ଆରମ୍ଭହେଲା ସମାପ୍ତି ସୂଚକ ଆକଳନ ପରୀକ୍ଷା
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ଏବଂ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ସଂଯୋଜନାରେ ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ୧୩ଟି କ୍ଳଷ୍ଟର ଶତାଧିକ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ତୃତୀୟରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଥମ ସମାପ୍ତି ସୂଚକ ଆକଳନ- ୨୦୨୬ ପରୀକ୍ଷା ଆରମ୍ଭ ହୋଇଥିବା ଜଣାପଡିଛି। ପ୍ରଥମ ଦିନରେ ତୃôତୀୟରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମାତୃଭାଷା ଓଡିଆର ଲିଖିତ ପରୀକ୍ଷା ଦେଇଥିଲେ । ତୃତୀୟରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିଭିନ୍ନ ପାଠ୍ୟକ୍ରମ ଉପରେ ମୌଖିକ ପରୀକ୍ଷା ମଧ୍ୟ ଦେଇଥିବା ଜଣାପଡିଛି । ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ସମାପ୍ତି ସୂଚକ ଆକଳନ-୨୦୨୬ ଲିଖିତ ପରୀକ୍ଷାର ପ୍ରଥମ ଦିବସରେ ତୃତୀୟରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନେ ମାତୃଭାଷା ପରୀକ୍ଷା ଦେଇଥିବା ଜଣାପଡିଛି। ଏହି ପ୍ରଥମ ସମାପ୍ତି ସୂଚକ ଆକଳନ-୨୦୨୬ପରୀକ୍ଷାକୁ ସୁ ପରିଚାଳନା ସହ ଶୃଙ୍ଖଳିତ ଭାବେ ସମାପ୍ତ କରିବା ପାଇଁ ଗୋଷ୍ଟୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ତଥା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା, ଏବିଇଓ ଶିବରାମ ବେହେରାଙ୍କ ସମେତ ଶିକ୍ଷା ବିଭାଗର ବହୁ ପଦାଧିକାରୀ ବିଭିନ୍ନ ବିଦ୍ୟାଳୟକୁ ପରିଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ତ ଶତାଧିିକ ସରକାରୀ ପ୍ରଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟ ଗୁଡିକରେ ତୃତୀୟରୁ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନରତ ଥିବା ପ୍ରାୟ ୯ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ରାଜ୍ୟ ସରକାର ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହୋଇଆସୁଥିବା ଏହି ପ୍ରଥମ ସମାପ୍ତି ସୂଚକ ଆକଳନ-୨୦୨୬ ପରୀକ୍ଷା ଦେଉଥିବା ଜଣାପଡିଛି। ସେହିଭଳି ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରଥମ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ପରୀକ୍ଷା ମଧ୍ୟ ସୋମବାର ଠାରୁ ବିଭିନ୍ନ ହାଇସ୍କୁଲରେ ଆରମ୍ଭ ହୋଇଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେତେକ ବିଦ୍ୟାଳୟରେ ଗତ କିଛି ଦିନ ତଳେ ଏହି ସମାପ୍ତି ସୂଚକ ଆକଳନ ପରୀକ୍ଷା ସରିଥିବା ବେଳେ ବହୁ ଶିକ୍ଷାନୁଷ୍ଠାନରେ ଆଜିଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଥିବା ଶିକ୍ଷାବିଭାଗ ସୂତ୍ରରୁ ଜଣାପଡିଛି । ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ପରୀକ୍ଷା ପରିଚାଳନା କରାଯାଉଥିବା ଲକ୍ଷ୍ୟ କରାଯାଉଛି । ତୃତୀୟରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ମୋଟ ୫୦ ମାର୍କ ମୌଖିକ ଓ ଲିଖିତ ପରୀକ୍ଷା ରହିିଛି । ସେଥିମଧ୍ୟରୁ ୧୦ ମାର୍କ ମୌଖିକ ଓ ୪୦ ମାର୍କ ଲିଖିତ ପରୀକ୍ଷା ରହିଥିବା ଜଣାପଡିଛି । ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପରୀକ୍ଷାର୍ଥୀମାନଙ୍କ ପାଇଁ ୫୦ ମାର୍କର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଥିବା ଜଣାପଡିଛି । ଏହି ପ୍ରଥମ ସମାପ୍ତି ସୂଚକ ଆକଳନ ପରୀକ୍ଷା ସରିବା ପରେ ବିଷୟଭିତ୍ତିକ ଶିକ୍ଷକମାନଙ୍କ ଦ୍ୱାରା ଉତ୍ତରଖାତା ଗୁଡିକୁ ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କୁ ପ୍ରୋଗେସ୍ ରିପୋର୍ଟ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । (ଫୋଟ ଯାଇଛି)


