୭ବର୍ଷ ପୁରୁଣା ଜୋତାର ମୂଲ୍ୟ ୩ କୋଟି
ଜୋତା ପୁରୁଣା ହୋଇଗଲା ପରେ ତା\’ର ସ୍ଥାନ ଅଳିଆଗଦା ହୋଇଥାଏ । ଯେତେ ଦାମୀ ହେଲେ ହେଁ ପୁରୁଣା ଚିରାଫଟା ଜୋତାକୁ କେହି ପାଦରେ ପିନ୍ଧିବାକୁ ଚାହାନ୍ତି ନାହିଁ । କିନ୍ତୁ ନିକଟରେ ନ୍ୟୁୟର୍କର ସୋଦବୀ ଅକ୍ସନ ହାଉସ୍ରେ ହୋଇଥିବା ନିଲାମୀରେ ୪୭ ବର୍ଷ ପୁରୁଣା ଏକ ଜୋତା ଯେତିକି ମୂଲ୍ୟରେ ବିକ୍ରି ହୋଇଛି ତାହା ସମସ୍ତଙ୍କୁ ଚକିତ କରିଦେଇଛି । କାରଣ ତାହା ନିଲାମ ହୋଇଛି ହଜାରେ କି ଲକ୍ଷେ ନୁହେଁ, ୩ କୋଟି ଟଙ୍କାରେ । ଏହା ହେଉଛି କୌଣସି ପୁରୁଣା ଜୋତାର ସବୁଠାରୁ ବଡ଼ ନିଲାମୀ । ଭାବୁଥିବେ ଏହି ଜୋତାର ନିଶ୍ଚୟ କିଛି ବିଶେଷତ୍ୱ ଥିବ । ହଁ, ଧଳା ରଙ୍ଗର ଏହି ଜୋତାକୁ ଆଟଲିଟ୍ଙ୍କ ପାଇଁ ୧୯୭୨ରେ ନାଇକ୍ର କୋ ଫାଉଣ୍ଡର ଓ ଟ୍ରାକ କୋଚ୍ ବିଲ ବୋୱର୍ନମନ୍ ଡିଜାଇନ କରିଥିଲେ । ଏ ହେଉଛି ନାଇକ୍ର ପ୍ରଥମ ସ୍ନିକର । ୧୯୭୨ର ଅଲିମ୍ପିକ୍ ଟ୍ରାଏଲ ପାଇଁ ଏହାକୁ ତିଆରି କରାଯାଇଥିଲା । ଉକ୍ତ ଜୋତାର ନାମ “ମୁନ୍ ଶୁ’ ରଖାଯାଇଥିଲା । ସେତେବେଳେ ଏହାର ମାତ୍ର ୧୨ ଯୋଡ଼ି ତିଆରି ହୋଇଥିଲା । ଜୋତାଟିକୁ ନିଲାମରେ ଏତେଟଙ୍କା ଦେଇ ନେଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି କାନାଡାର ମାଇଲ୍ସ ନାଡାଲ । ସେ ଐତିହାସିକ ମହତ୍ତ୍ୱସମ୍ପନ୍ନ ଜିନିଷକୁ ଅଧିକରୁ ଅଧିକ ଟଙ୍କାରେ କିଣି ନିଜ ସଂଗ୍ରହାଳୟରେ ରଖନ୍ତି ।


