୬୩ ହଜାର ଟଙ୍କାରେ ପ୍ରସାଦ ଲଡୁ ନିଲାମ
କାଶୀନଗର, (ରାଜେଶ କୁମାର ପଟ୍ଟନାୟକ):କାଶୀନଗର ବସଷ୍ଟାଣ୍ଡ ସଂପତ ଗଣେଶ ପୂଜା ମଣ୍ଡପର ମୂର୍ତ୍ତି ବିସର୍ଜନ ପୂର୍ବରୁ ଗତ ବର୍ଷମାନଙ୍କ ଭଳି ଚଳିତ ବର୍ଷ ବି ପ୍ରସାଦ ଲଡୁ ନିଲାମ କରା ଯାଇଥିଲା। ବିଉଟି ଜୁଏଲେର୍ସ ର ମାଲିକ ତୋଟା ନରସିଂହ ରାଓ ୬୩ ହଜାର ଟଙ୍କାରେ ଉକ୍ତ ଲଡ଼ୁର ନିଲାମ ଧରିଥିବା ଜଣା ପଡିଛି।ପ୍ରକାଶ ଯୋଗ୍ୟ ଯେ , ପ୍ରସାଦ ଲଡୁ ନିଲାମରେ ନେଲେ ବର୍ଷ ସାରା ଶୁଭ ହେବ ବୋଲି କାଶୀନଗର ଅଂଚଳରେ ଏକ ବିଶ୍ୱାସ ରହିଛି ।ପ୍ରତି ପୂଜା ମଣ୍ଡପରେ ମୂର୍ତ୍ତି ବିସର୍ଜନ ପୂର୍ବରେ ତେଣୁ ପ୍ରସାଦ ଲଡୁ ନିଲାମ କରା ଯାଇଥାଏ ଓ ସର୍ବାଧିକ ଟଙ୍କାରେ ନିଲାମ ଡାକିଥିବା ବ୍ୟକ୍ତି ସେ ଲଡୁ ନେଇ ବନ୍ଧୁ ବାନ୍ଧବ ସାହି ପଡିଶା ଲୋକଙ୍କୁ ବାଣ୍ଟିଥାନ୍ତି । ବେଳେ ବେଳେ ଲକ୍ଷାଧିକ ଟଙ୍କାରେ ଉକ୍ତ ଲଡୁ ନିଲାମ ହୋଇଥାଏ। ଚଳିତ ବର୍ଷ ଏଯାଏଁ ନିଲାମ ଡକା ଯାଇଥିବା ଲଡୁ ଭିତରୁ ବସଷ୍ଟାଣ୍ଡ ଗଣେଶ ପୂଜା ମଣ୍ଡପର ଲଡୁ ସବୁଠୁ ଅଧିକ ଟଙ୍କାରେ ନିଲାମ ହୋଇଛି ।ଗତ ୯ ଦିନ ଧରି ପୂଜାର୍ଚ୍ଚନା ପରେ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ମୂର୍ତ୍ତି ବିସର୍ଜନ କରା ଯାଇଥିଲା ।


