ଷ୍ଟାର୍ଟ ହେଲାନି ୧୦୮ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ମେଡିକାଲ ଗଲେ ରୋଗୀ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସପିଟାଲରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ଶିଶୁ ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଛତ୍ରପୁର ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ | ଏଥି ପାଇଁ ଆମ୍ବୁଲାନ୍ସର ସହାୟତା ଲୋଡ଼ାଯାଇଥିଲା | ମାତ୍ର ଛତ୍ରପୁର ମେଡିକାଲ ଥିବା ୧୦୮ ଆମ୍ବୁଲାନ୍ସଟି ଦୁର୍ଭାଗ୍ୟବଶତଃ ଠିକ ସମୟରେ ଷ୍ଟାର୍ଟ ହୋଇପାରିନଥିଲା। ଏପରିକି ତାକୁ ଠେଲା ଯାଇଥିଲେ ବି ତାହା ଷ୍ଟାର୍ଟ ହୋଇନଥିଲା | ଦୀର୍ଘ ସମୟ ଧରି ଚେଷ୍ଟା କରାଯିବା ପରେ ମଧ୍ୟ ଗାଡ଼ିଟି ଚାଲୁ ନହେବାରୁ ରୋଗୀଙ୍କ ସମ୍ପର୍କୀୟ ଓ ସେଠାରେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ବାଧ୍ୟ୍ୟ ହୋଇ ରୋଗୀଙ୍କ ସମ୍ପର୍କୀୟ ଅନ୍ୟ ଏକ ଘରୋଇ ଗାଡି କରି ବ୍ରହ୍ମପୁର ମେଡିକାଲ ଯାଇଥିଲେ | ଯାନ୍ତ୍ରିକ ତ୍ରୁଟି ପାଇଁ ଏହିପରି ହୋଇଥିବା ସୂଚନା ମିଳିଛି | ଜରୁରୀକାଳୀନ ସମୟରେ ସରକାରୀ ୧୦୮ ଆମ୍ବୁଲାନ୍ସ ସେବା କାମ ନଦେବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ରକ୍ଷଣାବେକ୍ଷଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜିଲ୍ଲା ସଦର ମହକୁମା ଛତ୍ରପୁର ଥିବା ଏହି ମେଡିକାଲରେ ଯଦି ଆମ୍ବୁଲାନ୍ସର ଅବସ୍ଥା ଏପରି, ତେବେ ଦୂରଦୂରାନ୍ତର ଅଞ୍ଚଳରେ ସେବା କିପରି ଥିବ, ତାହା ସହଜେ ଅନୁମେୟ। ଏହି ଘଟଣାର ତଦନ୍ତ ସହ ଆମ୍ବୁଲାନ୍ସଗୁଡ଼ିକର ସଠିକ ରକ୍ଷଣାବେକ୍ଷଣ ପାଇଁ ସାଧାରଣରେ ଦାବି ହେଉଛି।


