ବିନା ସୂଚନା ଫଳକରେ ଚାଲିଛି ଛାତ୍ରାବାସ କାର୍ଯ୍ୟ

ବନ୍ତ,(ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ବିକାଶ ନେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଭିତ୍ତି ଭୂମିର ବିକାଶ ନେଇ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ମଧୁ ଚନ୍ଦ୍ରିକାରେ ସରକାରୀ ଅର୍ଥର ସଠିକ୍ ବିନିଯୋଗ ହେଉନଥିବା ଦେଖାଯାଉଛି । ଏଭଳି ଏକ ଅଭିଯୋଗ ଆସିଛି ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ପଳାସଗଢିଆସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ୩ ମହଲା ବିଶିଷ୍ଟ ଛାତ୍ରାବାସ କ୍ଷେତ୍ରରେ । ପ୍ରାୟ ଦେଢ ବର୍ଷ ହେବ ଏହି ବିଦ୍ୟାଳୟ ପରିସରରେ ପୂର୍ତ୍ତ ବିଭାଗ ଅଧିନରେ ୩ ମହଲା ବିଶିଷ୍ଟ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଚାଲିଛି । ସରକାରୀ ନିୟମ ଅନୁଯାୟୀ ନିର୍ମାଣ କାର୍ଯ୍ୟ ପୂର୍ବରୁ ନିର୍ମାଣସ୍ଥଳରେ ସୂଚନା ଫଳକ ଲଗାଇବାର ବ୍ୟବସ୍ଥା ଥିବା ବେଳେ ଏଠାରେ ତାହାର ବ୍ୟତିକ୍ରମ ଦେଖାଯାଇଛି । କାର୍ଯ୍ୟାଦେଶ ପାଇଥିବା ଜନୈକ ଠିକାଦାର ନିର୍ମାଣସ୍ଥଳରେ ପ୍ରକଳ୍ପ ସମ୍ପର୍କରେ କୌଣସି ସୂଚନା ଫଳକ ଲଗାଇନଥିବା ଦେଖାଯାଇଛି । ଫଳରେ ଏହି ପ୍ରକଳ୍ପର ଅଟକଳ ମୂଲ୍ୟ ଏବଂ ଏହା କେବେ ଶେଷ ହେବ ସେସମ୍ପର୍କରେ କୌଣସି ସୂଚନା ମିଳୁନାହିଁ । ଏଥିସହ ନିର୍ମାଣ ହେଉଥିବା ଏହି ଗୃହ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ରଡ୍ ଗୁଡିକ କଳଙ୍କି ଲାଗି ଯାଇଥିବା ବେଳେ ମାଟି ମିଶା ବାଲି ଓ ଚିପ୍ସରେ ନିର୍ମାଣ କାର୍ଯ୍ୟ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସଠିକ୍ ତଦାରଖ ଅଭାବରୁ ଠିକାଦାର ମନମୁଖୀ ଭାବେ ଏଭଳି ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ