ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ ସମଗ୍ର ଗାଁ ରେ ଆତଙ୍କ ପ୍ରକାଶ ପାଇଛି। ସୋମବାର ସକାଳେ କିଛି ବ୍ୟକ୍ତି ପୋଖରୀ ରେ ଗାଧୋଉଥିବା ବେଳେ ପାଣି ରେ ୪ ଟି କୁମ୍ଭୀର ଥିବା ଦେଖିଥିଲେ।ଖବର ପ୍ରଚାରିତ ହେବା ପରେ ବହୁ ସଂଖ୍ୟକ ଗ୍ରାମବାସୀ ପୋଖରୀ ହିଡ ରେ ପହଞ୍ଚି କୁମ୍ଭୀର ଦେଖିଥିଲେ। ଗାଁ ର ଏକମାତ୍ର ପୋଖରୀ ଉପରେ ନିର୍ଭରଶୀଳ ଗ୍ରାମବାସୀ ପୋଖରୀ କୁ ଗାଧୋଇବା ଓ ଶୌଚ ପାଇଁ ଯିବାକୁ ଭୟ କରୁଥିବା ଜଣାପଡ଼ିଛି।ଖବର ପାଇ ଦିଗପହଣ୍ଡି ଫରେଷ୍ଟର ସନ୍ତୋଷ ବିଷୋୟୀରତ୍ନ,ଫରେଷ୍ଟ ଗାର୍ଡ ପ୍ରଦୀପ କୁମାର ସ୍ବାଇଁ,ଜଗନ୍ନାଥ ବାଡତ୍ୟା ପ୍ରମୁଖ ସନ୍ଧ୍ୟାରେ ଗାଁ ରେ ପହଞ୍ଚି ପୋଖରୀ କୁ ଅନୁଧ୍ୟାନ କରିଥିଲେ ମଧ୍ୟ କୁମ୍ଭୀର ଙ୍କ କୌଣସି ଗତିବିଧି ଜଣାପଡିନଥିଲା। ପରେ ବନ କର୍ମଚାରୀ ବୃନ୍ଦ ଗାଁ ରେ କୁମ୍ଭୀର ସମ୍ପର୍କରେ ସଚେତନତା କରିବା ସହ ପୋଖରୀ କୁ ଯିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇ ଫେରିଥିବା ଜଣାପଡ଼ିଛି।ଦିଗପହଣ୍ଡି ବ୍ଲକ ଖମାରୀ ଗାଁ  ପୋଖରୀ ରେ ନିନି ଗୌଡ଼ ନାମ୍ନି ଜଣେ ମହିଳା କୁମ୍ଭୀର ଆକ୍ରମଣରେ ଆହତ ହୋଇଛନ୍ତି। ଗତ ୨୦୨୩ ଫେବୃୟାରୀ ୨୨ ତାରିଖ  ଅପରାହ୍ନ ପ୍ରାୟ ୫ ଟାରେ ଦିଗପହଣ୍ଡି ବ୍ଲକ ଖମାରିଗାଁ ର ନିନି ଗୌଡ଼ ଗ୍ରାମର ସାଗର ପୋଖରୀ ତୁଠ ରେ ବସି ଲୁଗା ସଫା କରୁଥିବା ବେଳେ ଏକ କୁମ୍ଭୀର ତାଙ୍କ ବାମ ହାତ କୁ କାମୁଡି ପାଣି ମଧ୍ୟକୁ ଟାଣି ନେଇଥିଲା। ନିନି ପାଟି କରିବାରୁ ଆଖପାଖ ରେ ଥିବା କିଛି ଗ୍ରାମବାସୀ ସେଠାରେ ପହଞ୍ଚି ପୋଖରୀ ପାଣି ମଧ୍ୟରୁ ନିନି ଙ୍କୁ  ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଗତ ୨୦୨୩ ଜୁନ ୨୫ ତାରିଖରେ କୁମ୍ଭୀର ଆକ୍ରମଣରେ ଖମାରିଗାଁ ପଞ୍ଚାୟତ ସେବକ . ଟିକରପଡା ଗ୍ରାମ ନଦୀଗଣ୍ଡରେ ଗାଧୋଇବା ସମୟରେ କୁମ୍ଭୀର ଆକ୍ରମଣରେ  ଜଣେ ୫ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ଗୈାଡଙ୍କ ମୃତ୍ୟୁ ହୋଇଥିଲା । କୁମ୍ଭୀର ତାଙ୍କୁ ପ୍ରାୟ ୨ କି. ମି ଯାଏଁ ପାଣିରେ ଟାଣି ନେଇଥିଲା। କିଛି ବବର୍ଷ ପୂର୍ବେ ବାଲିଘାଇ ଗ୍ରାମର ରାଧାକୃଷ୍ଣ ବେହେରା ଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା।କୁମ୍ଭୀର କାମୁଡ଼ା ରେ ତାଙ୍କ ଡ଼ାହାଣ ପାଦ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସେ ଏବେ ଦିବ୍ୟାଙ୍ଗ ଭାବେ ଚଳପ୍ରଚଳ ହେଉଛନ୍ତି। ୨୦୨୫ ଜୁଲାଇ ୨୩ ତାରିଖରେ ଖମାରି ଗାଁ ସାଗର ବନ୍ଧରେ ଗାଧୋଇବା ସମୟରେ ଗୌଡ଼ ଗାଁ ପଞ୍ଚାୟତ ଦାଉଣୀ ଗ୍ରାମର ଜଣେ ରାଜମିସ୍ତ୍ରୀ ଟୁକୁନା ବେହେରା ଙ୍କ ବାମ ଗୋଡ଼କୁ କୁମ୍ଭୀର ଟାଣି ନେଇଥିଲା । ସୌଭାଗ୍ଯବଶତଃ ଟୁକୁନା କୁମ୍ଭୀର ସହ ଲଢି ପାଣି ଭିତରୁ ଫେରି ଆସିଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ଚଳିତ ବର୍ଷ ଜାନୁଆରୀ ୯ ତାରିଖରେ ବନ ବିଭାଗ ପକ୍ଷରୁ କରାଯାଇଥିବା କୁମ୍ଭୀର ଗଣନା ଅନୁସାରେ ଘୋଡାହାଡ ଡ଼୍ୟାମ ରେ ୯୫ ଟି କୁମ୍ଭୀର ରହିଥିବା ବେଳେ ନିକଟସ୍ଥ ପୋଖରୀ ଓ ନଦୀଗଣ୍ଡ ମାନଙ୍କରେ ୩୨ ଟି କୁମ୍ଭୀର ରହିଥିବା ବନବିଭାଗ ରେକର୍ଡ ରୁ ଜଣାପଡିଛି  । ଖୁବ ଶୀଘ୍ର ଘୋଡ଼ାହାଡ଼ ଡ଼୍ୟାମ  ସମେତ ନିକଟବର୍ତ୍ତୀ ଗ୍ରାମ ମାନଙ୍କରେ ଥିବା ପୋଖରୀ ଓ ନଦୀଗଣ୍ଡରୁ କୁମ୍ଭୀର ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର  କରାନଯାଏ ତେବେ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯିବା ସହ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ