ଜାତୀୟ ଆଇନ ବିଶ୍ଵବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ; ୨୩ ଜଣଙ୍କୁ ମିଳିବ ସ୍ୱର୍ଣ୍ଣ ପଦକ
କଟକ, (ଓ୍ବାଇଏନଏସ): ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍ଏଲ୍ୟୁଓ)ରେ ୧୩ତମ ସମାବର୍ତ୍ତନ ସମାରୋହ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ମୋଟ ୨୪୬ ଜଣ ସ୍ନାତକ ଓ ଗବେଷକଙ୍କୁ ବିଭିନ୍ନ ଡିଗ୍ରୀ ପ୍ରଦାନ କରାଯିବ। ଏହି ଅବସରରେ ୨୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ଏହାବ୍ୟତୀତ ସମାବର୍ତ୍ତନ ଉତ୍ସବରେ ୬ ଜଣଙ୍କୁ ପିଏଚ୍ଡି, ୪୮ ଜଣଙ୍କୁ ଏଲ୍ଏଲ୍.ଏମ୍ ଏବଂ ସ୍ନାତକ ସ୍ତରରେ ୧୯୨ ଜଣଙ୍କୁ ଡିଗ୍ରୀ ଦିଆଯିବ। ସ୍ନାତକ ଶ୍ରେଣୀରେ ବି.ଏ. ଏଲ୍ଏଲ୍.ବି. (ଅନର୍ସ)ର ୧୦୦, ବି.ବି.ଏ. ଏଲ୍ଏଲ୍.ବି. (ଅନର୍ସ)ର ୪୨, ୩ ବର୍ଷିଆ ଏଲ୍ଏଲ୍.ବି.ର ୩୭ ଏବଂ ବି.ଏ. (ଲ’) (ଅନର୍ସ)ର ୧୩ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଉଲ୍ଲେଖନୀୟ ଯେ, ଏଥର ପ୍ରଥମଥର ପାଇଁ ଏନ୍ଏଲ୍ୟୁଓର ୩ ବର୍ଷିଆ ଏଲ୍ଏଲ୍.ବି. ପାଠ୍ୟକ୍ରମର ପ୍ରଥମ ବ୍ୟାଚ୍ ଡିଗ୍ରୀ ହାସଲ କରିବ। ଗୋଆର ଆଇଆଇୟୁଏଲ୍ଇଆର୍ (IIULER)ର କୁଳପତି ପ୍ରଫେସର (ଡ.) ଆର୍. ଭେଙ୍କଟ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାବର୍ତ୍ତନ ଅଭିଭାଷଣ ପ୍ରଦାନ କରିବେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ । ଏହାସହ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଶୀଲ ନାଗୁ, ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଞ୍ଜୟ ଭି. ଗଙ୍ଗାପୁରୱାଲା, ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସଞ୍ଜୀବ କୁମାର ପାଣିଗ୍ରାହୀ, ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ଓଡ଼ିଶା ଷ୍ଟେଟ୍ ବାର କାଉନସିଲ୍ର ଅଧ୍ୟକ୍ଷ ସିତାଂଶୁ ମୋହନ ଦ୍ୱିବେଦୀଙ୍କ ସମେତ ବହୁ ବିଶିଷ୍ଟ ଆଇନଜୀବୀ ଓ ଶିକ୍ଷାବିତ୍ ଯୋଗଦେବେ ।ଏ ନେଇ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ କଟକର କୁଳପତି କେ. ବିଦ୍ୟୁତଲତା ରେଡ୍ଡୀ କହିଛନ୍ତି, ‘ଓଡ଼ିଶା ଏନ୍ଏଲ୍ୟୁଓର ୧୩ତମ ସମାବର୍ତ୍ତନ ସମାରୋହ ଉତ୍ସବ ଅନୁଷ୍ଠିତ ହେବ। ଏହି ଅବସରରେ ୨୪୬ ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯିବ । ଉତ୍ସବରେ ପ୍ରଫେସର (ଡ.) ଆର୍. ଭେଙ୍କଟ ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାବର୍ତ୍ତନ ଅଭିଭାଷଣ ପ୍ରଦାନ କରିବେ। ଏଥିସହିତ ଓଡିଶା ହାଇକୋର୍ଟର ବିଚାରପତି, ବରିଷ୍ଠ ଆଇନଜୀବୀ ଓ ଅଭିଭାବକମାନେ ଯୋଗ ଦେବେ ।’ ଚଳିତ ବର୍ଷର ୫ ବର୍ଷିଆ ଇଣ୍ଟଗ୍ରେଟେଡ ଲ ପାଠ୍ୟକ୍ରମ ଉପରେ ସୂଚନା ଦେଇ କୁଳପତି କହିଥିଲେ ଯେ ‘ଏବର୍ଷ ୯୧ ଜଣ ପିଲା ନିଯୁକ୍ତି ପ୍ରସେସରେ ଭାଗ ନେଇଥିବାବେଳେ ୭୧ ଜଣଙ୍କୁ ବିଭିନ୍ନ ସ୍ଥାନରେ ନିଯୁକ୍ତି ମିଳିଛି । ‘


