୪ ହଜାର ବର୍ଷ ପୂର୍ବେ ଘର ସଜାଇବାରେ ବ୍ୟବହାର ହେଉଥିଲା ପପକର୍ଣ୍ଣ
ପପକର୍ଣ୍ଣ ଖାଇବା ଅନେକଙ୍କର ସୌକ କହିଲେ କିଛି ଭୁଲ୍ ହେବନାହିଁ । ହେଲେ ୪ହଜାର ବର୍ଷ ପୂର୍ବେ ଏହାକୁ ଖାଇବା ପରିବର୍ତ୍ତେ ଲୋକେ ଘର ସଜାଇବା ଓ ଅଳଙ୍କାର ତିଆରି କରିବାରେ ବ୍ୟବହାର କରୁଥିଲେ । ପ୍ରଥମେ ଆମେରିକାର ମୂଳ ବାସିନ୍ଦା ଏହାକୁ ଖାଇବା ଆରମ୍ଭ କରିଥିଲେ । ଏହା ପରେ ଆମେରିକାରେ ରହୁଥିବା ୟୁରୋପୀୟମାନେ ଏହାକୁ ଖାଇବା ଆରମ୍ଭ କରିଥିଲେ । ପ୍ରଥମ କରି ବିଶ୍ୱରେ ୧୩୪ ବର୍ଷ ପୂର୍ବେ ଅର୍ଥାତ୍ ୧୮୮୫ରେ ପପକର୍ଣ୍ଣ ବା ମକା ଭାଜିବା ମେଶିନ୍ ଆସିଥିଲା । ଆମେରିକାର ଚାର୍ଲସ କ୍ରେଟର ଏହାକୁ ତିଆରି କରିଥିଲେ । ପ୍ରକୃତରେ ସେ ସମୟରେ ସେ ବାଦାମ ଭାଜିବାକୁ ମେଶିନ୍ ତିଆରି କରୁକରୁ ଏହା ଭୁଲ୍ବଶତଃ ପପକର୍ଣ୍ଣ ଭାଜିବା ମେଶିନରେ ପରିଣତ ହୋଇଥିଲା । ଇତିହାସ କହେ ୪ହଜାର ବର୍ଷ ତଳେ ପ୍ରଥମେ ନ୍ୟୁ ମେକ୍ସିକୋରେ ପପକର୍ଣ୍ଣ ଦେଖିବାକୁ ମିଳିଥିଲା । ହେଲେ ଏହାକୁ ଖିଆଯାଏ ବୋଲି କେହି ଜାଣି ନ ଥିଲେ । ସେଥିପାଇଁ ଏହାକୁ ଘର ସଜାଇବା ଓ ଗହଣା ତିଆରି କରିବାରେ ବ୍ୟବହାର କରାଯାଉଥିଲା । ଐତିହାସିକ ଏଣ୍ଡ୍ର୍ୟୁ ସ୍ମିଥଙ୍କ ମତରେ ଚାର୍ଲସ କ୍ରେଟର ଓ ତାଙ୍କ ସହଯୋଗୀ ପପକର୍ଣ୍ଣ ମେଶିନକୁ ୧୮୯୩ରେ ୱାର୍ଲଡ ଫେୟାର ନେଇଯାଇଥିଲେ । ସେଠାରେ ସେ ଲୋକଙ୍କୁ ଡାକି ଡାକି ପପକର୍ଣ୍ଣ ଖାଇବାକୁ ଦେଉଥିଲେ । ଆଉ ଯଦି କେହି ମେଶିନ କିଣୁଥିଲେ ତାଙ୍କୁ ଗୋଟିଏ ବ୍ୟାଗ୍ ମାଗଣାରେ ଦେଉଥିଲେ । ହେଲେ ଆଜି ଚାର୍ଲସ କ୍ରେଟରଙ୍କ କମ୍ପାନୀ ଆମେରିକାରେ ପପକର୍ଣ୍ଣ ମେଶିନ ପ୍ରସ୍ତୁତ କରୁଥିବା ସବୁଠାରୁ ବଡ଼ କମ୍ପାନୀ ବୋଲି କୁହାଯାଉଛି ।


