୧୮୦ ଗ୍ରାମ ବ୍ରାଉନସୁଗାର ଜବତ, ମହିଳା ଗିରଫ
କଟକ, (ଓ୍ବାଇଏନଏସ): କଟକରେ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ୱାଡ୍ ଚଢ଼ାଉ କରି ୧୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ମର୍କତନଗର ଥାନା ଅଧୀନ ସିଡ଼ିଏ ସେକ୍ଟର-୧ ଇମାମପଡ଼ା ବସ୍ତି ନିକଟରେ ଚଢ଼ାଉ କରାଯାଇ ରୁବି ଜେନା ଓରଫ ରୁବି ବେଗମ (୨୩)ଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ୧୮୦ ଗ୍ରାମ ବ୍ରାଉନସୁଗାର ସହ ଗୋଟିଏ ରେଡ଼ିମି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଓ ୩,୫୦୦ ଟଙ୍କା ଜବତ କରାଯାଇଛି। ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ୧୮ ଲକ୍ଷ ଟଙ୍କା ହୋଇଥିବାବେଳେ ସମସ୍ତ ଜବତ ସାମଗ୍ରୀର ମୋଟ ମୂଲ୍ୟ ପ୍ରାୟ ୧୮.୧୮ ଲକ୍ଷ ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ଅଭିଯୁକ୍ତାଙ୍କ ବିରୋଧରେ NDPS ଆଇନ, ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇ ତାଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍-କମ୍-ସ୍ପେଶାଲ୍ ଜଜ୍ଙ୍କ ଅଦାଲତରେ ହାଜର କରାଯାଇଥିଲା। ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ଅବକାରୀ ଅଧୀକ୍ଷକ ସମରଜିତ ଦାସଙ୍କ ନିର୍ଦ୍ଦେଶ ଓ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ରୋଶନ ଇସୁ ହାଁସଦାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା। ବିଭାଗ ପକ୍ଷରୁ ନିଶା କାରବାର ବିରୋଧରେ ଅଭିଯାନ ଜାରି ରହିବ ବୋଲି କୁହାଯାଇଛି।


