୧୦ ଦିନିଆ ଏନ୍ସିସି କ୍ୟାମ୍ପ ଉଦ୍ଯାପିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ): କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ୧୪ ଓଡ଼ିଶା ବାଟାଲିୟନ ଏନ୍ସିସି ଆନୁକୂଲ୍ୟରେ ଆୟୋଜିତ ୧୦ ଦିନିଆ ସିଏଟିସି-୪ ଏନ୍ସିସି କ୍ୟାମ୍ପ ଉଦ୍ଯାପିତ ହୋଇଛି। ଅକ୍ଟୋବର ୧୬ ତାରିଖରେ ଆରମ୍ଭ ହୋଇଥିବା ଏହି ଶିବିରରେ ବିଭିନ୍ନ ଜିଲ୍ଲାରୁ ମୋଟ ୫୮୬ ଜଣ କ୍ୟାଡେଟ୍ ଅଂଶଗ୍ରହଣ କରିଥିଲେ।
ଶିବିରର ଉଦ୍ଘାଟନୀ ଉତ୍ସବରେ ୧୪ ଓଡ଼ିଶା ବାଟାଲିୟନର କମାଣ୍ଡିଂ ଅଫିସର କର୍ଣ୍ଣେଲ ଜୟନ୍ତ ମୋହନ ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୂର ଘାଡ଼ଗେ ଓ ସୁବେଦାର ମେଜର ମହମ୍ମଦ ସୟଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ୟାଡେଟ୍ମାନଙ୍କୁ ଉତ୍ସାହିତ କରିଥିଲେ। ଆଗାମୀ ଦିନରେ ଦିଲ୍ଲୀରେ ହେବାକୁ ଥିବା ପରେଡ୍ ପ୍ରତିଯୋଗିତା ପାଇଁ ଯୋଗ୍ୟ କ୍ୟାଡେଟ୍ଙ୍କୁ ଚୟନ କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଶିବିର ଆୟୋଜନରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ, ଏଡିଏମ୍ଓ ଏବଂ କରଞ୍ଜିଆ ଉପଜିଲ୍ଲାପାଳ ଡା. ଦୟାସିନ୍ଧୁ ପରିଡ଼ା ବିଶେଷ ସହଯୋଗ କରିଥିଲେ। ମୟୂରଭଞ୍ଜ ଓ କେନ୍ଦୁଝର ସମେତ ସମ୍ବଲପୁର, ବୁର୍ଲା, ରାଉରକେଲା, ବଲାଙ୍ଗୀର ଓ ଭବାନୀପାଟଣା ଅଞ୍ଚଳର ୧୦ଟି ବିଦ୍ୟାଳୟ ଓ ୧୯ଟି ମହାବିଦ୍ୟାଳୟରୁ ୫୮୬ ଜଣ କ୍ୟାଡେଟ୍ ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରେ ୩୩୬ ଜଣ ବାଳକ ଓ ୨୫୦ ଜଣ ବାଳିକା ଥିଲେ। ଦଶଦିନିଆ ଶିବିରରେ କ୍ୟାଡେଟ୍ମାନଙ୍କୁ ଡ୍ରିଲ୍, ଅସ୍ତ୍ର ପରିଚାଳନା, ବନ୍ଧୁକ ଚାଳନା, ସାଧାରଣ ସଚେତନତା, ସ୍ୱଚ୍ଛତା ଓ ସାମାଜିକ ସେବା ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିସହ ରକ୍ତଦାନ ଶିବିର, କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା। ଉଦ୍ଯାପନୀ ଉତ୍ସବରେ କରଞ୍ଜିଆ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ମନୋଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ କ୍ୟାଡେଟ୍ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଶିବିରର ସୁପରିଚାଳନାରେ କେ. ଭେଙ୍କେଟରାବଣ ଓ ତାଙ୍କ ସହକର୍ମୀମାନେ ସହଯୋଗ କରିଥିଲେ।


