ରାସନ ଚାଉଳକୁ ନେଇ ଧମକ ଅଭିଯୋଗ : ୩ ଜଣଙ୍କ ନାମରେ ମାମଲା

ଧାମନଗର(ଓ୍ବାଇଏନଏସ):  ରାସନ ଚାଉଳ ନଦେବାକୁ କେନ୍ଦ୍ର କରି ଜଣେ ହିତାଧିକାରୀଙ୍କୁ ଗାଳିଗୁଲଜ, ଠେଲାପେଲା, ଆକ୍ରମଣ ଉଦ୍ୟମ ଓ ଜୀବନରୁ ମାରିଦେବା ଧମକ ଦିଆଯାଇଥିବା ଅଭିଯୋଗରେ ଧାମନଗର ଥାନାରେ ମାମଲା ରୁଜୁ ହୋଇଛି। ଧାମନଗର ଥାନା ଅନ୍ତର୍ଗତ ସ୍ୱାମୀପାଟଣା ଗ୍ରାମର ଦେବାଶିଷ ନାୟକ (୨୫)ଙ୍କ ଅଭିଯୋଗ ଅନୁଯାୟୀ, ଗତ ଅଗଷ୍ଟ ୧୩ରେ ସେ ନିଜର ରାସନ ଚାଉଳ ଆଣିବାକୁ ସ୍ଥାନୀୟ ଡିଲର ସଂଘମିତ୍ରା ସାହୁଙ୍କ ନିକଟକୁ ଯାଇଥିଲେ। ତେବେ ଚାଉଳ ନଦେଇ ତାଙ୍କୁ ଗାଳିଗୁଲଜ କରାଯିବା ସହ ସଂଘମିତ୍ରା ସାହୁ, ଧନେଶ୍ୱର ସାହୁ ଓ ବାସନ୍ତୀ ସାହୁ ମିଶି ଠେଲାପେଲା କରିଥିବା ସେ ଅଭିଯୋଗ କରିଛନ୍ତି।ଘଟଣାର ସମାଧାନ ପାଇଁ ଅଗଷ୍ଟ ୩୧ରେ ଗାଁରେ ବୈଠକ ବସିଥିଲା। ତେବେ ସେଠାରେ ଆପୋଷ ସମାଧାନ ହୋଇନଥିବା ବେଳେ ଦେବାଶିଷ, ତାଙ୍କ ମା’ ଓ ସାନଭାଇଙ୍କୁ ଅଭିଯୁକ୍ତମାନେ ଗାଳିଗୁଲଜ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ସେପ୍ଟେମ୍ବର ୮ ତାରିଖ ଅପରାହ୍ନ ପ୍ରାୟ ୩ଟାରେ ଦେବାଶିଷ ରାସ୍ତାରେ ଯାଉଥିବାବେଳେ ବିପକ୍ଷ ଗୋଷ୍ଠୀ ତାଙ୍କୁ ଅଟକାଇଥିଲେ। ଲୁହାରଡ୍‌ ଓ ଭୁଜାଲିରେ ଆକ୍ରମଣ କରିବାକୁ ଉଦ୍ୟମ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିବା ଦେବାଶିଷ ଅଭିଯୋଗ କରିଛନ୍ତି।ଏହି ଅଭିଯୋଗ ଆଧାରରେ ଧାମନଗର ପୁଲିସ ସେପ୍ଟେମ୍ବର ୮ ରାତି ୯ଟା ୪୫ରେ କେସ୍‌ ନଂ ୦୩୮୮/୨୦୨୬ ରେ ଏକ ମାମଲା ରୁଜୁ ହୋଇଛି। ବିଏନ୍‌ଏସ୍‌ର ଧାରା ୧୧୫(୨),୨୯୬, ୩(୫) ଓ ୩୫୧(୨)ରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ଆଇଆଇସି ଶୁଭ୍ରଜିତ ଦାଶଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଶିବଶଙ୍କର ଖିଲାର ଉକ୍ତ ଘଟଣାର ତଦନ୍ତ ଭାର ନେଇଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ