ମା ଉକୁଳେଇ ଙ୍କ ଜନ୍ମୋତ୍ସବ ପାଳିତ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ଉକୁଳେଇ ଙ୍କ ଜନ୍ମୋତ୍ସବ ପବିତ୍ର ତ୍ରିବେଣୀ ଅମାବାସ୍ୟା ରେ ପାଳିତ ହୋଇଯାଇଛି। କାହିଁ କେଉଁ ଆବାହନ କାଳରୁ ଅସ୍ତରଙ୍ଗ ନିକଟ ଉକୁଳେଇ ଗ୍ରାମରେ ବିରାଜମାନ କରିଛନ୍ତି ମା ଉକୁଳେଇ ଠାକୁରାଣୀ । ମା ଙ୍କ ଆବିର୍ଭାବ କୁ ନେଇ ରହିଛି ସୁନ୍ଦର କିମ୍ବଦନ୍ତୀ । ଅସ୍ତରଙ୍ଗ ବ୍ଲକ ଜିଉଁନ୍ତି ଗ୍ରାମର ରଘୁନାଥ ମହାନ୍ତି ନାମକ ଜଣେ ବ୍ୟକ୍ତି ତ୍ରିବେଣୀ ଅମାବାସ୍ୟା ର ଦୁଇ ଦିନ ପୂର୍ବରୁ ମଧ୍ୟରାତ୍ରରେ ତାଙ୍କ ଘର ଦକ୍ଷିଣ ପାର୍ଶ୍ୱରେ ଜ୍ୱଳନ୍ତ ଅଗ୍ନିପିଣ୍ଡୁଳା ଭଳି ଏକ ଆଲୋକ ଦେଖିବାକୁ ପାଇଥିଲେ । ଏତେ ରାତିରେ ହଠାତ ଏପରି ଆଲୋକ ପିଣ୍ଡୁଳା ଦେଖି ସେ ଭୟରେ ଘରଭିତରକୁ ଯାଇ ଶୋଇପଡ଼ିଥିଲେ । ରଘୁନାଥ କୁ ନିଦ ଆସିବା ପରେ ମଧ୍ୟରାତ୍ରରେ ସ୍ୱପ୍ନରେ ସେ ଅଗ୍ନିପିଣ୍ଡୁଳା ଭିତରୁ ଜଣେ ଦିବ୍ୟ ସୁନ୍ଦରୀ ନାରୀ ଭାରି ତାଙ୍କୁ କହିଲେ ହେ ଭକ୍ତ ମୁଁ ମା ଉକୁଳେଇ ଠାକୁରାଣୀ କହୁଛି । ମୁଁ କଳାବୁଦି ଠାରେ ଥିବା ଏକ ନିମି କୋଳି ଗଛ ମୂଳରେ ପଥରରୂପରେ ରହିଛି ।ତୁମେ ମୋତେ ସେଠାରୁ ଉଦ୍ଧାର କରି ମୋର ପୂଜାର୍ଚ୍ଚନା କର । ମୁଁ ସମସ୍ତ ଭକ୍ତଙ୍କର ରୋଗ ଦୁଃଖ ଦୂର କରିବି ।ସ୍ବପ୍ନ ଦେଖି ରଘୁନାଥ ଙ୍କ ନିଦ ଭାଙ୍ଗିଗଲା । ଦେଖିଥିବା ସ୍ବପ୍ନକୁ କିଛି ବୁଝିପାରିଲେ ନାହିଁ ।ପୁଣି ତାହା ପର ଦିନ ମଧ୍ୟରାତ୍ରରେ ପୂର୍ବ ରାତିଭଳି ସେହିଭଳି ସ୍ବପ୍ନ ଦେଖିବାକୁ ପାଇଲେ ଆଉ ରାତି ପାହିବା ପରେ ରଘୁନାଥ ଜଲ୍ଦି ଉଠି ସକାଳୁ କଳାବୁଦି ଅଭିମୁଖେ ଗଲେ । ସେହି ଜଙ୍ଗଲ ମଧ୍ୟରେ ରଘୁନାଥ ଖୋଜି ଖୋଜି ଏକ ନିମି କୋଳି ଗଛ ପାଇଲେ । ଗଛ ମୂଳରେ ଏକ ଅବଦୁଧରଣର ପଥର ପଡ଼ିଥିବା ଦେଖିବାକୁ ପାଇଲେ ।ସେହି ପଥର ଦେହରୁ ଚୁଆ ଚନ୍ଦନ ର ମହକ ବାହାରୁଥିବା ଅନୁଭବ କଲେ । ରଘୁନାଥ ସେହି ନିମିକୋଳି ସେହି ପଥର କୁ ସ୍ଥାପନ କରି ସେଠାରେ ଜଣେ ପୂଜକ ଙ୍କୁ ପୂଜା କରିବାକୁ ଦାୟିତ୍ୱ ଦେଲେ ।ପୂଜା କରିବାର କିଛି ଦିନ ପରେ ରଘୁନାଥ ମହାନ୍ତି ରାତିରେ ଏମିତି ମା ଉକୁଳେଇ ସ୍ୱପ୍ନରେ ଆସି କହିଲେ ହେ ଭକ୍ତ ମୁଁ ତୁମ ହାତରେ ପୂଜପାଇବାକୁ ଚାହେଁ । ତେଣୁ ବ୍ରାହ୍ମଣ ସେବା ବନ୍ଦ କରି ମୋତେ ତୁମରି ହାତରେ ସେବା ଆଉ ପୂଜା କର । ମା ଙ୍କ ସ୍ୱପ୍ନାଦେଶ ପରେ ରଘୁନାଥ ମହାନ୍ତି ବ୍ରାହ୍ମଣ ସେବା ବନ୍ଦ କରି ନିଜେ ସେବା ପୂଜା ଆରମ୍ଭ କରିଥିଲେ । ପରବର୍ତୀ ସମୟରେ ରଘୁନାଥ ମହାନ୍ତି ମା ଉକୁଳେଇ ଠାକୁରାଣୀ ଙ୍କ ନିର୍ଦେଶ କ୍ରମେ ଜ୍ୱର ରୋଗୀ ମାନଙ୍କୁ ମା ଙ୍କ ପାଖରେ ଲାଗି ହୋଇଥିବା ଝୁଣା ଧୂପ ଦେଇ ଭଲ କଲେ ।ମା ଉକୁଳେଇ ଙ୍କ ମହିମା ଚାରିଆଡେ ପ୍ରଚାର ହେବାକୁ ଲାଗିଲା, ସେହିଦିନ ଠାରୁ ରଘୁନାଥ ମହାନ୍ତି ଙ୍କ ପୀଢ଼ି ପୀଢ଼ି ପରେ ମା ଙ୍କ ର ସେବା ପୂଜାକରି ଆସୁଛନ୍ତି।ମା ଙ୍କ ଆବିର୍ଭାବ ସମ୍ପର୍କରେ ସଠିକ ତଥ୍ୟ ଯଦିଓ କାହା ପାଖରେ ନାହିଁ ତେବେ କେତେକ ଗବେଷକ ୧୯ଶହ ମସିହାରେ ମା ଉକୁଳେଇ ଆବିର୍ଭାବ ବୋଲି କୁହନ୍ତି ।ଦୀର୍ଘ ବର୍ଷ ହେବ ରାଜ୍ୟ କୋଣ ଅନୁକୋଣ ରୁ ଭକ୍ତ ଙ୍କ ସମାଗମ ହୋଇଥାଏ ଏହି ପିଠାକୁ । ମା ଉକୁଳେଇ ଙ୍କ ଆବିର୍ଭାବ ତ୍ରିବେଣୀ ଅମାବାସ୍ୟା ଦିନ ହୋଇଥିବାରୁ ଏହି ଦିନକୁ ମା ଙ୍କ ଜନ୍ମଦିନ ରୂପେ ପ୍ରତିବର୍ଷ ପାଳନ କରାଯାଏ । ତ୍ରିବେଣୀ ଅମାବାସ୍ୟା ଦିନ ମା ଙ୍କ ମନ୍ଦିର ନିକଟସ୍ଥ ସିଦ୍ଧପୁଷ୍କରିଣୀ ରେ ବୁଡ଼ ପକାଇଲେ ଯିଏ ଯେଉଁ ମାନସିକ କରିଥାଏ ତାହା ପୂର୍ଣ୍ଣ ହୁଏ ବୋଲି କହିଛନ୍ତି ମା ଙ୍କ ପୂଜକ ମଙ୍ଗୁଳି ନନା। ଜନ୍ମୋତ୍ସବ ପାଇଁ ଉକୁଳେଇ ପୀଠ ରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।ଅସ୍ତରଙ୍ଗ ଥାନା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ