ବ୍ୟାଙ୍କ ସଖୀମାନଙ୍କୁ ‘ଆମ ବ୍ୟାଙ୍କ’ ଯୋଜନାରେ ନିଯୁକ୍ତି ଦେବା ଦାବିରେ ବିକ୍ଷୋଭ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୬ ଦଫା ଦାବି ନେଇ ପୁଣି ବିକ୍ଷୋଭକୁ ଓହ୍ଲାଇଛନ୍ତି ବ୍ୟାଙ୍କସଖୀମାନେ ୨୦୨୦ ମସିହା ମାର୍ଚ୍ଚ ମାସରେ ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସଖୀମାନଙ୍କୁ ନିଯୁକ୍ତି ଦେଇଥିଲେ । ଗର୍ଭବତୀ ମହିଳା, ବୟସ୍କ ବ୍ୟକ୍ତି, ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଘରକୁ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ଏହି ଯୋଜନା କରାଯାଇଥିଲା । ମହାମାରୀ କରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ବ୍ୟାଙ୍କ ସଖୀମାନେ ପ୍ରତ୍ୟେକଙ୍କ ଘରେ ଦିନରାତି ସେବା ଯୋଗାଇ ଆସୁଥିଲେ । ସରକାରୀ ଅର୍ଥରେ ଚାରିଥର ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି । ବ୍ୟାଙ୍କ ସେବା ଯୋଗାଇବାର ସମସ୍ତ ଯୋଗ୍ୟତା ଏମାନଙ୍କ ଅଛି । କେବଳ ସେତିକି ନୁହେଁ, ପ୍ରାଥମିକ ଅବସ୍ଥାରେ ଏହି ମହିଳାମାନେ ନିଜ ଦାୟିତ୍ୱରେ ଅର୍ଥ ଯୋଗାଡ଼ କରି ବିନିଯୋଗ କରିଛନ୍ତି ।ନଭେମ୍ବର୨୭, ୨୦୨୩ରେ ଓଡ଼ିଶା ସରକାରଙ୍କ ତରଫରୁ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଯୋଜନ ଆରମ୍ଭ କରିଛନ୍ତି । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ସମ୍ପୂର୍ଣ୍ଣ ଯୋଗ୍ୟତା ଥିବା ବ୍ୟାଙ୍କ ସଖୀମାନଙ୍କୁ ‘ଆମ ବ୍ୟାଙ୍କ’ ଯୋଜନାରେ ନିଯୁକ୍ତି ଦେବା, ସବୁ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ଖୋଲିବା ଏବଂ ସମସ୍ତ ବ୍ୟାଙ୍କ ସଖୀ (ବି.ସି.ଏ) ମାନଙ୍କୁ ନିକଟତମ ‘ଆମ ବ୍ୟାଙ୍କ’ରେ ନିଯୁକ୍ତି ଦେବା, ବ୍ୟାଙ୍କ ସଖୀମାନଙ୍କୁ ୧୦ ହଜାର ଟଙ୍କା ପ୍ରତି ମାସରେ ପ୍ରୋତ୍ସାହନ ଭତ୍ତା ଦେବା, ବ୍ୟାଙ୍କ ସଖୀମାନଙ୍କୁ ମିଶନ ଶକ୍ତିରେ କ୍ୟାଡ଼ରଭୁକ୍ତ କରିବା, ବ୍ୟାଙ୍କ ସଖୀମାନଙ୍କୁ ମହାସଂଘ ବୈଠକରେ ଯୋଗ ଦେବାକୁ ସୁଯୋଗ ଦେବା, ସୁବିଧାରେ କାର୍ଯ୍ୟ କରିବା ପାଇଁ ବ୍ୟାଙ୍କ ସଖୀମାନଙ୍କୁ ପ୍ରତି ପଞ୍ଚାୟତରେ ଘର ଏବଂ ଆବଶ୍ୟକ ଆସବାବ ପତ୍ର ଯୋଗାଇଦେବା, ବ୍ୟାଙ୍କ ସଖୀମାନଙ୍କ ପାଇଁ ଏକ ପ୍ରକାର ପୋଷାକ (ଡ୍ରେସ୍ କୋଡ୍‌)ର ବ୍ୟବସ୍ଥା ପ୍ରଚଳନ କରିବା ଆଦି ୬ ଦଫା ଦାବିରେ ବ୍ୟାଙ୍କ ସଖୀମାନଙ୍କର ସୋମବାର ଦିନ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକରେ ଏକ ରାଜ୍ୟସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ବିକ୍ଷୋଭରେ ୨୨ଟି ଜିଲ୍ଲାରୁ ୬୦୦ରୁ ଉର୍ଦ୍ଧ୍ୱ ବ୍ୟାଙ୍କ ସଖୀମାନେ ଯୋଗ ଦେଇଥିଲେ । ଏହା ପରେ ଏକ ୫ଜଣିଆ ପ୍ରତିନିଧି ଦଳ ମିଶନ ଶକ୍ତି ନିର୍ଦ୍ଦେଶିକାଙ୍କ ସହିତ ଏ ବିଷୟରେ ଆଲୋଚନା କରିଥିଲେ । ନିର୍ଦ୍ଦେଶିକା ଦାବିଗୁଡ଼ିକୁ ସହୃଦୟତାର ସହ ଗ୍ରହଣ କରି ଏକ ସପ୍ତାହ ମଧ୍ୟରେ ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।ରାଜ୍ୟ ସରକାର ସବୁବେଳେ ମହିଳା ସଶକ୍ତିକରର କଥା କହୁଥିବା ବେଳେ ତାହାକୁ କାର୍ଯ୍ୟକାରୀ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ବ୍ୟାଙ୍କ ସଖୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ । ଏହି ବିକ୍ଷୋଭରେ ସଂଗଠନର ଉପଦେଷ୍ଟା ଶ୍ରୀମତୀ ତାପସୀ ପ୍ରହରାଜଙ୍କ ସମେତ ସଂଯୁକ୍ତା ସାହୁ, ମୋନାଲିସା ତ୍ରିପାଠୀ, ବିଜୟଲକ୍ଷ୍ମୀ ଜେନା, ରୀନା ଖାତୁନୁ, ଲିଜା ସାହୁ, ପୁଷ୍ପଲତା ନାୟକ, ସସ୍ମିତା ବରାଳ ପ୍ରମୁଖ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ