୩ ସନ୍ତାନ ପଲିସିକୁ ଅନୁମତି ଦେଲା ଚୀନ
ନୂଆଦିଲ୍ଲୀ: ସାରା ବିଶ୍ୱରେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପ୍ରୟାସ ଚାଲିଥିବା ବେଳେ ଚାଇନାର ସଂସଦ ବା ଜାତୀୟ ବ୍ୟବସ୍ଥାପିକା ୩ ସନ୍ତାନ ପଲିସିକୁ ଅନୁମତି ଦେଇଛି । ଶାସକ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଏହି ୩ ସନ୍ତାନ ପଲିସିକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ଆଜି ବିଧିବଦ୍ଧ ଭାବେ ଏହି ପ୍ରସ୍ତାବ ଉପରେ ମୋହର ବାଜିଛି । ଏହାର ଅର୍ଥ ଏଣିକି ବାପା ମା’ମାନେ ୩ଟି ସନ୍ତାନର ଜନକ ହୋଇପାରିବେ । ପୂର୍ବରୁ ଚାଇନାରେ ଏକକ ସନ୍ତାନ ବ୍ୟବସ୍ଥା ଥିଲା । ୨୦୧୬ରେ ଏହାକୁ ପରିବର୍ତ୍ତନ କରି ଦୁଇ ସନ୍ତାନ ପଲିସି ଲାଗୁ କରାଯାଇଥିଲା । କି;ୁ ଦିନକୁ ଦିନ ଚାଇନାରେ ଜନ୍ମହାର କମିବାରୁ ସରକାର ଜନସଂଖ୍ୟାକୁ ବୃଦ୍ଧି କରିବା ପାଇଁ ଏବେ ୩ ସନ୍ତାନ ପଲିସି କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚାଇନା ଏବେ ବି ବିଶ୍ୱର ଅଧିକ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ର । ମିଳିଥିବା ସୂଚନା ଅନୁସାରେ, ସଂଶୋଧିତ ଜନସଂଖ୍ୟା ଓ ପରିବାର ଯୋଜନା ଆଇନକୁ ପୂର୍ବରୁ ନ୍ୟାଶନାଲ ପିପୁଲ୍ସ କଂଗ୍ରେସ (ଏନସିପି)ର ଷ୍ଟାଣ୍ଡିଂ କମିଟି ଅନୁମୋଦନ ଦେଇଥିଲା । ଏହି ଆଇନରେ ଅଧିକ ସନ୍ତାନ ଯୋଗୁ ଆର୍ଥିକ ବୋଝର ସମ୍ମୁଖୀନ ହେଉଥିବା ଦମ୍ପତିଙ୍କୁ ସରକାର ସହଯୋଗ କରିବେ । ସେମାନଙ୍କୁ ଆର୍ଥିକ, ଟିକସ, ବୀମା, ଶିକ୍ଷା, ହାଉସିଂ ଓ ନିଯୁକ୍ତି କ୍ଷେତ୍ରରେ ସରକାର ସମସ୍ତ ପ୍ରକାରର ସହାୟତା କରାଯିବ । ୨୦୧୬ରେ ଚାଇନା ଦେଶର ଦମ୍ପତିଙ୍କୁ ଦୁଇ ସନ୍ତାନର ଜନକ ହେବାକୁ ଅନୁମତି ଦେଇଥିଲା । ୨୦୧୬ ପୂର୍ବରୁ ଦେଶରେ ଦୀର୍ଘ ୩ ଦଶନ୍ଧି ଧରି ଏକକ ସନ୍ତାନ ପଲିସି କାର୍ଯ୍ୟକାରୀ ହେଉଥିଲା । ୩ ଦଶନ୍ଧି ଧରି ଏକକ ସନ୍ତାନ ପଲିସି ଲାଗୁ ହେଉଥିବାରୁ ୪୦୦ ନିୟୁତ ଜନ୍ମକୁ ରୋକା ଯାଇ ପାରିଥିଲା । ନିକଟରେ ଚାଇନାର ଜନଗଣନା ନଜରକୁ ଆସିଥିଲା । ଏହି ସମୟରେ ଜନ୍ମହାର କମିବା ସହ ୬୦ରୁ ଅଧିକ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଜଣାପଡ଼ିଥିଲା । ଚାଇନା ସରକାର ନୂଆ ପଲିସି କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ ।


