ୍ୱାରେଣ୍ଟାଇନ୍ରେ ରଖାଯାଇଛି । କିନ୍ତୁ କୌଣସି ଲୋକର ସ୍ୱାବ୍୍ ପରୀକ୍ଷା ପାଇଁ ପଠାଯାଇନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ଗୁନୁରାଣୀ ପଟ୍ଟନାୟକ ଏହି ସୁଚନା ଦେଇଛନ୍ତି । ଗଜପତି ଜିଲ୍ଲାର ଅନେକ ଲୋକ ଦାଦନ ଖଟିବା ପାଇଁ କେରଳ,ତାମିଲନାଡୁ,ମହାରଷ୍ଟ୍ର,ତେଲେଙ୍ଗାନା ଆଦି ବିଭିନ୍ନ ରାଜ୍ୟକୁ ଯାଉଛନ୍ତି । ସେଠାରେ ବିଭିନ୍ନ ବେସରକାରୀ କମ୍ପାନୀରେ କାର୍ଯ୍ୟ କରୁଛନ୍ତି । ତେବେ କିଛିଦିନ ହେଲା କରୋନା ଭୟରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ଗାଁ ମୁହାଁ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏଭଳି ପ୍ରାୟ ୨୬୧୭ ଜଣ ଲୋକ ଜିଲ୍ଲାକୁ ଫେରିଛନ୍ତି । ସେମାନଙ୍କ ସମ୍ପର୍କରେ ଖବର ପାଇ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସେମାନଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ହୋମ୍ କ୍ୱାରେଣ୍ଟାଇନ୍ରେ ରହିବାକୁ ପରାମର୍ଶ ଦେଇଛି । ହେଲେ, ସେମାନେ ପ୍ରକୃତରେ ଏହା କରୁଛନ୍ତି କି ନାହିଁ, ସେ ନେଇ ମଧ୍ୟ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ନଜର ରଖିଥିବା ସିଡିଏମ୍ଓ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାକୁ ୩୫ଜଣ ବାହାର ଦେଶରୁ ଆସିଥିବା ବେଳେ ବଳକା ବିଭିନ୍ନ ରାଜ୍ୟରୁ ଆସିଥିବା ସେ କହିଛନ୍ତି । ଏ ସମସ୍ତଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୀକ୍ଷଣ ଦୃଷ୍ଟି ରଖିଛନ୍ତି । ସାରା ଜିଲ୍ଲାରେ ପ୍ରଶାସନ ଓ ପୋଲିସ ତରଫରୁ କରୋନା ପ୍ରଭାବରୁ ଲୋକଙ୍କୁ ସୁରକ୍ଷା ରଖିବା ପାଇଁ ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଏସପି ସାରା ଶର୍ମାଙ୍କ ତତ୍ୱାବଧାନରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ସମଗ୍ର ଜିଲ୍ଲାରେ ପୋଲିସ ବ୍ୟବସ୍ଥାକୁ ଦ୍ୱିଗୁଣିତ କରାଯାଇଛି । ଜିଲ୍ଲାବାସୀଙ୍କୁ ନିଜନିଜର ଘର ମଧ୍ୟରେ ସୁରକ୍ଷିତ ଭାବେ ରହିବା ପାଇଁ ବ୍ୟାପକ ସଚେତନ ଓ ଅନୁରୋଧ କରାଯାଉଛି । ଗଜପତି ଜିଲ୍ଲାରୁ ସମସ୍ତ ଅଞ୍ଚଳକୁ ବସ୍ ଚଳାଚଳ ସହ ସମସ୍ତ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ କରାଯାଇଛି । ପାରଳାଖେମୁଣ୍ଡି ବସ୍ ଷ୍ଟାଣ୍ଡରେ ସମସ୍ତ ବସ୍ ଗୁଡିକ ଅଟକି ରହିଛି ।


