ହାଇସ୍କୁଲ ବ୍ୟାଙ୍କ ଏକାଉଣ୍ଟରୁ ଟଙ୍କା ହଡ଼ପ ଘଟଣା: ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଭିଯୋଗ କ୍ରମେ ରୁଜ୍ଜୁ ହେଲା ମାମଲା
ବନ୍ତ(ଚାନ୍ଦିନୀ ମହାନ୍ତି) : ଭଦ୍ରକ ଜିଲା ବନ୍ତ ଥାନା ଅଧିନ ଓଡଙ୍ଗ ପଞ୍ଚାୟତ ସରମରାସ୍ଥିତ ପୁରୁଷୋତ୍ତମ ସରକାରୀ ଉଚ୍ଚ ବିଦ୍ୟାଳୟର ଦୁଇଟି ବ୍ୟାଙ୍କ ଏକାଉଣ୍ଟରୁ ୩ ଥରରେ ୨ ଲକ୍ଷ ୮ ହଜାର ଟଙ୍କା ହଡପ ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ରାଉତଙ୍କ ଅଭିଯୋଗ ମୂଳେ ପୋଲିସ ଗୁରବାର ୨୬୬/୨୬ ମୂଳେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଭିଯୋଗ ଅନୁଯାୟୀ ସେ ଗତ ଜୁନ ୧୩ ତରିଖରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଉକ୍ତ ଉଚ୍ଚ ବିଦ୍ୟାଳୟରେ ଯୋଗଦାନ କରିଥିଲେ । କିନ୍ତୁ ପୂର୍ବ ଦାୟୀତ୍ୱରେ ଥିବା ପ୍ରଧାନ ଶିକ୍ଷକ ତାଙ୍କୁ କୌଣସି କାରଣରୁ ଅର୍ଥ କାରବାର କ୍ଷମତା ଦାୟୀତ୍ୱ ହସ୍ତାନ୍ତର କରିନଥିଲେ । ଏଥିନେଇ ସେ ବାରମ୍ବାର ତାଙ୍କୁ କହିଆସୁଥିଲେ ମଧ୍ୟ ପୂର୍ବତନ ପ୍ରଧାନ ଶିକ୍ଷକ ତାଙ୍କୁ କେସ ବୁକ୍ ଅପଡେଟ ହୋଇ ନାହିଁ ହେଲେ ଦେବି ବୋଲି କହୁଥିଲେ । ଏସମ୍ପର୍କରେ ପ୍ରଧାନ ଶିକ୍ଷୟିତ୍ରୀ ଅତିରିକ୍ତ ଜିଲା ଶିକ୍ଷାଧିକାରୀଙ୍କୁ ମୌଖିକ କହିବା ସହ ଗତ ଅଗଷ୍ଟ ୨୪ରେ ଚିଠି ନଂ-୧୪୬ ଜରିଆରେ ଅବଗତ କରାଇଥିଲେ । ଏହାରି ମଧ୍ୟରେ ଗତ ଅଗଷ୍ଟ ୧୧ରେ କାଦବରାଙ୍ଗସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଥିବା ମୋ ସ୍କୁଲ ଅଭିଯାନ ଏକାଉଣ୍ଟରୁ ୯୫ ହଜାର ଟଙ୍କା ପୂର୍ବତନ ପ୍ରଧାନ ଶିକ୍ଷକ ବ୍ରଜ କିଶୋର ପ୍ରଧାନ ଓ ସହାୟକ ଶିକ୍ଷୟିତ୍ରୀ ଅନୁସୂୟା ଭୋଇଙ୍କ ଜାଲ ଦସ୍ତଖତ କରି ଅଭିଷେକ ସାହୁ ନାମକ ବ୍ୟକ୍ତି ଉଠାଇ ନେଇଥିଲେ । ଏହି ଚେକ୍ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିଦ୍ୟାଳୟରେ ଯୋଗଦାନ ପୂର୍ବରୁ ଅର୍ଥାତ ଜୁନ୍ ୧୦ରେ ଇସ୍ୟୁ ହୋଇଥିଲା । ଏସମ୍ପର୍କରେ ଅଗଷ୍ଟ ୨୫ରେ ପୂର୍ବତନ ପ୍ରଧାନ ଶିକ୍ଷକ ଓ ସହାୟକ ଶିକ୍ଷୟିତ୍ରୀଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । ସେହିପରି ଅଗଷ୍ଟ ୩ରେ ଉକ୍ତ ବ୍ୟାଙ୍କରେ ବିଦ୍ୟାଳୟ ନାମରେ ଥିବା ଅନ୍ୟ ଏକ ଏକାଉଣ୍ଟରୁ ବିଶ୍ୱନାଥ ଜେନା ନାମକ ବ୍ୟକ୍ତି ୭୦ ହଜାର ଏବଂ ଅଗଷ୍ଟ ୭ରେ ଅଭିଷେକ ସାହୁ ୪୩ ହଜାର ଟଙ୍କା ଉଠାଇ ଥିଲେ । ଏସମ୍ପର୍କରେ ପୂର୍ବତନ ପ୍ରଧାନ ଶିକ୍ଷକ ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ରିପୋର୍ଟ କରିଥିଲେ । ଦୁଇଟି ବ୍ୟାଙ୍କ ଏକାଉଣ୍ଟ ଯାଞ୍ଚ କରିବା ପରେ ପ୍ରଧାନ ଶିକ୍ଷୟିତ୍ରୀ ଏସବୁ ଜାଣିବାକୁ ପାଇଥିଲେ । ଅପରପକ୍ଷେ ଗତ ଅଗଷ୍ଟ ୨୪ରେ ଉକ୍ତ ବ୍ୟାଙ୍କରେ ୬୨ ହଜାର ଟଙ୍କାର ଚେକ୍ ଡ୍ର କରିବା ପାଇଁ ଦିଆଯାଇଥିଲା, ସେତେବେଳେ ପରିଚାଳକ ତତ୍କାଳୀନ ଅଧିକୃତ ସ୍ୱାକ୍ଷରକାରୀଙ୍କ ସ୍ୱାକ୍ଷରର ସତ୍ୟତା ଉପରେ ସନ୍ଦେହ କରିଥିଲେ ଏବଂ ଚେକ୍ ଉପରେ ସ୍ୱାକ୍ଷର କରିବା ପାଇଁ ସହକାରୀ ଶିକ୍ଷୟିତ୍ରୀଙ୍କୁ ଡାକି ଥିଲେ । ମାତ୍ର ସେ ଯିବାକୁ ମନା କରିବାରୁ ବ୍ୟାଙ୍କ ଟଙ୍କା ଦେଇନଥିଲା । ଏସମ୍ପର୍କରେ ସହକାରୀ ଶିକ୍ଷୟିତ୍ରୀ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇବା ପରେ ପ୍ରଧାନ ଶିକ୍ଷୟିତ୍ରୀ ତୁରନ୍ତ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ । ଏହା ସହିତ ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ସ୍କୁଲର ଚେକ୍ ବହିରୁ ୩ଟି ଚେକ୍ ଗାଏବ ହୋଇଥିବା ନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଜଣାଇଥିଲେ । ପୂର୍ବତନ ପ୍ରଧାନ ଶିକ୍ଷକ ଏପର୍ଯ୍ୟନ୍ତ ଉକ୍ତ ଚେକ୍ ବହିର ଦାୟୀତ୍ୱ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ହସ୍ତାନ୍ତର କରିନଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ଥାନାରେ ଅଭିଯୋଗ କରିବା ସହିତ ସେପ୍ଟେମ୍ବର ୨ରେ ପୂର୍ବତନ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷୟିତ୍ରୀ ତାଙ୍କୁ ଦେଇଥିବା ରିପୋର୍ଟ, ବ୍ୟାଙ୍କ ଷ୍ଟେଟମେଣ୍ଟର କପି ଗୁଡିକ ଅଭିଯୋଗ ପତ୍ରରେ ସଂଲଗ୍ନ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଅପରପକ୍ଷେ ଏହି ଘଟଣାରେ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷାଧିକାରୀ ସମ୍ପୃକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିବା ଜଣାଯାଇଛି । ତେବେ କେବେ ଏହି ଘଟଣାର ସଂପୂର୍ଣ୍ଣ ପର୍ଦ୍ଦାଫାସ ହେବ, ଏଥିରେ କେଉଁ ମାନେ ପ୍ରକୃତରେ ଦୋଷୀ, ସେମାନଙ୍କୁ ପୋଲିସ କେବେ ଗିରଫ କରିବ ତାହା କେବଳ ଦେଖିବାକୁ ବାକି ରହିଛି । ଏସମ୍ପର୍କରେ ଥାନାଧିକାରୀ ସୁପ୍ରକାଶ ମହାନ୍ତିଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ବ୍ୟାଙ୍କରୁ ସିସିଟିଭି ଫୁଟେଜ ଆଣିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।


