ଜଗତପୁର ଖଣ୍ଡାଇ ହୋଟେଲରେ ମଟନ୍ ମିଲରେ ଗୋମାଂସ ଅଭିଯୋଗ
କଟକ,(ଓ୍ବାଇଏନଏସ): କଟକ ଜଗତପୁର ଥାନା ଅନ୍ତର୍ଗତ ଖଣ୍ଡାଇ ହୋଟେଲରେ ମଟନ୍ ମିଲରେ ଗୋମାଂସ ମିଶାଇ ଖାଇବାକୁ ଦିଆଯାଉଛି ବୋଲି ଆଜି ଏକ ସଂଘିନ ଅଭିଯୋଗ ସାମ୍ନାକୁ ଆସିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖିବାକୁ ମିଳିଥିଲା । ସେପଟେ ଜଗତପୁର ପୁଲିସ ଓ ଜୋନ୍-୧ ଏସିପି ଅରୁଣ ସ୍ବାଇଁ ମଧ୍ୟ ପହଞ୍ଚି ସମସ୍ତଙ୍କୁ ବୁଝା ସୁଝା କରିଥିଲେ। ସୂଚନା ଅନୁସାରେ, କଟକ ସାଲେପୁର ବ୍ଲକ୍ ଅନ୍ତର୍ଗତ ପାଟପୁରର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଗୋଟିଏ ଛୋଟ ପିଲାକୁ ଧରି ଜଗତପୁରସ୍ଥିତ ଖଣ୍ଡାଇ ହୋଟେଲରେ ମଟନ୍ ମିଲ ଖାଇବାକୁ ମାଗିଥିଲେ। ମିଲ୍ ଖାଇବା ସମୟରେ ସେ ଏକ ବଡ଼ ହାଡ଼ ଦେଖିବାକୁ ପାଇଥିଲେ। ହାଡ଼ଟି ଏକ ଲାଲ ରଙ୍ଗର ହୋଇଥିଲା। ତେଣୁ ସେ ସନ୍ଦେହ କଲେ ଯେ ଏହା ମଟନ୍ ବା ଛେଳି ମାଂସ ନୁହେଁ। ତେଣୁ ସେ ସଙ୍ଗେ ସଙ୍ଗେ ହୋଟେଲ କର୍ମଚାରୀଙ୍କୁ ଜଣାଇବା ସହ ନିକଟସ୍ଥ ଜଗତପୁର ଥାନାକୁ ଜଣାଇଥିଲେ। ଏଭଳି ଅନେକ ଅନୈତିକ ଘଟଣା ଆଗରୁ ଘଟିଥିବାର ନଜର ରହିଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ହାଡ଼କୁ ଜବତ କରି ଫରେନ୍ସିକ୍ ଟେଷ୍ଟ ପାଇଁ ପଠାଯାଇଛି। ସେପଟେ ଏସିପି ଅରୁଣ ସ୍ବାଇଁ କହିଛନ୍ତି ଯେ ଯଦି ଫରେନ୍ସିକ୍ ଟେଷ୍ଟରେ ତାହା ଗୋମାଂସ ପ୍ରମାଣିତ ହୁଏ ତେବେ ଉକ୍ତ ହୋଟେଲ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


