କର୍ମଚାରୀମାନେ ନିର୍ଦ୍ଧାରଣ କରନ୍ତି ନିଜର ବେତନ
ସବୁ ସଂସ୍ଥାରେ ମାଲିକ ଦରମା ନିର୍ଦ୍ଧାରଣ କରୁଥିବାବେଳେ ବିଶ୍ୱରେ ଏଭଳି ଏକ କମ୍ପାନୀ ରହିଛି ଯେଉଁଠାରେ କର୍ମଚାରୀ ମାନେ ନିଜର ଦରମା ନିଜେ ନିର୍ଦ୍ଧାରିତ କରିଥାନ୍ତି । ଲଣ୍ଡନରେ ଥିବା ଗ୍ରାଣ୍ଟଟ୍ରି ନାମକ କମ୍ପାନୀରେ ମିଳେ ଏହି ସୁବିଧା । ଉକ୍ତ କମ୍ପାନୀ ବ୍ୟବସାୟିକ କମ୍ପାନୀଗୁଡ଼ିକୁ ସରକାରୀ ଅର୍ଥ ଯୋଗାଇବାରେ ସାହାଯ୍ୟ କରିଥାଏ । ଗ୍ରାଣ୍ଟଟ୍ରି କମ୍ପାନୀରେ ଏବେ ୪୫ଜଣ କର୍ମଚାରୀ କାମ କରୁଛନ୍ତି । ଆଉ ସମସ୍ତ କର୍ମଚାରୀ ନିଜ ଦରମା ନିଜେ ସ୍ଥିର କରିଥାନ୍ତି । ଏମିତିକି ଏହି ଦରମାକୁ ସେମାନେ ନିଜ ଇଚ୍ଛାରେ ପରିବର୍ତ୍ତନ ମଧ୍ୟ କରିପାରନ୍ତି । କିନ୍ତୁ ଏଥିରେ କିଛି ନିୟମାବଳୀ ରହିଛି । ଦରମା ବର୍ଦ୍ଧିତ କରିବା ପୂର୍ବରୁ କର୍ମଚାରୀମାନଙ୍କୁ ଜାଣିବାକୁ ହେବ ଯେ ତାଙ୍କର ଏହି କାମ ପାଇଁ ଅନ୍ୟ କମ୍ପାନୀ କର୍ମଚାରୀମାନଙ୍କୁ କେତେ ବେତନ ଦେଉଛନ୍ତି । ଏଥିସହ ସେମାନେ ନିଜ କାମରେ କେତେ ଉନ୍ନତି କରିଛନ୍ତି ଏବଂ କମ୍ପାନୀ ତାଙ୍କୁ କେତେ ଅଧିକ ବେତନ ଦେଇପାରିବ ସେନେଇ କର୍ମଚାରୀଙ୍କୁ ବିଚାର ମଧ୍ୟ କରିବାକୁ ପଡ଼ିଥାଏ । ଏହା ପରେ ଏମାନେ ଦରମା ବୃଦ୍ଧି ନେଇ କମ୍ପାନୀ ସମ୍ମୁଖରେ ପ୍ରସ୍ତାବ ରଖିଥାନ୍ତି ଏବଂ ଅନ୍ୟ ସହଯୋଗୀମାନେ ଏହାର ପୁନର୍ବିଚାର କରିଥାନ୍ତି । ତେବେ ସହଯୋଗୀ ଏହି ପ୍ରସ୍ତାବ ଉପରେ ହଁ କି ନାଁ କୁହନ୍ତି ନାହିଁ ବରଂ ନିଜର ଫିଡ୍ବ୍ୟାକ୍ ଦେଇଥାନ୍ତି । ଫିଡ୍ବ୍ୟାକ୍ ଦେବା ପରେ କର୍ମଚାରୀମାନେ ନିଜର ଦରମା ନିଜେ ସ୍ଥିର କରିଥାନ୍ତି ।


