ଠିକାଦାରଙ୍କ ମନମାନିରେ ଚାଲିଛି କାର୍ଯ୍ୟ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ-ଡାବର ରାସ୍ତାର ସଂପ୍ରସାରଣ ଓ ପୁନଃ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହି ରାସ୍ତାର କାର୍ଯ୍ୟ ଅବଧି ସରି ଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ ସରୁନାହିଁ । ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗର ଜଗତସିଂହପୁର ବିଭାଜନ ଅଧିନରେ ରହିଥିବା ବେଳେ ଉକ୍ତ ରାସ୍ତାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ କାର୍ଯ୍ୟ କରାଯାଉଛି । ହେଲେ ଠିକାଦାରଙ୍କ ମନୋମୁଖି କାର୍ଯ୍ୟ ଯୋଗୁ ରାସ୍ତାରେ ଯିବା ଆସିବା କରିବା କଷ୍ଟ ସାଧ୍ୟ ହୋଇପଡୁଛି । ଗଣମାଧ୍ୟମରେ ଉକ୍ତ ଖବର ପ୍ରକାଶ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବା ଦେଖାଯାଇଛି । ରାସ୍ତାଟି ଦୀର୍ଘ ଦିନ ହେବ ଖୋଳା ହେବା ସହିତ ମେଟାଲ ରାସ୍ତାରେ ପଡିଥିବାରୁ ରାସ୍ତାରେ ପ୍ରତ୍ୟେହ ଦୁର୍ଘଟଣା ଘଟୁଛି । ଉକ୍ତ ଦୁର୍ଘଟଣାରେ ବେଶୀ ବିଦ୍ୟାଳୟକୁ ଯାଉଥିବା ପିଲାମାନେ ଆକ୍ରାନ୍ତ ହୋଇଛନ୍ତି । ସୋମବାର ଉକ୍ତ ରାସ୍ତା ପାଶ୍ୱର୍ରେ ଥିବା ଅରିଓଦା ଗ୍ରାମର ଜୈନିକ ଛାତ୍ର ନିକଟସ୍ଥ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ସକାଳ ସମୟରେ ପରୀକ୍ଷା ଦେବା ପାଇଁ ସାଇକେଲରେ ଯାଉଥିଲା । ସାଇକେଲରେ ମେଟାଲ ବାଜିବା ହେତୁ ଛାତ୍ରଟି ତଳେ ପଡିଯାଇ ଗୁରୁତର ହୋଇପଡିଥିଲା । ଗୁରୁତର ଅବସ୍ଥାରେ ତାକୁ ନିକଟସ୍ଥ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା । ସେଠାରେ ତାର ଅବସ୍ଥା ଗୁରୁତର ହେବାରୁ ଜଗତସିଂହପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତଳେ ପଡିଯାଇଥିବା ହେତୁ ତାର ହାତ ଭାଙ୍ଗିଯାଇଥିବା ଜଣାଯାଇଛି । ଏହି ଘଟଣାକୁ ନେଇ ଉକ୍ତ ଛାତ୍ରର ବାପା ସଂଜୟ ମହାନ୍ତି ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅନ୍ୟପଟରେ ଠିକାଦାରଙ୍କ ଖାମଖିଆଲ ମନୋଭାବ ଯୋଗୁ ଉକ୍ତ ରାସ୍ତାରେ ଯାତାୟାତ କରିବା ପାଇଁ ଜନସାଧାରଣ ଭୟ କରୁଛନ୍ତି । ଉକ୍ତ ରାସ୍ତାକୁ ଯଥା ଶୀଘ୍ର କାର୍ଯ୍ୟ ନ କଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବା ବୋଲି ସ୍ଥାନୀୟ ବାସିନ୍ଦା ଚେତାବନୀ ଦେଇଛନ୍ତି । ଏସଂକ୍ରାନ୍ତରେ ବିଭାଗୀୟ ସହକାରୀ ଯନ୍ତ୍ରୀ ରମାକାନ୍ତ ମିଶ୍ରଙ୍କୁ ପଚାରିବାରେ-ତୁରନ୍ତ ଡଷ୍ଟ ପକାଇ ରାସ୍ତା କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯଦି ସଂପୃକ୍ତ ଠିକାଦାରଙ୍କ ଦ୍ୱାରା କାର୍ଯ୍ୟ ନ କରାଯାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ