ବଜ୍ରପାତରେ 3 ମହିଳା ଆହତ, ଜଣେ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼ କଳାକୋଟ ଗ୍ରାମରେ ଗତକାଲି କାଳବୈଶାଖୀଜନିତ ତାଣ୍ଡବରେ ପ୍ରବଳ ବର୍ଷା, ପବନ ଓ ବଜ୍ରାଘାତ ଯୋଗୁଁ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ଅନ୍ୟ 2 ଜଣ ମହିଳା ଆହତ ହୋଇଥିବା ସୂଚନା ମିଳିଛି. ଗତକାଲି ଅପରାହ୍ନରେ ହଠାତ କଳାହାଣ୍ଡିଆ ମେଘ ସହ କାଳ ବୈଶାଖୀଜନିତ ବର୍ଷା, ପବନ ସହ ତୁହାକୁ ତୁହା ବଜ୍ରାଘାତ ବଡ଼କଳାକୋଟ ଅଞ୍ଚଳବାସୀଙ୍କ ନିଦକୁ ହଜେଇ ଦେଇଥିଲା. ଏହି ଗ୍ରାମରେ ନିଜ ଘରର କାନ୍ଥ ଉପରେ ହାତ ରଖି ଛିଡ଼ା ହୋଇଥିବା ବେଳେ ହଠାତ ବଜ୍ରାଘାତ ହେବା ଯୋଗୁଁ ଏସମଣୀ ଭୂୟାଁ ନାମକ ଜଣେ ମହିଳା ଅଚେତ ହୋଇ ତଳେ ପଡି ଯାଇଥିଲେ. ଗୁରୁତର ଅବସ୍ଥାରେ ତାଙ୍କୁ ପରିବାର ସଦସ୍ୟ ଓ ଗ୍ରାମବାସୀମାନେ ଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ. ଆଜି ସେ ବିପଦମୁକ୍ତ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ସୂଚନା ମିଳିଛି. ସେହିପରି ଭାବେ ବଡ଼କଳାକୋଟ ଗ୍ରାମର ଅନ୍ୟ 2 ଜଣ ମହିଳା ମଧ୍ୟ ବଜ୍ରାଘାତ ଯୋଗୁଁ ସାମାନ୍ୟ ଆହତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ