କରୋନା ଓ ଆତଙ୍କବାଦ ସମାନ : ଜୟଶଙ୍କର
ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ନିଜ ଦଖଲକୁ ନେଇଛି । ହେଲେ ଆଫଗାନବାସୀ ତାଲିବାନ ଶାସନରେ ନରହି ଅନ୍ୟତ୍ର ପଳାଉଛନ୍ତି । ଆଫଗାନିସ୍ତାନରେ ଯେଉଁ ପରିସ୍ଥିତି ଉପୁଜିଛି ସେଥିପାଇଁ ତାଲିବାନ ଉତ୍ତରଦାୟୀ ରହିବ । ହେଲେ ତାଲିବାନଙ୍କୁ ପରଦା ପଛରେ ଯେଉଁମାନେ ଆଫଗାନିସ୍ତାନ ଦଖଲ ପାଇଁ ସହଯୋଗ କରିଛନ୍ତି, ସେମାନଙ୍କୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ବୈଠକରେ ସେ ପାକିସ୍ତାନ ଉଦ୍ଦେଶ୍ୟରେ କଡ଼ା ଚେତାବନୀ ଦେଇଛନ୍ତି । ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, ଆଫଗାନିସ୍ତାନରେ ଯାହା ଘଟୁଛି, ତାହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ । ସ୍ଥାନୀୟ ପରିସ୍ଥିତି ଏବଂ ଅନ୍ତର୍ଜାତୀୟ ସୁରକ୍ଷା ଉଭୟ ଚିନ୍ତାର ବିଷୟ । କିଛି ଲୋକ ଦୋଷ ଲୁଚାଇବାକୁ ଯାଇ ବିଭିନ୍ନ ପ୍ରକାରର ସ୍ପଷ୍ଟୀକରଣ ଦେବାକୁ ଚେଷ୍ଟା କରୁଛନ୍ତି । ଲଶPର-ଏ-ତୋଇବା ଏବଂ ଜୈଶ ଭଳି ଆତଙ୍କବାଦୀ ସଂଗଠନ ଏହା ପଛରେ ରହିଛନ୍ତି । ତେଣୁ ୟୁଏନଏସସି ଏହି ପ୍ରସଙ୍ଗରେ ପୂରା ସ୍ଥିତିକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି । କିଛି ଦେଶରେ ଏବେ ବି ଜାତିସଂଘ ଦ୍ୱାରା ଘୋଷିତ ହୋଇଥିବା ଆତଙ୍କବାଦୀ ଏବଂ ଆତଙ୍କବାଦୀ ସଂଗଠନ ଖୋଲାଖୋଲି ଭାବେ ସକ୍ରିୟ ରହିଛି ଏବଂ ସେଠାକାର ପ୍ରଶାସନର ସମର୍ଥନ ପାଉଛନ୍ତି । ସେ କହିଛନ୍ତି ଯେ କରୋନା ଏବଂ ଆତଙ୍କବାଦ ସମାନ ଏବଂ ଉଭୟଙ୍କୁ ବିନାଶ କରିବାକୁ ହେବ । ପାକିସ୍ତାନର ନାଁ ନ ନେଇ ଜୟଶଙ୍କର କହିଛନ୍ତି, ଭାରତ ପାଖରେ ଆତଙ୍କବାଦକୁ ନେଇ ବଡ଼ ଅଭିଜ୍ଞତା ରହିଛି । କେବଳ ଭାରତ ନୁହେଁ, ଅନେକ ଦେଶ ସୀମା ପାର ଆତଙ୍କବାଦର ଶିକାର ହେଉଛନ୍ତି । ଏହି ଦେଶଗୁଡ଼ିକ ମଧ୍ୟରୁ ଆଫଗାନିସ୍ତାନ ଅନ୍ୟତମ । ଏଥିପାଇଁ ଜୈଶ-ଏ-ମହମ୍ମଦ ଏବଂ ଲଶPର-ଏ-ତୋଇବା ଭଳି ସଂଗଠନ ଦାୟୀ । ଆତଙ୍କବାଦୀମାନେ ସବୁବେଳେ ଆତଙ୍କ ସୃଷ୍ଟି କରନ୍ତି । ସେମାନଙ୍କୁ ଅନ୍ୟ କୌଣସି ଦୃଷ୍ଟିରେ ଦେଖିବା ଠିକ୍ ହେବନି ବୋଲି ସେ କହିଛନ୍ତି । ସେହିପରି ନିକଟରେ ପ୍ରକାଶ ପାଇଥିବା ଯେ ଆଫଗାନିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେବାରେ ପାକିସ୍ତାନର ହାତ ଅଛି । ଆଫଗାନିସ୍ତାନରେ ପାକିସ୍ତାନର ଏକ ନୂଆ ଆତଙ୍କବାଦୀ ଭିତ୍ତିଭୂମି ର୍ନିମାଣ କରାଯାଉଛି । ପାକିସ୍ତାନର ଆଇଏସଆଇ ଅଲ କାଏଦା, ଜୈଶ, ତାଲିବାନ ଏବଂ ଜମାତ ଭଳି ଆତଙ୍କୀ ସଂଗଠନକୁ ଏକତ୍ର କରିଛି ।


